Latest Odisha News

BREAKING NEWS

ଚାଷୀ ସଙ୍ଗଠନକୁ ଦୋଷ ଦେଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଚାଷୀ ନେତାଙ୍କୁ ଦାୟୀ କଲେ ଦିଲ୍ଲୀ ପୋଲିସ କମିଶନର । ହିଂସା ପାଇଁ ଚାଷୀନେତା ଦାୟୀ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ରାଜିନଥିଲା ପୋଲିସ । କିନ୍ତୁ ଚାଷୀ ନେତାମାନେ ଜିଦ୍ ଧରିବାରୁ ୫ ରାଉଣ୍ଡର ଆଲୋଚନା ହୋଇଥିଲା ।

ସିଂଘୁ, ଟିକିରି ଓ ଗାଜିପୁରର ନିର୍ଦ୍ଧିଷ୍ଟ ରୁଟରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ରାଲି କରିବେ ବୋଲି ଚାଷୀ ନେତା ପ୍ରତିଶ୍ରୁତି ଦେଇଥିଲେ । ସେହିପରି ରାଲିରେ ୫ ହଜାରରୁ ଅଧିକ ଟ୍ରାକ୍ଟର ସାମିଲ ହେବନାହିଁ ବୋଲି କହିଥିଲେ । କୌଣସି ପ୍ରକାର ଅସ୍ତ୍ରଶସ୍ତ୍ରକୁ ରାଲି ବେଳେ ବାରଣ କରାଯାଇଥିଲା । ଆଲୋଚନା ଅନୁସାରେ ଚାଷୀ ନେତା ଅଣ୍ଡରଟେକିଂ ମଧ୍ୟ ଦେଇଥିଲେ । କିନ୍ତୁ ଟ୍ରାକ୍ଟର ରାଲି ବେଳେ ସବୁ ନିୟମକୁ ଉଲ୍ଲଂଘନ କରାଗଲା ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ସେହିପରି ଟ୍ରାକ୍ଟର ରାଲିର ନେତୃତ୍ବ ଚାଷୀ ନେତା ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଟ୍ରାକ୍ଟର ରାଲି ବେଳେ ଆତଙ୍କ ସୃଷ୍ଟିକାରୀଙ୍କୁ ଆଗକୁ ଛାଡିଦେଲେ । ଚାଷୀ ନେତାମାନେ ଉତ୍ତେଜନା ପ୍ରବଣ ଭାଷଣ ଦେଇ ଆଇନ୍ ଭାଙ୍ଗିଲେ ।

ହିଂସା ପାଇଁ ସତନାମ ସିଂହ ପାନୁ ଓ ଦର୍ଶନ ପାଲ ସିଂହଙ୍କ ନାଁ ନେଇଛନ୍ତି ପୋଲିସ କମିଶନର । ହିଂସାକାଣ୍ଡରେ ୩୯୪ ଜଣ ପୋଲିସ କର୍ମୀ ଆହତ ହୋଇଥିବା ବେଳେ, ଅନେକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ହିଂସାରେ ୩୦ ପୋଲିସ ଗାଡ଼ି ଓ ୬ଟି କଣ୍ଟେନର ଭାଙ୍ଗିଛି । ଘଟଣାରେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୫୦ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଯେଉଁମାନଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର ।

Leave A Reply

Your email address will not be published.