ଗୌହ୍ବାଟି : ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଇସ୍ତାହାର । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଇସ୍ତାହାର ଜାରି କରିଛନ୍ତି । ଇସ୍ତାହାରରେ ଦଳ କ୍ଷମତାକୁ ଆସିଲେ ୫ ଲକ୍ଷ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି । ଏହାସହ ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।
ଆସାମ ଗସ୍ତ ଅବସରରେ ମୋଦି ସରକାରଙ୍କ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । ଦେଶରେ ଦରଦାମ ବଢ଼ି ଚାଲିଥିବା ବେଳେ, କେନ୍ଦ୍ର ସରକାରଙ୍କର ଏଥିପ୍ରତି ଚିନ୍ତା ନାହିଁ । ସେହିପରି ଚାଷୀଙ୍କୁ ଅଣଦେଖା କରି ପୁଞ୍ଜିପତିଙ୍କୁ ପୋଷୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧୀ ଆସାମବାସୀଙ୍କ ଆହୁରି ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଆସାମରେ ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାର ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ସେହିପରି ଚା’ ବଗିଚା କର୍ମଚାରୀଙ୍କୁ ୩୬୫ ଟଙ୍କା ପ୍ରଦାନ ସାଙ୍ଗକୁ ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ । ତିନିଟି ପର୍ଯ୍ୟାୟରେ ଆସାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ମାର୍ଚ୍ଚ ୨୭ରେ ଏବଂ ଶେଷ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୬ ତାରିଖରେ ହେବ । ମେ ୨ ତାରିଖରେ ଭୋଟ ଗଣତି ହେବ ।
Comments are closed.