…ସେତେବେଳକୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇ ନଥାଏ ।
ଲକ୍ଷ୍ମୀ, ଜଗନ୍ନାଥ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ଏକା ମନ୍ଦିରରେ ରହନ୍ତିନି । ଜଗନ୍ନାଥ ରୁହନ୍ତି ବଡ଼ଦେଉଳରେ, ମାଆ ଲକ୍ଷ୍ମୀ ରହନ୍ତି ମହାଲକ୍ଷ୍ମୀ ମନ୍ଦିର ଭିତରେ ।
ପୁରୁଣା କାଳିଆ କଥା ।
ଏକା ନଅରରେ ରହିଲେ ବି ରାଜାଙ୍କର ଯେମିତି ଅଲଗା ଉଆସ ଆଉ ରାଣୀଙ୍କର ରାଣୀଅନ୍ତଃପୁର, ଏକଥା ବି ସେମିତି ।
ଜଗନ୍ନାଥ ରୁହନ୍ତି ଭାଇ ଭଉଣୀଙ୍କ ସହ । ଭାରତୀୟ ପରମ୍ପରାର ପୁରୁଣା ଚଳଣି । ଜଣେ ଭାଇ ବାହା ହେଲା ପରେ ବି ଅନ୍ୟ ଭାଇ ଭଉଣୀଙ୍କ ସହ ମିଶି ରହିବା ପରି ଜଗନ୍ନାଥ ମହାପ୍ରଭୁ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ରହନ୍ତି ଶ୍ରୀମନ୍ଦିର ବେଢ଼ା ଭିତରେ । ଅସଲରେ ଲକ୍ଷ୍ମୀଙ୍କ ନାଁ ଅନୁସାରେ ଶ୍ରୀମନ୍ଦିର । ତାଙ୍କର ଅନ୍ୟ ନାମ ଶ୍ରୀ । ହିନ୍ଦୁମାନଙ୍କର ଅଟଳ ବିଶ୍ୱାସ ଯେ ଲକ୍ଷ୍ମୀ ଠାକୁରାଣୀ ହେଉଛନ୍ତି ସକଳ ଧନ-ସମ୍ପତ୍ତି ଓ ଐଶ୍ୱର୍ଯ୍ୟର ଦେବୀ ।
ଜଗନ୍ନାଥ ଦିନେ ବିଚାର କଲେ ଦେଉଳରୁ ବାହାରିଯାଇ ଭକ୍ତମାନଙ୍କ ସହ ମିଶିବା ଦରକାର । ଭକ୍ତମାନେ ଦେଉଳକୁ ଆସି ନିତି ଦର୍ଶନ କରିଯାଉଛନ୍ତି । ଠାକୁର ହିସାବରେ ସେ ବି ସେମାନଙ୍କ ପାଖକୁ ଯିବା ଆବଶ୍ୟକ । ବର୍ଷକେ ଥରେ ଗୋଟିଏ ସମୟ ଧାର୍ଯ୍ୟ କଲେ ସଭିଏଁ ଆସି ମିଶିପାରିବେ ।
ଖରାଦିନେ ଲୋକ ଯାତ୍ରା କଲେ ଭକ୍ତଗଣ କଷ୍ଟ ଭୋଗିବେ । ଶୀତଦିନେ ବି ଏକା କଥା । ବର୍ଷା ପରେ ଶରତ ସମୟଟା ଭଲ ହୁଅନ୍ତା, ହେଲେ କ୍ଷେତବାଡ଼ି ଛାଡି ଚାଷୀକୂଳ ଦୂରଦୂରାନ୍ତରୁ ଆସିବା ଅସୁବିଧା । ତେଣୁ ଖରା ଯାଇଥିବ, ବର୍ଷା ଅସରାଏ ଦି’ଅସରା ହୋଇଥିବ ଚାଷବାସ ପୁରା ଆରମ୍ଭ ହୋଇ ନ ଥିବ, ଠିକ ସେଇଟା ହେଉଛି କର୍ମଜୀବୀ ଓଡ଼ିଆଙ୍କ ପାଇଁ ଅସଲ ସମୟ । ସେତିକିବେଳେ ରଥରେ ବସି ରଥଯାତ୍ରା କରିବା ଠିକ ହେବ ।
ବଡ଼ଭାଇ ବଳଭଦ୍ର କହିଲେ ଠିକ ଅଛି । ହେଲେ ଭଉଣୀ ସୁଭଦ୍ରା ମନ୍ତବ୍ୟ ଦେଲେ, “ଭାଇ ! ଜାଣିଛ ତ ସେତେବେଳେ କି ଗୁଳୁଗୁଳି ?”
