Latest Odisha News

BREAKING NEWS

ସକ୍ରିୟ ରାଜନୀତିରେ ପାଦ ଥାପିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରବେଶକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗାନ୍ଧୀ ପରିବାରର ଲଳନା ପ୍ରିୟଙ୍କା ଆନୁଷ୍ଠାନିକ ଭାବେ ବୁଧବାର ଦିନ ସକ୍ରିୟ ରାଜନୀତିରେ ପାଦ ଥାପିଛନ୍ତି।

ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରବେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ଏହାବ୍ୟତୀତ ରାଜନୀତି ବିଶାରଦମାନେ ଏହାକୁ କଂଗ୍ରେସ ତଥା ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗେମ୍ ଚେଞ୍ଜର ପ୍ଲାନ ବୋଲି ମଧ୍ୟ ବିବେଚନା କରିଛନ୍ତି ।

କଂଗ୍ରେସ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ପ୍ରିୟଙ୍କାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ପାଇଁ ଏଆଇସିସିର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ଫେବୃଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ପ୍ରିୟଙ୍କାଙ୍କ ରାଜନୀତିରେ ପାଦ ଥାପିବାକୁ ନେଇ ରାଜନୈତିକ ମାହୋଲ ପୂରାପୂରି ସରଗରମ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି । ସେ ରାଏବରେଲି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପାଇଁ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଆଇସିସିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଗୁଲାମନବୀ ଆଜାଦଙ୍କୁ ହରିଆନା ପାଇଁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.