ଭୁବନେଶ୍ୱର: ଓଡିଶାରେ ପ୍ରଚଳିତ ନୃତ୍ୟମାନଙ୍କ ମଧ୍ୟରୁ ଚଢ଼େଇଆ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଳିକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ ।
ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଯୋଗୁଁ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।
Comments are closed.