Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା

ବାରିପଦା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା । କେନ୍ଦ୍ରମନ୍ତ୍ରୀ ଜାତି ଉଠାଇ ଆକ୍ଷେପ କରିବା ତଥା ସର୍ବସାଧାରଣରେ ସମ୍ମାନହାନୀ ଭଳି କଥା କହିବା ଅଭିଯୋଗ କରି ସାଂସଦ ଶ୍ରୀ ହାଁସଦା ଏବେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ବାରିପଦାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ନେଇ ଦେଇଥିବା ବୟାନ ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହିତ ମାନହାନି ମୋକଦ୍ଦମା କରିବାକୁ ସାଂସଦ ରାମଚନ୍ଦ୍ର ହାଁସଦା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ମଧ୍ୟ ଦେଇଥିଲେ ।

ଏନେଇ ଏମ୍‌ପି ରାମଚନ୍ଦ୍ର ହାସଁଦା  ପୂର୍ବରୁ ବାରିପଦା ଟାଉନ ଥାନାରେ  ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ସୋମବାର  ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ମଧ୍ୟ ଏହି ମାମଲାର ତଦନ୍ତ  ପାଇଁ  ପୋଲିସ ନିକଟକୁ ପଠାଇଛନ୍ତି ।

ଜାନୁଆରୀ ୫ ତାରିଖରେ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ସଭାରେ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କ ଉଦ୍ଦେଶ୍ୟରେ ଚିଟଫଣ୍ଡ୍ ଦୁର୍ନୀତି ଯୋଗୁଁ ଆଦିବାସୀ ସାଂସଦ ଜେଲରେ ରହିଥିବା କଥା ଅଭିଯୋଗ କରିଛନ୍ତି ସାଂସଦ ରାମଚନ୍ଦ୍ର ହାଁସଦା । ଏନେଇ ଏମ୍‌ପି ଜାନୁଆରୀ  ୬ ତାରିଖରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ କହିଥିଲେ ।  ସେ ପୂର୍ବରୁ ବାରିପଦା ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ହେଲେ  ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗତକାଲି ଅର୍ଥାତ୍ ସୋମବାର ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ କୋର୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ୧୪ ଜଣ ସାକ୍ଷୀଙ୍କ ଦସ୍ତଖତ ଏବଂ ଉକ୍ତ ଦିନରେ ତାଙ୍କୁ ଆକ୍ଷେପ କରି କୁହାଯାଇଥିବା  ମନ୍ତବ୍ୟର  ଭିଡିଓ ରେକଡିଂଙ୍କୁ ଆଧାର କରି ଏକ ମାନହାନି ମାମଲା କରିଥିଲେ। ଏହାସହ ଆଟ୍ରୋସିଟି ଆକ୍ଟରେ ଏକ ମାମଲା ଦାଏର କରିଛନ୍ତି।  କୋର୍ଟ ପକ୍ଷରୁ ୧ସିସି କେସ ନଂ ୧/୧୯ ଦଫା ଅଣ୍ଡର ସେକ୍କସନ (୩)(୧)(ଆର)(ୟୁ)(୨)(୩) ଏସସି,ଏସଟି,ପିଏ ଆକ୍ଟ ୧୯୮୯ ଅଣ୍ଡର ସେକ୍ସନ ୪୯୯/୫୦୦/୫୦୪ ଆଇପିସି ୧୮୬୦ରେ ମାମଲା ଦାଏର ହୋଇଛି ।

ଏମ୍‌ପି ହାଁସଦାଙ୍କ କହିବା ମୁତାବକ ଗତ ୫ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବାରିପଦା  ପୋଲିସ ହାଇସ୍କୁଲ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ତଥା ଲୋକାର୍ପଣ ସମାରୋହକୁ ନିମନ୍ତ୍ରିତ କରିଥିଲେ। ଏବଂ ସେ ମଧ୍ୟ ସେହି  ଉତ୍ସବରେ  ଯୋଗଦେଇଥିଲେ। ହେଲେ ଛଉ ପଡ଼ିଆଠାରେ ସାଧାରଣ ସଭାରେ ମୟୂରଭଞ୍ଜ ଜିଲାବାସୀଙ୍କ  ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ  ପ୍ରଧାନ ତାଙ୍କୁ ଦୁର୍ନୀତିଗସ୍ତ ସାଂସଦ ଭାବେ ଚିତ୍ରଣ କରିବା ସଙ୍ଗେ ସଙ୍ଗେ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ମଧ୍ୟ କଟୁ ଶବ୍ଦ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ କରିଥିଲେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ।

ଏହାଛଡ଼ା କେନ୍ଦ୍ର ସରକାର ତାଙ୍କ ବିରୋଧରେ ଚକ୍ରାନ୍ତ କରି ସିବିଆଇ ଲଗାଇ ମାମଲା ରୁଜୁ କରିଛି ଏବଂ ତାଙ୍କ ବିରୋଧରେ ହୋଇଥିବା ଚିଟ୍‌ଫଣ୍ଡ ମାମଲା ଅଦାଲତରେ ଏବେ ବି ବିଚାରାଧୀନ ରହିଛି ବୋଲି ଅଭିଯୋଗ କରିଥିଲେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା । ସାଂସଦ ହାଁସଦା ଅଭିଯୋଗ କରି କହିଥିଲେ ସିବିଆଇ ଜାଣିଶୁଣି ମାମଲାର ବିଚାରକୁ ଶୀଘ୍ର କରାଇ ଦେଉନାହିଁ । ବିଚାର ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଓ ବିଶ୍ୱାସ ରହିଛି ।

ଏପରିକି ଯେ ପର୍ଯ୍ୟନ୍ତ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ ବୋଲି କୋର୍ଟରେ ମାମଲା ରୁଜୁ କରିସାରିବା ପରେ ଗଣମାଧ୍ୟମକୁ ଏହି ମନ୍ତବ୍ୟ ଦେଇଛନ୍ତି  ଏମ୍‌ପି ହାଁସଦା ।

Leave A Reply

Your email address will not be published.