Latest Odisha News

ମେ ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ଜୋରଦାର୍ ହେଉଛି ଆଜି ଅନ୍ତିମ ପ୍ରଚାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେଉଛି ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିବସ । ଆଜି ସନ୍ଧ୍ୟା ପରଠାରୁ ଆଉ ପ୍ରଚାର ହେବନାହିଁ । ଦୀର୍ଘ ଏକ ମାସ ଧରି ବିଶ୍ୱର ବୃହତ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଯେଉଁ ରାଜନୈତିକ ନିର୍ବଚାନ ପ୍ରଚାର ଭୀଷଣ ରୂପ ଧାରଣ କରିଛି ତାହାର ଅନ୍ତ ହେବ ଆଜି ସନ୍ଧ୍ୟାରେ ।

ମେ’ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ ଟି ଲେଖାଏଁ ଲୋକସଭା ଆସନ, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମଙ୍ଗରେ ଘନ ଘନ ନିର୍ବାଚନ ପ୍ରଚାର କରିସାରିଥିବା ବେଳେ ମମତା ବାନାର୍ଜୀ ମଧ୍ୟ ବିଜେପିକୁ ପଚାରରେ ଟକ୍କର ଦେଇଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ନିର୍ବାଚନ ଅନୁଷ୍ଠିତ ହେଉଛି । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଉତ୍ତର ପ୍ରଦେଶରେ ବିଜେପିକୁ ଏଥର ବିରୋଧୀ କଂଗ୍ରେସ ଭଲ ଚ୍ୟାଲେଞ୍ଜ ଦେଇ ପାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଉତ୍ତର ପ୍ରଦେଶ ଚଣ୍ଡିଗଡ଼ ଏବଂ ହିମାଚଳ ପ୍ରଦେଶରେ ପ୍ରଚାରରେ ଯୋଗ ଦେଇଛନ୍ତି ।

ଆଜି ଅନ୍ତିମ ପ୍ରଚାର କାର୍ଯ୍ୟ ସମାପ୍ତ ହେବା ପରେ ୧୯ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣନା ହୋଇ ସେହିଦିନ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.