Snake Bite Mystery: ୪୫ ଦିନ ଧରି ଗୋଡାଇଲାଣି ସାପ! ଖୋଜି ଖୋଜି ୧୭ ବର୍ଷୀୟା ଅନୀତାଙ୍କୁ ବାରମ୍ବାର କାମୁଡ଼ୁଛି…ହେଲେ କାହିଁକି?
ହାଥରସ: ଦେଢ ମାସ ହେଲାଣି ପିଛା ଛାଡୁନି! ୪୫ ଦିନରେ ୮ ଥର କାମୁଡିଲାଣି ସେହି ସମାନ ସାପ!
ଟିଭି ଓ ବହିରେ ଆମେ ଅନେକ କାହାଣୀ ଦେଖିଛେ, ସାପ ତା’ର ଶତ୍ରୁକୁ ପିଛା କରେ, ୧୦୦ ଜନ୍ମ ବି ନିଏ କେବଳ ନିଜର ପ୍ରତିଶୋଧ ପୂରା କରିବା ପାଇଁ…କୁହନ୍ତି ସାପ ଆଖିରେ ଥରେ ଯାହାର ଛବି ଛପିଯାଏ, ତାକୁ ଲିଭେଇବା ଅସମ୍ଭବ! ହେଲେ ଏବେ କୌଣସି ଫିଲ୍ମ କି କାହାଣୀ ନୁହେଁ, ବାସ୍ତବରେ ଉତ୍ତରପ୍ରଦେଶର ହାଥରସରୁ ଆସିଥିବା ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।
ଉତ୍ତରପ୍ରଦେଶର ଜଣେ ଝିଅଙ୍କ ସହ ଏମିତି ଘଟଣା ଘଟିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ମାତ୍ର ୪୫ ଦିନ ଭିତରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ଥରେ କି ଦୁଇଥର ନୁହେଁ, ମୋଟ ୮ ଥର ସାପ କାମୁଡ଼ିଥିବା ଦାବି କରିଛନ୍ତି ପରିବାର ଲୋକେ। ଏହା ପରେ ପରିବାରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଘଟଣାଟି ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର। ଅହେନ ଗାଁ ଅଧୀନ ଛୋଟା ଲାଡପୁର ଅଞ୍ଚଳରେ ରହୁଥିବା ଅନୀତା ସରସ୍ୱତୀ ଡିଗ୍ରୀ କଲେଜରେ ବିଏସ୍ସି ପ୍ରଥମ ବର୍ଷର ଛାତ୍ରୀ। ପରିବାରର କହିବା ଅନୁସାରେ, ଗତ ଅଗଷ୍ଟ ୧୫, ୧୭ ଓ ୨୦ ତାରିଖରେ ଅନୀତାଙ୍କୁ ସାପ କାମୁଡ଼ିଥିଲା। ଏହାପରେ ସେପ୍ଟେମ୍ବର ୧୬, ୧୭, ୧୮ ଓ ୧୯ ତାରିଖରେ ମଧ୍ୟ ଲଗାତାର ସାପ କାମୁଡ଼ିଥିବା ପରିବାର କହିଛି। ଘରେ ବାରମ୍ବାର ସାପ ଦେଖାଯାଉଥିବାରୁ ପରିବାର ଲୋକେ ସାପ ଧରିବା ପାଇଁ ସର୍ପମିତ୍ରଙ୍କ ସହାୟତା ନେଇଥିଲେ। ଏପରିକି ଘରେ ଝଡ଼ାଫୁଙ୍କା ମଧ୍ୟ କରାଯାଇଥିବା ପରିବାର କହିଛି। ହେଲେ ସାପଟିକୁ ଧରାଯାଇପାରିନାହିଁ। ଏବେ ପରିବାର ଲୋକେ ବନ ବିଭାଗର ସହାୟତା ଲୋଡ଼ିଛନ୍ତି। ହେଲେ କିଛଇ ସୁଫଳ ମିଳିନି ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ବିଶେଷ କଥା ହେଉଛି, ସେପ୍ଟେମ୍ବର ୧୯ ତାରିଖରେ ଅନୀତାଙ୍କୁ ବାଥରୁମ୍ରେ ସାପ କାମୁଡ଼ିଥିଲା। ପ୍ରତିଥର