Latest Odisha News

BREAKING NEWS

‘ଜଗଦୀଶ କଥା ସମ୍ମାନ’ ପାଇବେ କଥାକାର ନିବାରଣ ଜେନା

ଜଗଦୀଶ କଥା ସମ୍ମାନ ପାଇବେ ନିବାରଣ ଜେନା

 ଶକ୍ତି ମହାନ୍ତିଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ 

ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍-ସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୧ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଏଥର ପ୍ରବୀଣ କଥାକାର ନିବାରଣ ଜେନା ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଫଳକ ଓ ଉପଢ଼ୌକନ ପ୍ରଦାନ କରାଯିବ। ସମୟ ଓ ସମାଜର ନିଚ୍ଛକ ସତକଥା ବର୍ଣ୍ଣିବାରେ ଜଣେ ଦକ୍ଷ କଥାକାର ହେଉଛନ୍ତି ନିବାରଣ ଜେନା। ମା, ମାଟି, ଗାଁ, ପରିଜନ ଓ ଅତୀତର ସ୍ମୃତି ପ୍ରତି ତାଙ୍କର ଯେତିକି ମମତ୍ୱ, ମଣିଷର ସଂଗୁପ୍ତ ଜଟିଳ ମାନସିକତା, ଯୌନଲିପ୍‍ସା, ଦ୍ୱୈତବ୍ୟକ୍ତିତ୍ୱ, ସଂପର୍କର ନୂତନ ପରିଭାଷା ଓ ସମାଜର ଅନ୍ଧାରୀ ରହସ୍ୟକୁ ନିର୍ଭୀକ ଓ ନିଚ୍ଛକ ଭାବେ ଦର୍ଶାଇବାରେ ସେ ସେତିକି ପାରଦର୍ଶୀ। ଅରଣ୍ୟର ଅଜଗର, ନିଜ ଲୋକମାନେ, ଦେହର ଦୋହା, ମେଘମୋହ, ପ୍ରିୟପରିଜନ, ବିଶ୍ୱାସର ଭୂମି, ବାପାଙ୍କ ଶେଷହସ, ସୁନିର୍ବାଚିତ ଗଳ୍ପ, ଆଉକିଛି କଥା ଆଦି ଗଳ୍ପ ସଂକଳନ ଏବଂ ଅହଲ୍ୟା ଡାକେ ଆ, ଶଂଖେ ସମୁଦ୍ର, କେତେଦିନକୁ ମନ, ବାଷ୍ଟାର୍ଡ, ଏମିତି ବାପାମାନେ, ଅଞ୍ଜଳି ବଂଚିଛି, ହାୟ ନାଟୁ ସୋରେନ୍‍, ପରକୀୟା, ମିଛ ସଂପର୍କ, ସଂତ୍ରାସ ଆଦି ଦଶଟି ଉପନ୍ୟାସ ପ୍ରକାଶିତ। ‘କଥାସାହିତ୍ୟର ଦିଗ୍‍ଦର୍ଶକ: ଜଗଦୀଶ ମହାନ୍ତି’ ଏବଂ ‘ଶହେ ଦଶବର୍ଷର ଗଳ୍ପ ଓ ଗାଳ୍ପିକ’ ଶୀର୍ଷକ ଦୁଇଟି ଆଲୋଚନା ପୁସ୍ତକର ମଧ୍ୟ ସେ ସ୍ରଷ୍ଟା।

ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି କବି ଓ କଥାକାର ଶକ୍ତି ମହାନ୍ତି। ପୁଣି ବର୍ଷା, ସୀମାହୀନ, ଲଘୁଚାପ, ଇଥର୍‍ ବୋଲି କିଛିନାହିଁ ଆଦି କବିତା ସଂକଳନ ଏବଂ ଅର୍ଦ୍ଧସତ୍ୟ, ସିଲହଟ୍‍ରେ ସକାଳ, ରେଖା ନଥିବା ହାତ ଓ ସମୟକୁ ନାୟକ କରି ଆଦି ଉପନ୍ୟାସ ପ୍ରକାଶିତ। ଟାଇମପାସ୍‍ ବୁକର ପୁରସ୍କାରପ୍ରାପ୍ତ ‘କ୍ୟାସିନୋ’ ତାଙ୍କର ପ୍ରଥମ ଗଳ୍ପ ସଂକଳନ।

୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ କଥାକାର ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ, ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇସାରିଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ, ବିରଜା ରାଉତରାୟ ଓ ରାଜେନ୍ଦ୍ର କୁମାର ରାଉଳ।

ଆଗାମୀ ୧୭ ଫେବୃଆରୀରେ ଭୁବନେଶ୍ୱରର ହୋଟେଲ୍‍ କେଶରୀଠାରେ ଆୟୋଜିତ ହେବାକୁଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ବିଶିଷ୍ଟ କଥାକାର ଦାଶ ବେନହୁର, ପବିତ୍ର ପାଣିଗ୍ରାହୀ ପ୍ରମୁଖ ବରେଣ୍ୟ ଅତିଥିଙ୍କ ଗହଣରେ ପ୍ରତିଭାଦ୍ୱୟଙ୍କୁ ପୁରସ୍କୃତ କରାଯିବ। ଏହି ଅବସରରେ ଜଗଦୀଶ ମହାନ୍ତିଙ୍କ ରଚନା ସଂପର୍କୀତ ଆଲୋଚନା, ଗଳ୍ପପାଠ ଆଦି ଆୟୋଜିତ ହେବ। ଉକ୍ତ ଉତ୍ସବରେ ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଯୋଗଦେବାକୁ ଟ୍ରଷ୍ଟ୍‍ର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.