Latest Odisha News

BREAKING NEWS

ପରାଜୟର ବି ଏକ ଗୌରବ ଅଛି!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ପୃଥିବୀରେ ଅନେକ ଯୁଦ୍ଧ ହୋଇଛି, ଯେଉଁଥିରେ ବିଜେତା ତୁଳନାରେ ପରାଜିତର ଗରିମା ଅଧିକ ଉଜ୍ଜଳ ଦିଶିଛିଏହାର ସବୁଠୁ ପ୍ରାଚୀନ ଉଦାହରଣ ଆମେ ପାଇବା ମହାକବି ବାଲ୍ମୀକିଙ୍କର ରାମାୟଣରୁ। ଯୁଦ୍ଧ କାଣ୍ଡର ୧୦୯ ଅଧ୍ୟାୟରେ ରାମ ରାବଣ ଯୁଦ୍ଧର ପରବର୍ତ୍ତୀ ବର୍ଣ୍ଣନା ରହିଛି।

ପ୍ରଚଣ୍ଡ ଯୁଦ୍ଧରେ ରାବଣ ପରାଜିତ ହେବା ପରେ, ବିଜେତା ଶ୍ରୀରାମଚନ୍ଦ୍ର ପରାଜିତକୁ ଭର୍ତ୍ସନା କରିବା ପରିବର୍ତ୍ତେ, ତାଙ୍କୁ ଶୌର୍ଯ୍ୟ ଓ ବୀରତ୍ୱର ଚରମ ପ୍ରତୀକ ବୋଲି କହୁଛନ୍ତି। ଜଣେ ପରାକ୍ରମୀ ଯୋଦ୍ଧା ଭାବରେ ନିଜର ଶତ୍ରୁକୁ ଶ୍ରୀରାମଚନ୍ଦ୍ର ଅତ୍ୟନ୍ତ ସମ୍ମାନ ସହିତ ଦାହ ବ୍ୟବସ୍ଥା ବି କରୁଛନ୍ତି। ଏହି ଅଧ୍ୟାୟର ଦୁଇଟି ଶ୍ଳୋକ ଅତ୍ୟନ୍ତ ଚମତ୍କାର। ଏହି ଅଧ୍ୟାୟର ୧୫ ଏବଂ ୧୬ ଶ୍ଳୋକରେ ଶ୍ରୀରାମଚନ୍ଦ୍ର ବିଭୀଷଣଙ୍କୁ କହୁଛନ୍ତି- ନିଷ୍ଠାର ସହିତ କ୍ଷତ୍ରିୟ ଧର୍ମ ପାଳନ କରି ରାବଣ ନିହତ ହୋଇଛନ୍ତି। ତେଣୁ ତାଙ୍କ ପାଇଁ ଶୋକ ପରିବର୍ତ୍ତେ ତାଙ୍କର ବୀରତ୍ଵକୁ ସମ୍ମାନ ଦେବାକୁ ପଡିବ। ଜଣେ ବୀର ରଣଭୂମିରେ ନିଜ ଶତ୍ରୁକୁ ନିପାତ କରିଥାଏ ନଚେତ ନିଜେ ଶତ୍ରୁ ହାତରେ ପ୍ରାଣ ଦେଇଥାଏହାରିବା ଜିତିବା କ୍ଷତ୍ରିୟର ଧର୍ମତେଣୁ ବୀରତ୍ଵ ସବୁଠୁ ବଡ ଗୌରବ, ଜୟ ବା ପରାଜୟ ନୁହେଁପରବର୍ତ୍ତୀ ସମୟରେ ଅନେକ ଆଞ୍ଚଳିକ ଭାଷାର ରାମାୟଣରେ ରାବଣ ବଧ ପରେ ତାଙ୍କ ଠାରୁ ଶ୍ରୀରାମଚନ୍ଦ୍ର ରାଜନୀତି ଶିକ୍ଷା କରିଥିବାର ବର୍ଣ୍ଣନା ମଧ୍ୟ ରହିଛିଶତ୍ରୁକୁ ଅସମ୍ମାନ କରିବା ରାଜନୀତିରେ ସବୁଠୁ ଅଶୋଭନୀୟ ଓ କାପୁରୁଷପଣ ବୋଲି କୁହାଯାଇଛି

