Latest Odisha News

BREAKING NEWS

ଭୁବନେଶ୍ବରେ ପ୍ରତିଷ୍ଠା କରାଯାଉ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନର ଏକ କେନ୍ଦ୍ର, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ଵର: ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି । ଏଥିମଧ୍ୟରୁ ଗୋଟିଏ କେନ୍ଦ୍ର ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ବର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି । ତେଣୁ ଦେଶରେ ୪ଟି ସ୍ଥାନରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ହୋଇଥିବା ଘୋଷଣା ମଧ୍ୟରେ ଭୁବନେଶ୍ବରକୁ ସ୍ଥାନ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

କରୋନା ମହାମାରୀ ମୁକାବିଲାରେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେଣୁ ଆଗାମୀ ଦିନରେ ଭାଇରସ ବିରୋଧରେ ମଣିଷର ଲଢ଼େଇ ଅଧିକ ବ୍ୟାପକ ହେବ । ଯେଉଁଥିପାଇଁ ଭାଇରସ ଉପରେ ଅଧିକରୁ ଅଧିକ ଗବେଷଣା ଆବଶ୍ୟକତା ରହିଛି ।  ଦେଶରେ ଅତିରିକ୍ତ ୪ଟି ସ୍ଥାନରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ସଂସଦରେ ଘୋଷଣା ହୋଇଛି  ।

ଏହାସହ ଭୁବନେଶ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ (ଆଇଏଲଏସ), ଆଇସିଏମଆର-ଆଂଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଂଟରନ୍ୟାସନାଲ ସେଣ୍ଟର ଫର୍ ଫୁଟ୍ ଏଣ୍ଡ  ମାଉଥ୍ ଡିଜିଜ୍ (ଆଇସିଏଆର- ଆଇସିଏଫଏମଡି) ଭଳି ବିଶ୍ବସ୍ତରୀୟ କେନ୍ଦ୍ର ଗୁଡିକ ରହିଛି । ତେଣୁ ଭୌଗଳିକ ଅବସ୍ଥିତି ସହ ଏଠାରେ ଦକ୍ଷତା ସଂପନ୍ନ ମାନବସମ୍ବଳ ଥିବାରୁ ଭୁବନେଶ୍ବର ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ କ୍ଷମତା ରଖିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଳେଖ କରିଛନ୍ତି  ।  ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହୋଇପାରିବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଳେଖ କରିଛନ୍ତି ।

Leave A Reply

Your email address will not be published.