Latest Odisha News

BREAKING NEWS

ହସ୍ପିଟାଲରେ ବିଲେଇ ଆତଙ୍କ, ବିପଦରେ ନବଜାତ ଶିଶୁ

ଜବଲପୁର: କୁହାଯାଏ ଡାକ୍ତରଖାନା ହେଉଛି ରୋଗୀଙ୍କ ପାଇଁ ସଂଜୀବନୀ ସ୍ଥଳୀ । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଲୋକେ କିନ୍ତୁ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି । ସେମାନଙ୍କ ଭୟ ପଛରେ ଏକ ବିଲେଇ କାରଣ ସାଜିଥିଲାବେଳେ ବିପଦରେ ପଡିଛି ନବଜାତ ଶିଶୁଙ୍କ ଜୀବନ ।

ଜବଲପୁର ସରକାରୀ ହସ୍ପିଟାଲରେ ମାତ୍ର ଗୋଟିଏ ସପ୍ତାହରେ ଦୁଇଦୁଇଟି ନବଜାତ ଶିଶୁଙ୍କୁ ଏକ ବିଲେଇ ଆକ୍ରମଣ କରି ଗୁରୁତର କରିଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ବିଲେଇଟି ନଖରେ ଆକ୍ରମଣ କରି ଶିଶୁମାନଙ୍କୁ ଆହତ କରିଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଶେଷରେ ଡାକ୍ତରଖାନା କର୍ତ୍ତୃପକ୍ଷ ବିଲେଇକୁ ଧରିବା ପାଇଁ ବନ ବିଭାଗର ସହୟତା ଲୋଡିଛନ୍ତି ।

ହସ୍ପିଟାଲରେ ବିଲେଇ ଆକ୍ରମଣକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଥିଲାବେଳେ ଗର୍ଭବତୀ ମହିଳା ଓ ତାଙ୍କ ସଂପର୍କୀୟ କୋକୁଆ ଭୟରେ ରହିଛନ୍ତି । ଏପରକି ବିଲେଇ ଆକ୍ରମଣ ପାଇଁ ହସ୍ପିଟାଲ ଆସିବାକୁ ବି କୁଣ୍ଠାବୋଧ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ ଗୁରୁବାର ଜଣେ ମହିଳା ନିଜ ନବଜନ୍ମିତ ଶିଶୁକୁ କ୍ଷୀର ଦେଉଥିଲାବେଳେ ବିଲେଇ ଆକ୍ରମଣ କରିଥିଲା । ସେହିଭଳି ଗତକାଲି ମଧ୍ୟ ଏକ ନବଜାତ ଶିଶୁକୁ ବିଲେଇ ଆକ୍ରମଣ ଖବର ସାମ୍ନାକୁ ଆସିଥିଲା । ଏକ ସାଧାରଣ ବିଲେଇ ଡାକ୍ତରଖାନାରେ ଆତଙ୍କ ସୃଷ୍ଟି କରିଥିଲାବେଳେ ତାକୁ ଧରିବା ପାଇଁ ହସ୍ପିଟାଲରେ ମୁତୟନ ହୋଇଛନ୍ତି ବନ ବିଭାଗ କର୍ମଚାରୀ ।

Leave A Reply

Your email address will not be published.