ଜଗନ୍ନାଥ ହସିଲେ । ହସି ହସି କହିଲେ, ” ଗୁଳୁଗୁଳି ଚଳିବ । ରଥଯାତ୍ରା ଦେଖି ଭକ୍ତମାନେ ସମୁଦ୍ରକୂଳରେ ବସି ପବନ ଖାଇପାରିବେ । ଏଠୁ ଆନନ୍ଦ କରି ଫେରିଲେ ଚାଷ-ବେଉସାରେ ସେମାନେ ଲାଗିପଡ଼ିବେ । ଅକ୍ଷୟତୃତୀୟାରେ ଯେ ଅନୁକୂଳ ହୋଇଥିବ, ଆଷାଢ଼ ପରେ ଅନ୍ୟ ସବୁ ରୋପଣ କାମ ଆରମ୍ଭ ହୋଇଯିବ । ମୁଁ କହିଦେଇଛି ଥରେ ରଥଚକ ଗଡ଼ିଲେ ଆଉ ଚାରାରୋପଣ ଅନୁଚିତ ।”
ସେଇୟା ହେଲା । ଠାକୁରଙ୍କ ହୁକୁମ ବିଷୟରେ ଭକ୍ତଗଣ, ପଣ୍ଡା, ସୁଆର, ସେବାୟତ, ରାଜଙ୍କଠାରୁ ଆରମ୍ଭ କରି ଗହଣିଆ, ଅନୁସରଣିଆ ସମସ୍ତେ ଜାଣିଗଲେ ଯେ ଏଣିକି ପ୍ରତି ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ରଥଯାତ୍ରା ହେବ ।
ଆକାଶ, ବତାସ ସବୁଆଡ଼େ କଥା ଖେଳିଗଲା । ଜଗନ୍ନାଥ ମହାପ୍ରଭୁ ଏବେଠାରୁ ଫି ସନ ରଥଯାତ୍ରାରେ ବାହାରିବେ । ଭାଇ ଭଉଣୀ ତିନିଙ୍କର ତିନିରଥ । ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରଙ୍କର ଦେବୀଦଳନ, ସ୍ୱୟଂ ଜଗନ୍ନାଥଙ୍କର ନନ୍ଦିଘୋଷ । କି ସୁନ୍ଦର, କି ଅପୂର୍ବ ! କାଇଁ କୁଆଡେ ଶୁଣା ନଥିଲା ଏମିତି କଥା ।
ଜଗନ୍ନାଥ ବୋଧେ ଭାବିଲେ ସ୍ତ୍ରୀଙ୍କୁ ରଥରେ ବସେଇ ବୁଲେଇବା ଠିକ ହେବନି । ତେଣୁ ଲକ୍ଷ୍ମୀଙ୍କୁ ନ ପଚାରି ତିନି ଭାଇ ଭଉଣୀ ମିଶି ସେବାୟତଙ୍କ ଗହଣରେ ବେଶପଟା ହୋଇ ରଥରେ ବିଜେ ହେଲେ । ବାଜା ବଜେଇ, କେଡ଼େ ଆଡମ୍ବରରେ ବୁଲିଲେ । ପୁରୁଣା ଜନ୍ମବେଦୀ ଗୁଣ୍ଡିଚା ଘରେ ରହିଲେ । ନଅ ଦିନରେ ଫେରିବା ବାଟରେ ମାଉସୀ ମା’ଙ୍କ ଘରକୁ ଯାଇ ପୋଡ଼ପିଠା ଖାଇଲେ । ଏବେ ଶ୍ରୀମନ୍ଦିର ବେଢ଼ାରେ ପଶିବେ ।
ହେଲେ ଇଏ କ’ଣ ? ଭିତରୁ ଖିଡିକି ବନ୍ଦ ।
ମାଆ ଲକ୍ଷ୍ମୀ ଆଦେଶ ଦେଇଛନ୍ତି, ଖବରଦାର । ଭାଇ ଭଉଣୀଙ୍କୁ କେହି କବାଟ ଫିଟେଇବନି ।
ଜଗନ୍ନାଥ କବାଟ ପାଖରେ ଯାଇ ଅନୁରୋଧ କଲେ । ନେହୁରା ହେଲେ । ଲାଜକଥା ।
ଭିତରୁ ଶୁଭିଲା,”ମୁଁ ତମର କିଏ ? ରଥଯାତ୍ରା କରି ଗଲାବେଳେ ମତେ ନ ନେଲ ନାଇଁ, ଟିକିଏ ପଚାରିଲନି ମଧ୍ୟ। ଯାଅ ସେ ଭାଇ ଭଉଣୀଙ୍କୁ ଧରି ସିଆଡ଼େ ରହ ।”
