Latest Odisha News

BREAKING NEWS

ସମ୍ପତ୍ତି ପାଇଁ ମହାଭାରତ; ବାପ, ପୁଅ, ବୋହୂ ଗୁରୁତର

ଖଲ୍ଲିକୋଟ: ସମ୍ପତ୍ତି ଭାଗ ଆଗରେ ତୁଚ୍ଛ ହେଉଛି ସମ୍ପର୍କ। ସମ୍ପତ୍ତି ପାଇଁ ହଣାହଣି ହେଉଛନ୍ତି ସମ୍ପର୍କୀୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ।

ସୂଚନାନୁସାରେ, ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ପ୍ରଥମେ ମାରପିଟ ପରେ ହଣାକଟା ହୋଇଛି । ଏଥିରେ ଗୋଟିଏ ପରିବାରର ବାପା, ପୁଅ ଓ ବୋହୂ ଗୁରୁତର ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ତଥ୍ୟ ଅନୁଯାୟୀ,ଏହି ଗ୍ରାମର ରାମ ତରେଇ ଓ ବିନୋଦ ତରେଇ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଶତୃତା ଲାଗି ରହିଥିଲା। ଶନିବାର ରାତିରେ ଏହା ଉଗ୍ର ରୂପ ଧାରଣ କରିଥିଲା ।

ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ରାମ ତରେଇ, ପୁଅ ଲିଙ୍ଗରାଜ ଓ ବୋହୂ ଶିବାନୀ ଗଭୀର ଆହତ ହୋଇଛନ୍ତି।

ଗ୍ରାମବାସୀମାନେ ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି ।

Comments are closed.