ଗୁୱାହାଟି: ସୋମବାର ଭୋର ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଛାତ୍ରଙ୍କର ଜୀବନ ଚାଲିଯାଇଛି। ଗୁୱାହାଟି ଜାଲୁକବରି ଠାରେ ଏହି ଦୁର୍ଘଟଣା ଘଟିଛି। ଛାତ୍ରାମାନେ ଏକ କାର୍ରେ ଯାଉଥିବା ବେଳେ କାର୍ଟି ରୋଡ୍ ଡିଭାଇଡରରେ ପିଟି ହୋଇ ସାମ୍ନାପଟୁ ଆସିଥିବା ଏକ ମାଲ୍ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା।
ଜାଲୁକବରି ଡିସିପିଙ୍କ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଛାତ୍ରମାନେ ବସିଥିବା ମହିନ୍ଦ୍ରା ବୋଲେରୋ ସ୍ପିଡ୍ରେ ମାଲ୍ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଆସାମ ଇଞ୍ଜିନିୟର କଲେଜ୍ର ୧୦ ଛାତ୍ର ବୋଲେରୋରେ ବସିଥିଲେ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁସାରେ ସ୍ପିଡ୍ ଆସୁଥିବା ମହିନ୍ଦ୍ରା ବୋଲେରୋ କାର୍ଟି ରୋଡ୍ ଡିଭାଇଡର୍ରେ ପିଟି ହେବା ପରେ ଡ୍ରାଇଭର କୌଶିକ ବରୁହା ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇଥିଲେ। କାର୍ଟି ଦୁଇତିନି ଥର ରାସ୍ତାରେ ଓଲଟିବା ପରେ ସାମ୍ନା ପଟୁ ଆସୁଥିବା ମାଲ୍ବାହୀ ଟ୍ରକ ସହ ଧକ୍କା ହୋଇଥିଲା।
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରମାନେ କାର୍ ଭଡ଼ା କରି ଗୁୱାହାଟୀ ବିମାନବନ୍ଦରରୁ ଫେରୁଥିଲେ। ମୃତ ଛାତ୍ରଙ୍କ ପରିଚୟ ମିଳିଛି। କାର୍ରେ ଥିବା ଅନ୍ୟ ୩ ଛାତ୍ର ଓ ମାଲବାହୀ ଟ୍ରକ୍ରେ ଥିବା ୩ ଲୋକ ମୋଟ ୬ ଆହତ ହୋଇଛନ୍ତି। ସେମାନଙ୍କୁ ଗୁୱାହାଟୀ ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଛି। ଘଟଣାରେ ତଦନ୍ତ ଜାରି ରହିଛି।