ଓଡ଼ିଆ ଘରମାନଙ୍କରେ ସ୍ୱାମୀ ସ୍ତ୍ରୀ କଳି ଲାଗିଲେ ଏମିତି କେତେ କଥା ଶୁଣିବାକୁ ମିଳେ । ଠାକୁରଙ୍କ ଘରେ ବି ସେଇକଥା । ଜଗନ୍ନାଥଙ୍କ କାରବାର ସବୁ ମଣିଷମାନଙ୍କ ପରି ।
କ’ଣ କଲେ ଲକ୍ଷ୍ମୀଙ୍କର ରାଗ ତୁଟିବ ? ମନ ବୁଝିବ ? କେତେ କଥା ଭାଳିହେଲେ ଜଗନ୍ନାଥ ମହାପ୍ରଭୁ ।
ହଠାତ ମନକୁ ଆସିଲା ଲକ୍ଷ୍ମୀ ଯେଉଁ କଥାରେ ସନ୍ତୁଷ୍ଟ ସେଇଥିରୁ କିଛି ସମର୍ପି ଦେଲେ ହୁଏତ ରାଗ ତୁଟିଯିବ ।
ମନେ ପଡ଼ିଗଲା, ରସଗୋଲା । ରସଗୋଲା ଖାଇଲେ ଲକ୍ଷ୍ମୀ ଖୁସି ହୋଇଯାଆନ୍ତି । ଶ୍ରୀମନ୍ଦିରରେ ଏତେ ମିଠା । ଛେନାରୁ ଆଉ କେତେ କେତେ ମିଠା ତିଆରି ହେଉଛି ରୋଷଘରେ । ହେଲେ ସେଥିରେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତିନି । ରସଗୋଲା ହାଣ୍ଡିଏ ପାଇଗଲେ ଆନନ୍ଦ ।
ସେଇଠି ଥାଇ ଜଗନ୍ନାଥ ମନେ ମନେ ଡାକ ପକେଇଲେ ବଡ଼ ସୁଆରଙ୍କୁ । ରସଗୋଲା ତିଆରି କରି ଅବିଳମ୍ବେ ହାଜର ହୁଅ ।
ପ୍ରଭୁଙ୍କ ଇଚ୍ଛା । ମୁହୂର୍ତକରେ ରସଗୋଲା ହାଣ୍ଡି ଆସି ହାଜର ହୋଇଗଲା । ବନ୍ଦ କବାଟ ପାଖରେ ଠିଆହୋଇ ଧୀରେ ଧୀରେ ଜଗନ୍ନାଥ କହିଲେ- “ହଉ ହେଲା, ମୋର ଭୁଲ ହେଇଛି । ଏଇ ତୁମ ପାଇଁ ରସଗୋଲା ଆଣିଛି । ମୁଁ ସିନା ଅପରାଧ କଲି, ଏ ରସଗୋଲା କ’ଣ କଲା? କେତେ ସମୟ ଧରି ଏମିତି ଠିଆହେବି ?”
ରସଗୋଲା !!!
ସେପଟେ କ’ଣ ମନୋଭାବ ବଦଳିଲା କେଜାଣି, ଧୀରେ ଧୀରେ କବାଟ ଖୋଲିଗଲା । ଏପଟେ କଳାଠାକୁର ଜଗନ୍ନାଥ, ସେପଟେ ଲକ୍ଷ୍ମୀ ଠାକୁରାଣୀ । ମଝିରେ ରସଗୋଲା ହାଣ୍ଡି ।
ସେଇଦିନୁ ରସଗୋଲା ଆହୁରି ପ୍ରସିଦ୍ଧ ହୋଇଗଲା ।
ଅଧିକ ପଢନ୍ତୁ- ଜନମ ହେଲା ରସଗୋଲା
ଏକଥା କେତେ ପୁରୁଣା ତାହା ଦେଉଳର ଟିକିନିଖି ଖବର ରଖୁଥିବା ମାଦଳାପାଞ୍ଜି ସୁଦ୍ଧା ଜାଣେ ନାଇଁ । କେବଳ ପ୍ରଭୁ ଜଗନ୍ନାଥ ଜାଣନ୍ତି, ମାଆ ଲକ୍ଷ୍ମୀ ଜାଣନ୍ତି ।
ହଁ, ରସଗୋଲା ନିଜେ ନିଶ୍ଚୟ ସେ କଥା ଜାଣେ ।
Comments are closed.