Latest Odisha News

ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ବ୍ରହ୍ମପୁରରୁ ଭେଲକାନୀ ଓ ତାଞ୍ଜୋର୍ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବରିଷ୍ଠ ନାଗରିକ ମାନେ ଆଜି ତୀର୍ଥଯାତ୍ରାରେ ବ୍ରହ୍ମପୁରରୁ ଭେଲକାନୀ ଓ ତାଞ୍ଜୋର୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ। ଏଥିସହିତ ସେମାନଙ୍କ ତୀର୍ଥଯାତ୍ରା ଆଶା ପୂରଣ କରିଥିବାରୁ ଏହି ବରିଷ୍ଠ ତୀର୍ଥଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

୨୦୧୬ ଜୁଲାଇରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧୦ଟି ଟ୍ରେନ୍‌ରେ ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଳପୁର, ବାଲେଶ୍ୱର, ଟିଟିଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ୍, ମଦୁରାଇ, ଆଲ୍ଳାବାଦ, ବାରଣାସୀ, ଋଷିକେଶ, ହରିଦ୍ୱାର, ଆଜମେର୍, ପୁଷ୍କର, ତିରୁପତି, ଭେଲୋର୍, ଶିରିଡ଼ି, ନାସିକ୍ ତ୍ରୟଂମ୍ବକେଶ୍ୱର, ଆଗ୍ରା, ଫତେପୁରସିକ୍ରି, ମଥୁରା ଆଦି ସ୍ଥାନକୁ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍‌ରେ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ପୁଲୱାମାରେ ସହିଦ ହୋଇଥିବା ସିଆରପିଏଫ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆହୁରି ମଧ୍ୟ ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ସଚିବ ଓ ପର୍ଯ୍ୟଟନ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.