ସେମିତି ଆଉ ଜଣେ ଅତ୍ୟନ୍ତ ଗୌରବଶାଳୀ ପରାଜିତ ଯୋଦ୍ଧାଙ୍କ କାହାଣୀ ଆମେ ଇତିହାସରେ ପଢିଛୁ । ଖ୍ରୀଷ୍ଟପୂର୍ବ ୩୨୬ରେ ଅନୁଷ୍ଠିତ ଝେଲମ ନଦୀ କୂଳରେ ଅନୁଷ୍ଠିତ ହୋଇଥିବା ପ୍ରଚଣ୍ଡ ଯୁଦ୍ଧରେ ପୌରବ ରାଜା ପୁରୁ ଆଲେକଜାଣ୍ଡରଙ୍କ ହାତରେ ପରାସ୍ତ ହେଲେହେଲେ କ୍ଷତ୍ରିୟ ଧର୍ମ ଅନୁକୂଳ ନିଜ ବୀରତ୍ଵକୁ ସେ ସମର୍ପଣ କରିନଥିଲେପୁରାଣ ଓ ଇତିହାସରେ ବିଜେତା ଓ ପରାଜିତଙ୍କ ସଂପର୍କକୁ ନେଇ ଅନେକ ଚମତ୍କାର ଆଖ୍ୟାନ ଆମେ ଶୁଣିଛୁ

ରାଜନୀତିରେ ଜୟ ପରାଜୟ ଏକ ସାଧାରଣ ଘଟଣା। ଜଣେ ଜିତେ, ଆଉ ଜଣେ ହାରେ। ଗଣତାନ୍ତ୍ରିକ ଶାସନରେ ଜୟ ପରାଜୟର ଅନୁଭବ ଆହୁରି ଅଲଗା। ଏଠି କେହି ଚିରସ୍ଥାୟୀ ବିଜେତା ନାହାନ୍ତି। ଆଜି ଯିଏ ହାରିଛି, କାଲି ସିଏ ଜିତିବ। ତେଣୁ ବିଜୟକୁ ନେଇ ଗଣତନ୍ତ୍ରରେ ଯିଏ ଅହଂକାର ପ୍ରଦର୍ଶନ କରେ, ସେ ସବୁଠୁ ବଡ ନିର୍ବୋଧ । ଜିତିବା ଯେମିତି ଚିରସ୍ଥାୟୀ ଗୌରବ ନୁହେଁ, ସେମିତି ହାରିବା ମଧ୍ୟ ଚିରନ୍ତନ ଗ୍ଳାନି ନୁହେଁ। ଗଣତନ୍ତ୍ରରେ ବିଜେତା ହାତକୁ ଶ୍ରଦ୍ଧା ଓ ସମ୍ମାନର ସହିତ କ୍ଷମତା ହସ୍ତାନ୍ତର କରିବା ପରାଜିତର ଧର୍ମ।

ଆଜି ଏକଥା କଥା କହିବା ପଛରେ କାରଣ ଟି ଅତ୍ୟନ୍ତ ସ୍ପଷ୍ଟ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସାରିବା ପରେ, ପରାଜିତ ପ୍ରାର୍ଥୀ ନିଜ ପରାଜୟକୁ ସ୍ଵୀକାର କରୁନାହାନ୍ତିଆମେରିକାର ଗଣତାନ୍ତ୍ରିକ ଇତିହାସରେ ନିର୍ବାଚନକୁ ନେଇ ବିବାଦ ଯଦିଓ ନୂଆ ନୁହେଁ, ତେବେ କ୍ଷମତାରେ ଥାଇ ପରାସ୍ତ ହୋଇଥିବା ରାଷ୍ଟ୍ରପତିମାନେ କେବେ ବି ବିଜେତା ରାଷ୍ଟ୍ରପତିଙ୍କ ବାଟ ଓଗାଳି ଠିଆ ହେବାର ଉଦାହରଣ ଆମେରିକାରେ ନାହିଁ। ପୃଥିବୀର ସବୁଠୁ ପୁରୁଣା ଓ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ଦାବି କରୁଥିବା ଆମେରିକା ପାଇଁ ଏହା ଏକ ବିଚିତ୍ର ଆହ୍ୱାନର ସମୟ।

