ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଏସ୍. ମୂରଲୀଧରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ତାରିଖରେ ସେ ଶପଥ ନେବେ । ରାଜଭବନ ପରିସରରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଜଷ୍ଟିସ ଏସ୍. ମୂରଲୀଧର ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।
ପଞ୍ଜାବ ହରିଆନା ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ ଏସ ମୂରଲୀଧର । ୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୟୁନିଭର୍ସିଟି ଅଫ ମାଡ୍ରାସରୁ ଆଇନ ଶିକ୍ଷା ଶେଷ କରିବା ପରେ ୧୯୮୪ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ ।
୧୯୮୭ରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ କରିଥିଲେ । ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ଭାବେ ଅନେକ ମାମଲାର ପରିଚାଳନା କରିଥିଲେ ଜଷ୍ଟିସ ଏସ୍. ମୂରଲୀଧର । ନାସନାଲ ହ୍ୟୁମାନ ରାଇଟ୍ସ କମିଶନ ଓ ଇଲେକ୍ସନ କମିଶନ ଅଫ ଇଣ୍ଡିଆର କାଉନସେଲ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
୨୦୦୨ରୁ ୨୦୦୬ ମସିହା ଯାଏ ସେ ଥିଲେ ଲ’ କମିଶନ ସଦସ୍ୟ । ୨୦୦୬, ମେ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୦, ମାର୍ଚ୍ଚ ୬ ତାରିଖରୁ ସେ ଥିଲେ ପଞ୍ଜାବ ହରିଆନା ହାଇକୋର୍ଟରେ ବିଚାରପତି ।
Comments are closed.