Latest Odisha News

BREAKING NEWS

ସୂର୍ଯ୍ୟମୁଖୀ ଚାଷ କରିଛି ସ୍ବାବଲମ୍ବୀ, ଉଦାହରଣ ପାଲଟିଛନ୍ତି ତାଡମେରୁ ଗାଁ ଚାଷୀ

କନ୍ଧମାଳ:ଚାଷୀ ମୁହଁରେ ହସ ଦେଇଛି ସୂର୍ଯ୍ୟମୁଖୀ । ସୂର୍ଯ୍ୟମୁଖୀ ଚାଷ ପ୍ରତି ଏବେ କନ୍ଧମାଳରେ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଖଜୁରୀପଡା ବ୍ଳକ୍ ତାଡମେରୁ ଗାଁର କନ୍ଧ ସମ୍ପ୍ରଦାୟର ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି । ତାଡମେରୁ ଗାଁ ଆଜି ଜିଲ୍ଲାର ଅନ୍ୟ ଆଦିବାସୀ ଗାଁ ପାଇଁ ଉଦାହରଣ ସୃଷ୍ଟି କରିଛି । 

ଏହି ଗାଁର ଜଣେ ଚାଷୀ ସାରଥୀ ମଲିକ ଏକ ଏକର ଜମିରେ ସୂର୍ଯ୍ୟମୁଖୀ ଫସଲ କରିଛନ୍ତି । ଗତବର୍ଷ ଠାରୁ ସେ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଛନ୍ତି । ଗତବର୍ଷ ଅଧା ଏକର ଜମିରେ ଚାଷ କରିଥିଲେ । ସୂର୍ଯ୍ୟମୁଖୀ ଫସଲ ଭଲ ଦି ପଇସା ଲାଭ ହେବାରୁ ଚଳିତ ବର୍ଷ ସେ ଏକ ଏକର ଜମିରେ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ଫୁଲବାଣୀ ଆଇଟିଡିଏ ପ୍ରୋତ୍ସାହିତ କରିଥିଲା । ସୂର୍ଯ୍ୟମୁଖୀ ଫସଲ କରି ସାରଥୀ ଲାଭବାନ ହେବା ପରେ ତାଙ୍କୁଦେଖି ଗାଁର ଅନ୍ୟଚାଷୀମାନେ ମଧ୍ୟ ସୂର୍ଯ୍ୟମୁଖୀ ଫସଲ ଆରମ୍ଭ କରିଛନ୍ତି । 

ଚଳିତ ବର୍ଷ ଗାଁର ଦୟାନିଧି ମଲିକ, ବଳଭଦ୍ର ମଲିକ, କୃଷ୍ଣଚନ୍ଦ୍ର ନାଏକ, ଦାମୋଦର ନାଏକ, ନିରଞ୍ଜନ ମଲିକ, ଉପେନ୍ଦ୍ର ମଲିକ, ଦେବରାଜ ମଲିକ ପ୍ରମୁଖ ସୂର୍ଯ୍ୟମୁଖୀ ଫସଲ କରିଛନ୍ତି । ବର୍ତ୍ତମାନ ଏ ସମସ୍ତ ଚାଷୀଙ୍କ କ୍ଷେତରେ ସୂର୍ଯ୍ୟମୁଖୀ ଲହଡି ଭାଙ୍ଗୁଛି । ତେବେ ଗାଁ ପାର୍ଶ୍ବ ବେରଣା ନାଳ ଶୁଖିଯିବାରୁ ସୂର୍ଯ୍ୟମୁଖୀ ଚାଷ ପାଇଁ ସମସ୍ୟା ହୋଇଛି । ଏଥିପାଇଁ ଚାଷୀ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । 

ଦିନ ଥିଲା ଏହି ଗାଁର କନ୍ଧ ସମ୍ପ୍ରଦାୟର ଆଦିବାସୀ ନିକଟସ୍ଥ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ଯେବେଠାରୁ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଛନ୍ତି ସେବେଠାରୁ ସେମାନେ ସ୍ବାବଲମ୍ବୀ ହେବା ଶିଖି ପାରିଛନ୍ତି । 

Leave A Reply

Your email address will not be published.