Latest Odisha News

BREAKING NEWS

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ‘ସେସୁ’ ଉପରେ ଏନଜିଟିର ୪କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ : ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ସେସୁ ଉପରେ ଲଗାଇଥିବା ଜୋରିମାନା ରାଶିକୁ ୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ହାତୀ ମୃତ୍ୟୁ ଘଟଣାର ୪ଦିନ ପରେ ଏନଜିଟି ନିଜ ଆଡ଼ୁ ମାମଲା ରୁଜୁ କରି ଗତ ଅକ୍ଟୋବର ୩୦ରେ ଶୁଣାଣୀ କରି ସେସୁକୁ ୧ କୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏନଜିଟି ଚେୟାରପର୍ସନ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠରେ ଗୁରୁବାର ଦିନ ଶୁଣାଣୀ କରି ସେସୁ ଉପରେ ୪କୋଟି ଟଙ୍କା ଜୋରିମାନା ଲଗାଇଛନ୍ତି ଏବଂ ସମସ୍ତ ଅର୍ଥ ରାଶି ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗକୁ ଯିବ ବୋଲି କହିଛନ୍ତି । ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେହି ଯୋଜନାରେ ଏହି ଅର୍ଥ ରାଶିକୁ ବିନିଯୋଗ କରାଯିବ ବୋଲି ଏନଜିଟି କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଗତ ଅକ୍ଟୋବର ୨୬ ତାରିଖ ଦିନ ପାଖାପାଖି ୧୩ ଟି ହାତୀ ଗ୍ରାମ ମଧ୍ୟକୁ ଆସିଥିଲେ । ରାସ୍ତା ପାର ହେଉଥିବା ବେଳେ ୧୧ କେଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ମୃତ୍ୟୁ ବରଣ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାରେ ବନବିଭାଗ ସେସୁକୁ ଦାୟୀ କରିଥିଲା ।

ଏହି ଘଟଣାରେ ନଭେମ୍ବର ୩୦ ତାରିଖରେ ଏନଜିଟିର ୪ ଜଣିଆ ଟିମ୍ ଢେଙ୍କାନାଳ ଗସ୍ତ କରି ଘଟଣାର ତଦନ୍ତ କରିଥିଲେ ।

Leave A Reply

Your email address will not be published.