Latest Odisha News

କ୍ଷମା ମାଗିଲେ ମଣ୍ଡିରୁ ଉଠିଯିବ ସବୁ ଧାନ !

ଭୁବନେ‌ଶ୍ୱର: ରାଜ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି । କିନ୍ତୁ, ବିଧାନସଭାରେ ଗୋଟିଏ ମାତ୍ର ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି । ପ୍ରସଙ୍ଗ ଚାଷୀ ଆଉ ମଣ୍ଡିରୁ ଧାନ ଉଠାଣ । ଏନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି । ସମସ୍ତ ଧାନ ଉଠାଯିବ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ବି ଦେଇଛନ୍ତି । ତଥାପି ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ଯାହାକୁ ନେଇ ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନରେ ବିରୋଧୀ ତୁମ୍ବିତୋଫାନ କରୁଥିବା ବେଳେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମାହୁତି ଧମକ ଦେଇଥିଲେ । ଆଉ ଗୃହରେ ସାନିଟାଇଜର୍ ପିଇବାକୁ ଉଦ୍ୟମ କରିଥିଲେ । ତେବେ ନାଟକ କଣ ପାଇଁ ?

ଯେଉଁମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଲୋକଙ୍କ ଦୁଃଖ ଲାଘବ କରିବାକୁ ବିଧାନସଭା ଭଳି ପବିତ୍ର ଗୃହକୁ ନିର୍ବାଚିତ ହୋଇଛନ୍ତି । ସେମାନେ କାହିଁକି ଲୋକଙ୍କ କଥା ଆଲୋଚନା ନକରି ତୁମ୍ବିତୋଫାନ, ହୋହଲ୍ଲାରେ ମାତିଛନ୍ତି । ମଣ୍ଡିରୁ ସବୁ ଚାଷୀଙ୍କ ଧାନ କେମିତି ଉଠିବ ସେନେଇ ପରାମର୍ଶ ଦେବା ପରିବର୍ତ୍ତେ ବିରୋଧୀ ହଟ୍ଟଗୋଳ କରୁଛନ୍ତି । ଅନ୍ୟପଟେ ବିରୋଧୀ ବିଧାୟକ ଦୁଇ ଦୁଇଥର ଆତ୍ମାହୁତି ଧମକ ଦେବାକୁ ନେଇ ଅକଳରେ ପଡ଼ିଛି ଶାସକ ଦଳ । ବିଜେଡି ଦାବି କରିଛି ଦେବଗଡ଼ ବିଜେପି ବିଧାୟକ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ।

ଏସବୁ ଦେଖିଲେ ଲାଗୁଛି ଆମ ଦ୍ୱାରା ନିର୍ବାଚିତ ହୋଇ, ଆମ କଥା ଓ ସମସ୍ୟା ଆଲୋଚନା ପାଇଁ ବିଧାନସଭାକୁ ଯାଇଥିବା ଜନ ପ୍ରତିନିଧି ନିଜ ନିଜ ସ୍ୱାର୍ଥ୍ୱ ଲାଗି ଲଢ଼ୁଛନ୍ତି । ଜନତା ପଛେ ସମସ୍ୟାରେ ଷଢ଼ୁଥାନ୍ତୁ, ନେତାଙ୍କ ନୀତିବାଣୀ ଚାଲିବା ନ୍ୟାୟରେ ବିଧାନସଭା ଚାଲିଛି । ପ୍ରକୃତରେ ମଣ୍ଡିରୁ କାହିଁକି ଧାନ ଉଠିପାରୁନାହିଁ ? ମଣ୍ଡିରେ ପଡ଼ି ରହିଥିବା ସବୁ ଧାନ କଣ ଚାଷୀଙ୍କର ? ପଡ଼ୋଶୀ ରାଜ୍ୟର ଦଲାଲ୍ ଗଳା ବାଟ ଦେଇ ମଣ୍ଡିରେ ଧାନ ଗଦାଇ ନାହାଁନ୍ତି ତ ? ଏସବୁ ପ୍ରଶ୍ନର ଉତ୍ତର କାହା ପାଖେ ନାହିଁ ।

ଯୋଗାଣ ମନ୍ତ୍ରୀ କହୁଛନ୍ତି- ଆମେ ସମସ୍ତ ଚାଷୀଙ୍କ ଧାନ କିଣିବୁ । ମାର୍ଚ୍ଚ ୩୧ ମଧ୍ୟରେ ଧାନ କିଣାଯିବ । ହେଲେ ଗ୍ରାଉଣ୍ଡରେ ଚାଷୀଙ୍କ ଅଭିଯୋଗ ଟୋକନ୍ ଦିଆଯାଉଛି ହେଲେ ମଣ୍ଡିରୁ ମିଲର ଧାନ କିଣୁନାହାଁନ୍ତି । ଚାଷୀଙ୍କ ଏଭଳି ଅଭିଯୋଗ ଶୁଣିବାକୁ କେହି ନଥିବା ବେଳେ ଅନେକ ସ୍ଥାନରେ ଚାଷୀ ରାସ୍ତାକୁ ଓହ୍ଲାଉଛନ୍ତି । କିନ୍ତୁ, ଚାଷୀଙ୍କ ଏହି ମୂଳ ସମସ୍ୟା ପ୍ରସଙ୍ଗରେ ନା ଗୃହରେ ଆଲୋଚନା ହେଉଚି ନା କୌଣସି ବିଧାୟକ ଏନେଇ କିଛି ମତ ରଖୁଛନ୍ତି । କେବଳ ମନ୍ତ୍ରୀ ଉତ୍ତର ଦେଉଛନ୍ତି ଜିଲ୍ଲାସ୍ତରରେ ସେସବୁର ତଦାରଖ ହେଉଛି । ଏସବୁ ଭିତରେ ଖାଲି ବଳି ପଡ଼ୁଛନ୍ତି ଚାଷୀ, ମଣ୍ଡିରେ ଗଜା ହେଉଛି ଧାନ ।

Leave A Reply

Your email address will not be published.