Latest Odisha News

ନାବାଳିକା ଶିଶୁ ପ୍ରସବ ଘଟଣା: ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଲା ‘ଏନଏଚଆରସି’

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀ ଶିଶୁ ପ୍ରସବ କରିବା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ସୋମବାର ଦିନ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରାଜ୍ୟ ସରକାରଙ୍କଠାରୁ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନଏଚଆରସି ପକ୍ଷରୁ ନୋଟିସ ସେହିଦିନ ଆସିଲା ଯେଉଁଦିନ ରାଜ୍ୟର ବିରୋଧିଦଳଗୁଡ଼ିକ ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନେଇ ସ୍ୱର ଉତ୍ତୋଳନ କରୁଥିଲେ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଜି ସକାଳେ ନବଜାତକ ଶିଶୁଟିର ମୃତ୍ୟୁ ଘଟିଛି ।
ଏସମ୍ପର୍କରେ ଏନଏଚଆରସି ଉଲ୍ଲେଖ କରିଛନ୍ତି, ଗଣମାଧ୍ୟମରେ ପ୍ରକାଶିତ ଖବରର ରିପୋର୍ଟ ଅନୁଯାୟୀ ଯଦି ଏହା ସତ୍ୟ ହୋଇଥାଏ ତେବେ ବିଦ୍ୟାଳୟ ପ୍ରଶାସନର ସମ୍ପୂର୍ଣ୍ଣ ଅବହେଳା ତଥା ଯୋଗୁଁ ନାବାଳିକାଟିର ମାନବାଧିକାର କ୍ଷୁର୍ଣ୍ଣ ହେବା ଦର୍ଶାଉଛି ।

“ଆବାସିକ ବିଦ୍ୟାଳୟରେ ଅବସ୍ଥାନ କରୁଥିବା ଛାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତା ଲାଗି ରାଜ୍ୟ ହିଁ ଦାୟୀ । ଏଥିରୁ ଏହା ସ୍ପଷ୍ଟ ଯେ, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ୱାର୍ଡ଼ନ ଗରିବ ଝିଅଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, କାରଣ ସେ ସେମାନଙ୍କ ହେପାଜତରେ ରହିଥିବା ବେଳେ ତାକୁ ସାମାଜିକ କଳଙ୍କର ସାମ୍ନା କରିବାକୁ ପଡ଼ିଲା,” ମାନବାଧିକାର କମିଶନ ଏହା ଉଲ୍ଲେଖ କରି କହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଆଧାରକୁ ଭିତ୍ତି କରି ଏନଏଚଆରସି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ବର୍ଗର ବିବରଣୀ ମାଗିଛନ୍ତି ।

Comments are closed.