Latest Odisha News

BREAKING NEWS

ସେବାୟତଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ ହେବ ନାହିଁ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୨୦୧୬ ନବକଳେବର ସମୟରେ ଶ୍ରୀବିଗ୍ରହମାନଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ନେଇ ୪ଜଣ ସେବାୟତମାନଙ୍କୁ ଦିଆଯାଇଥିôବା କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆଜି ଏଠାରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଜଣେ ମହାରଣା ସେବାୟତଙ୍କ ସମେତ ୧୦ ଜଣ ଦଇତାପତି ସେବାୟତଙ୍କୁ ନଭେମ୍ବର ୧୪ ତାରିଖ ଦିନ କାରଣ ଦର୍ଶାଅ ନୋଟିସ ଦିଆଯାଇଛି, ୧୫ ଦିନ ମଧ୍ୟରେ ଏହି ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

“ ଏହି ୧୦ ଜଣ ସେବାୟୟତମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪ ଜଣ ସେବାୟତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଉତ୍ତର ଦେଇସାରିଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ଏହା ସାର୍ବଜନୀନ ନ’କରିବାକୁ ନିଷ୍ପତ୍ତି ନେଇଛନ୍ତି,”ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଗତ ସେପ୍ଟେମ୍ବର ୨୭ ତାରିଖରେ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଯେହେତୁ ଏହା ଏକ ସମ୍ବେଦନମୂଳକ ପ୍ରସଙ୍ଗ ହୋଇଥିବା ଯୋଗୁଁ ଏହି ନୋଟିସର ଉତ୍ତରକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ମନ୍ଦିର ପରମ୍ପରା ଅନୁଯାୟୀ ଜୁନ ୧୫ ତାରିଖ ମଧ୍ୟରାତ୍ରୀରେ ବିଗ୍ରହମାନଙ୍କର ବ୍ରହ୍ମ ପରିବର୍ତ୍ତନ କରା ଯିବାରଥିଲା । କିନ୍ତୁ ଏଥିରେ ବିଭ୍ରାଟ ଘଟିବା ଯୋଗୁଁ ତହିଁ ପରଦିନ ଅପରାହ୍ନରେ ବ୍ରହ୍ମ ପରିବର୍ତ୍ତନ ନୀତି କରାଯାଇଥିଲା ।

ନବକଳେବର ସମୟରେ ହୋଇଥିବା ଏହି ବ୍ରହ୍ମ ବିଭ୍ରାଟକୁ ନେଇ ସେହି ସମୟରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ସହିତ ବିରୋଧି ଦଳମାନେ ଏନେଇ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ସମାଲୋଚନା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ନେଇ ଏକ ରିପୋର୍ଟ ୨୦୧୭ ଅଗଷ୍ଟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.