Latest Odisha News

BREAKING NEWS

ରାଉରକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ରାଉରକେଲା : ରାଉରକେଲା ବାର ଆସୋସିଏସନ ପକ୍ଷରୁ ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଏବଂ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି କରି ରାଉରକେଲା ବାର ଆସୋସିଏସନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ନେଇ ଜଣାପଡିଛି ।

ବାର ଆସୋସିଏସନ ପକ୍ଷରୁ ପାନପୋଷ ଛକରେ ଏନଏଚ୍-୧୪୩ ଅବରୋଧ କରାଯାଇଥିବା ବେଳେ ଉଭୟ ପଟେ ଯାନବାହନ ଅଟକି ରହିଛି। ଯାନବାହନ ଯାତାୟତ ବନ୍ଦ ଯୋଗୁଁ ସାଧାରଣରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ବିକ୍ଷୋଭକାରୀମାନେ ପାନପୋଷ, ବିଶ୍ରା ଛକ, ଛେଣ୍ଡ କଲୋନୀ ଛକ, ସେକ୍ଟର ୭-୧୭ ସ୍କୋୟାର, ରଙ୍ଗିଲା ଛକ ଏବଂ ବେଦବ୍ୟାସ ଆଦି ଅଞ୍ଚଳରେ ପିକେଟିଂ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପକ୍ଷରେ ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ, ବ୍ୟବସାୟୀ ସଂଘ, ଅନେକ ବୁଦ୍ଧିଜୀବୀ ତଥା ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଥିବା ନେଇ ସୂଚନା ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍କୁଲ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସମେତ ବିଭିନ୍ନ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

“ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଏବଂ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ଧରି ବାରମ୍ବାର ଦାବି ଉପସ୍ଥାପନ କରାଯାଇଛି । ତେବେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଆମେ ଏହି ବନ୍ଦ ଡାକରା ଦେଇଛୁ” ବୋଲି କହିଛନ୍ତି ରାଉରକେଲା ବାର ଆସୋସିଏସନର ସଭାପତି ।

Leave A Reply

Your email address will not be published.