କବିତା: ସମୟର କବର ତଳେ…….

ସାଧନା ପଣ୍ଡା 

ଆୟୁଷର କଅଁଳ ଡେଣାରେ
ସମୟ ଅଜାଡି ଦିଏ
କୁଢ କୁଢ ମୃତ୍ୟୁ ର ଅଙ୍ଗାର ,
କହି ହୁଏନା ଶେଷ କେଉଁଠି !
ଏଇ ତ ଆରମ୍ଭ ମାତ୍ର
ବଞ୍ଚିବାର କୁହେଳି ଭିତରେ
ଅନ୍ଧାରରେ ଦେଖେ ଆଜି
ଆପଣାର ମୁହଁ ଆଉଥରେ ……
ଆରମ୍ଭେ ସେଇଠି ….. !!

ବନ୍ଦୀ ସେ ଚିରକାଳ
ଏଇ ସମୟର କବର ତଳେ
ଧୂଆଁଳିଆ ସଞ୍ଜ ବେଳେ…..
ମୃତ୍ୟୁର ଗଜଲ୍ ଗାଇବା ହିଁ ସାର
ଚାରିଆଡେ ଦୁଃଖ- କୁହୁଡି ରାଜୁତି
କେହି ବୁଝେନା କାହା ହୃଦୟର କଥା
କିଏ ବା ବୁଝିବ କହ
ଏଇ ଉଦୁଉଦିଆ ଖରାବେଳେ ର ବ୍ୟଥା ??
ସବୁ ମିଳେଇ ଯାଏ
ସମୟ ର ଖୋଳପା ଭିତରେ …..!

ଖୋଜୁଛି ସେ ସାରା ଜୀବନ
ତା’ କବର ର ଠିକଣା
ନେଇଛି ସମାଧି ,
ନା ଗଣି ପାରୁଛି ସମୟ ର ଢେଉ…
ନା ଭିଜି ପାରୁଛି ଜୋଛନାରେ …
ନା ଚାହିଁ ପାରୁଛି ଉତ୍ତପ୍ତ ସୂର୍ଯ୍ୟଙ୍କୁ..
ବିଶାଳ ଯେ ପରିଧି….. !

ଉଦାଶ ଆକାଶକୁ ଚାହିଁ
ଦେଖେ ଯେବେ ତାରାଙ୍କୁ
ପାଦତଳେ ମାଟି ଧସେଇ ଯାଏ
ତଳକୁ …….ଆହୁରି ତଳକୁ .. !
ହେମାଗ୍ନି ର ଧୂଆଁଧାରେ
ବଳକା ଆୟୁଷ ର ବିସ୍ତୃତ ପରିଧି !
ଆହୁତ ଆତ୍ମାର ସ୍ତବ୍ଧତା
ଆକଳନ କରେ ସ୍ଥିତି …. !

ଛାତିର ଭଗ୍ନାଂଶରେ ଛୁଇଁ ଯାଏ
ଅନ୍ତରଂଗତା ର ସ୍ୱର ,
ସମୟ ସରିଯିବା ପରେ
ଛାଇଯାଏ ବିଷାଦର କବର …. !