ପରି ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା। ତେବେ କଥା ଏତିକିରେ ଥମିନଥିଲା। ସେପ୍ଟେମ୍ବର ୨୩ ତାରିଖ ସନ୍ଧ୍ୟାରେ ଘର ଭିତରେ ପୁଣି ଏକ କଳା ସାପ ଦେଖାଯାଇଥିଲା ଏବଂ ଅନୀତାଙ୍କୁ ପୁଣି ସାପ କାମୁଡ଼ିଥିବା ପରିବାର କହିଛି। ଏହାପରେ ତାଙ୍କୁ ହାଥରସ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ଥିତି ସ୍ଥିର ଥିବା ଜଣାପଡ଼ିଛି। ହାଥରସ ଜିଲ୍ଲା ହସ୍ପିଟାଲର CMS ଡାକ୍ତର ସୂର୍ଯ୍ୟପ୍ରକାଶ କହିଛନ୍ତି, ସାପ କାମୁଡ଼ା ରୋଗୀଙ୍କୁ ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ଦିଆଯାଉଛି ଏବଂ ଆଣ୍ଟି-ସ୍ନେକ୍ ଭେନମ୍ ମଧ୍ୟ ଉପଲବ୍ଧ ରହିଛି। ବର୍ତ୍ତମାନ ସମୟରେ ସାପ କାମୁଡ଼ା ମାମଲା ବଢ଼ୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏହି ଘଟଣାକୁ ନେଇ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅନେକ ଲୋକଙ୍କ ମୁଖରୁ ସାପ ପ୍ରତିଶୋଧ ନେବା ଭଳି କଥା ଶୁଣିବାକୁ ମିଳୁଥିବା ବେଳେ ଏତେ ଥର ସାପ କାମୁଡିବା ପରେ ଝିଅଟି ସୁସ୍ଥ ହୋଇଯିବା ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । କେହି କେହି ଝିଅଟିକୁ ସର୍ପ କନ୍ୟା ବୋଲି କହୁଥିବା ଶୁଣିବାକୁ ମିଳିଛି । କିନ୍ତୁ ଅନୀତାଙ୍କୁ ବାରମ୍ବାର ସାପ କାମୁଡ଼ିବା ପଛରେ ପ୍ରକୃତ କାରଣ କଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।
ତେବେ ୪୫ ଦିନରେ ୮ ଥର ସାପ କାମୁଡ଼ିବା ଦାବିକୁ ନେଇ କିଛି ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ଗୋଟିଏ ସାପ ବାରମ୍ବାର ସେହି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାର କୌଣସି ଜଣାଶୁଣା ଚିକିତ୍ସାଗତ ଆଧାର ନାହିଁ। ତାଙ୍କ ମତରେ, ଏହା ପଛରେ ଭୟ କିମ୍ବା ମାନସିକ ଆତଙ୍କର ଭୂମିକା ଥାଇପାରେ। ଅର୍ଥାତ୍, ସାପକୁ ନେଇ ଅତ୍ୟଧିକ ଭୟ ଥିଲେ ଜଣେ ବ୍ୟକ୍ତିଙ୍କୁ ଲାଗିପାରେ ଯେ ସାପ ତାଙ୍କୁ ହିଁ ଟାର୍ଗେଟ୍ କରୁଛି କିମ୍ବା ବାରମ୍ବାର କାମୁଡ଼ୁଛି। ତେବେ ଅନୀତାଙ୍କ ମାମଲାରେ ପ୍ରକୃତରେ କଣ ଘଟୁଛି, ତାହା ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ।

