ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇଚି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏହି ସମୟରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ।
କରୋନାର ଦ୍ୱିତୀୟ ଲହରରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟ, ଶ୍ରୀମନ୍ଦିର କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ଆଗକୁ ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଆଗକୁ ପଦକ୍ଷେପ ନେଇଛି ପ୍ରଶାସନ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲେ ବି ରଥ କାମ, ସ୍ନାନ ଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି କାମ ଜାରି ରହିବ । ନିୟମିତ ଭାବରେ ସେବାୟତ ପରିବାର ଏବଂ ମନ୍ଦିର ପ୍ରଶାସନ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷଣ କରାଯାଇ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ।
ଆସନ୍ତା ୧୫ ତାରିଖଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେବ ଜ୍ଝ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚୁପାଣ୍ଡଵଙ୍କ ଚଳିତବର୍ଷ ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ନା ଗତବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ସେସମ୍ପର୍କରେ ଆସନ୍ତା ୬ ତାରିଖ ଦିନ ଏକ ବୈଠକରେ ନିଷ୍ପତ୍ତି ନିଆଯିବ ।