Latest Odisha News

BREAKING NEWS

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ୬୬ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା । ଭୁବନେଶ୍ୱର ସ୍ଥିତ ବାସବଭନରେ ତାଙ୍କର ମର ଶରୀରକୁ ରଖାଯାଇଛି । ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ଅନ୍ତିମ ଦର୍ଶନ କରିବା ଶହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବ । ସେଠାରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ ମରଶରୀର । ଏହାପରେ ପୁରୀ ଜିଲ୍ଲା ପିପିଲି ସ୍ଥିତ ବାସଭବନକୁ ନିଆଯିବ ପାର୍ଥିବ ଶରୀର । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଦୀପ ମହାରଥୀ । କୋଭିଡ୍ ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ତଳେ ହଠାତ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା । ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା ।

ଡାକ୍ତରୀ ଟିମ୍ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ତାଙ୍କୁ ୪୮ ଘଣ୍ଟା ପାଇଁ ଅବଜରଭେସନରେ ରଖାଯାଇଥିଲା । ଧୀରେ ଧୀରେ ସଂକଟାପନ୍ନ ହୋଇଥିଲା ସ୍ୱାସ୍ଥ୍ୟାବସ୍ଥା । ଶେଷରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପ୍ରଦୀପ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତା ଥିଲେ । ବିଜେଡିକୁ ସଂଗଠିତ କରିବା ସହ ପୁରୀ ଜିଲ୍ଲାରେ ଦଳର ସଂଗଠନକୁ ସୁଦୃଢ଼ କରିବାରେ ପ୍ରଦୀପ ମହାରଥୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

Leave A Reply

Your email address will not be published.