Latest Odisha News

BREAKING NEWS

ଓଡ଼ିଆ ପକ୍ଷ ପାଳନର ୭ମ ଦିନ: ବିଦ୍ୟାଳୟର କୁନି ଶିଶୁମାନଙ୍କୁ ବର୍ଣ୍ଣବୋଧ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ବର: ଆଜି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ସାରା ରାଜ୍ୟରେ ଆଜି ପାଳିତ ହୋଇଯାଇଛି ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବ । ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧକୁ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ପ୍ରଦାନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି ।

ଆଜି ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ଅବସରରେ ଜିଲ୍ଲାମାନଙ୍କରେ ରହିଥିବା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ବିଦ୍ୟାଳୟରେ ଥିବା ପାଠାଗାରକୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ କରାଯାଇଛି । ଏଥିସହିତ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ରହିଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ଆଜି ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ପାଳିତ ହୋଇଛି ।

ଏହି ମହାପର୍ବରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ସ୍ଥିତ ସାଇଁସ ଶାସନ ପଞ୍ଚାୟତର ଏସ୍.ଏସ୍.ପି ଉଚ୍ଚ ବିଦ୍ୟାଳୟରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଥିଲେ ।

ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପିଲାମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଛନ୍ତି । ଓଡ଼ିଆ ଅକ୍ଷର ଚିହ୍ନିବା, ଲେଖିବା ଓ ଭାଷା ଜ୍ଞାନକୁ ବୃଦ୍ଧି କରିବାରେ ବର୍ଣ୍ଣବୋଧର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାମାନଙ୍କର ପାଠପଢ଼ାରେ ମଧ୍ୟ ଏହାର ଖୁବ ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏଥିସହିତ ଓଡ଼ିଆ ପକ୍ଷ ପାଳନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଆଯାଇଥିବା ଏହି ଅଭିନବ ଏବଂ ସୁନ୍ଦର ପଦକ୍ଷେପ ପାଇଁ ମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ମଧ୍ୟ ପୋଷ୍ଟ କରି ଆଜିର କାର୍ଯ୍ୟକ୍ରମ ଓ ବର୍ଣ୍ଣବୋଧ ଉତ୍ସବ ବିଷୟରେ ଲେଖିଛନ୍ତି ।

ସେହିପରି, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଆଜି ନୀଳଗିରି ଠାରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିଥିଲେ । ଓଡ଼ିଆ ପକ୍ଷ ପାଳନର ଆଜି ସପ୍ତମ ଦିବସରେ ସମସ୍ତେ ବେଶ୍ ଉତ୍ସାହର ସହ ବର୍ଣ୍ଣବୋଧ ବଣ୍ଟନ ଉତ୍ସବରେ ସାମିଲ ହେବା ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ଅଭିନବ ପ୍ରୟାସର ବେଶ୍ ପ୍ରଶଂସା ମଧ୍ୟ କରିଥିଲେ ।

Comments are closed.