ଆମେରିକା ତୁଳନାରେ ଭାରତୀୟ ଗଣତନ୍ତ୍ର ବୟସରେ କନିଷ୍ଠ ଓ ଅନୁଭବରେ ମଧ୍ୟ ଦୁର୍ବଳ। ହେଲେ ନିର୍ବାଚନ ପରବର୍ତ୍ତୀ କ୍ଷମତା ହସ୍ତାନ୍ତରକୁ ନେଇ ଆମେ ସବୁବେଳେ ଆଇନଗତ ଏବଂ ସାମ୍ବିଧାନିକ ବାଟକୁ ସମ୍ମାନ ଦେଇଛୁ। ଯଦିଓ ଦଳ ବଦଳ ଓ ଘୋଡା ବେପାର ଭଳି ଅତି ନିନ୍ଦନୀୟ ଘଟଣା ଆମ ଗଣତନ୍ତ୍ରରେ ଘଟେ, ତଥାପି, ସର୍ବୋଚ୍ଚ ସ୍ତରରେ ବିଜେତାର ବାଟା ଓଗାଳିବାକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କେବେ ଚାହିଁ ନାହାନ୍ତି। ଆମ ଗଣତନ୍ତ୍ର ଓ ନିର୍ବାଚନରେ ହଜାର ଦୁର୍ବଳତା ରହିଥିଲେ ମଧ୍ୟ, ବିଜେତାକୁ ବାଟ ଛାଡି ଦେବା ଓ ପରାଜିତକୁ ସମ୍ମାନର ସହିତ ବିଦାୟ ଦେବାର ପରମ୍ପରା ଆମର ରହି ଆସିଛି।

ଯଦିଓ ଗତ କିଛି ବର୍ଷ ହେଲା ଭାରତରେ ମଧ୍ୟ ରାଜନୈତିକ ବିରୋଧୀଙ୍କୁ ତୁଚ୍ଛ ମଣିବା, ତାଚ୍ଛଲ୍ୟ କରିବା ଓ ଦେଶଦ୍ରୋହୀ ବୋଲି ଦେଖେଇଦେବାର ଅସଭ୍ୟ ପରମ୍ପରା ଆରମ୍ଭ ହୋଇଛି, ତଥାପି ଆଜିର ଆମେରିକା ଭଳି ସ୍ଥିତି ଆମ ଦେଶରେ କେବେ ବି ଆସିନାହିଁ । ନିର୍ବାଚନ ପ୍ରକ୍ରିୟାରେ ଗୋଟେ ସମୟରେ ବୁଥ ରିଗିଂ, ବ୍ୟାଲଟ ଚୋରୀ ଭଳି କଥା ଆମେ ଦେଖିଛୁ। ସେଥିରୁ ମୁକୁଳି ଆମେ ଅନେକ ବାଟ ଆସି ସାରିଛୁ। ଅନେକ ସମୟରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ କୁ ନେଇ ଯଦିଓ କିଛି କିଛି ସନ୍ଦେହ ଉଠିଛି, ହେଲେ ସେହି ଆଳରେ କେହି ନିର୍ବାଚନକୁ ଅସିଦ୍ଧ ବୋଲି କହିନାହାନ୍ତି ।

ଆଜିର ସମୟକୁ ଆମେରିକାର ଇତିହାସରେ ଗୋଟେ ଭୟଙ୍କର ସଙ୍କଟ କାଳ ବୋଲି କୁହା ଯାଇପାରିବ। ଯଦି ସ୍ଵାଭାବିକ ପ୍ରକ୍ରିୟାରେ ପରାଜିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ବିଜେତା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ନ ହୁଏ, ତାହା ଆମେରିକାର ରାଜନୀତିକୁ ଏକ ଭୟଙ୍କର ଅନ୍ଧାର ଆଡକୁ ଠେଲିଦେବ। ଏହାର ପ୍ରଭାବ ଯେ ଖାଲି ଆମେରିକା ଉପରେ ପଡିବ ତା ନୁହେଁ, ଏହା ଅନେକାଂଶରେ ପୃଥିବୀର ରାଜନୀତି ଓ ଗଣତନ୍ତ୍ର ଲାଗି ଏକ ବୃହତ୍ତର ସଙ୍କଟ ତିଆରି କରିବ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଭିତରେ ପ୍ରାୟ ଅଢେଇ ମାସର ଏକ ପ୍ରକ୍ରିୟା ଚାଲିଥାଏ। ଆମେ ଆଶା କରିବା, ରାଷ୍ଟ୍ରପତି ଟ୍ରମ୍ଫ ନିଜ ପରାଜୟକୁ ସ୍ଵୀକାର କରିବାକୁ ବେଶୀ ସମୟ ଆଉ ନେବେ ନାହିଁ!!      

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

        

Leave A Reply

Your email address will not be published.