Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରୁ ବିଦା ହେବେ ୨ ମନ୍ତ୍ରୀ?
ଲିଷ୍ଟରୁ କଟିଲା ନାଁ
କଟିବ କି କେନ୍ଦ୍ରମନ୍ତ୍ରୀ ଚୌକି?
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ନୂଆ ପ୍ରାର୍ଥୀ ତାଲିକା ଆସିବା ପରେ ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ବିଜେପି ୮ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ ଏଥିରେ ଦୁଇ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବି.ଏଲ୍. ବର୍ମାଙ୍କ ନାଁ ନାହିଁ। ବର୍ତ୍ତମାନ ହରଦୀପ ସିଂହ ପୁରୀ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି। ସେହିପରି ବି.ଏଲ୍. ବର୍ମା ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଦୁଇ ନେତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବର ୨୫, ୨୦୨୬ରେ ଶେଷ ହେଉଛି। ଏହାପରେ ମୋଦୀ କ୍ୟାବିନେଟରେ ବଡ଼ ବିସ୍ତାର ହୋଇପାରେ ବୋଲି ଚର୍ଚ୍ଚା ତୀବ୍ର ହୋଇଛି।
ପୂର୍ବରୁ ଜୁନ୍ ମାସରେ, ବିଜେପି ରଭନୀତ ସିଂହ ବିଟ୍ଟୁଙ୍କୁ ରାଜ୍ୟସଭା ଟିକେଟ୍ ଦେଇନଥିଲା, ଯେତେବେଳେ ଜର୍ଜ କୁରିଏନ୍ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଇସ୍ତଫା ଦେଇଥିଲେ । ସେବେଠାରୁ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁନର୍ଗଠନ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ଉଭୟ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟକାଳ ଜୁନ୍ ୨୧ ତାରିଖରେ ଶେଷ ହୋଇଥିଲା । ଆଉ ଏବେ ରାଜ୍ୟସଭା ଲିଷ୍ଟରେ ସମାନ ଢଙ୍ଗ ପୁଣି ଦୁଇ ମନ୍ତ୍ରୀଙ୍କ ଇସ୍ତଫାକୁ ଇନ୍ଧନ ଦେଇଛି ।
ନିୟମ ଅନୁସାରେ, କେନ୍ଦ୍ରମନ୍ତ୍ରୀ ହେବା ପାଇଁ ସଂସଦର ଯେକୌଣସି ଗୃହର ସଦସ୍ୟ ହେବା ଆବଶ୍ୟକ। ସମ୍ବିଧାନର ଅନୁଚ୍ଛେଦ ୭୫(୫) ଅନୁସାରେ, କୌଣସି ମନ୍ତ୍ରୀ ଲଗାତାର ୬ ମାସ ପର୍ଯ୍ୟନ୍ତ ସଂସଦର ସଦସ୍ୟ ନ ରହିଲେ ତାଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ତେଣୁ ପୁରୀ ଓ ବର୍ମାଙ୍କ ନା ଲିଷ୍ଟରୁ କଟିବା ପରେ ଏବେ ପ୍ରଶ୍ନ ଉଠିଛି, ସେମାନେ କ୍ୟାବିନେଟରେ ରହିବେ ନା ଇସ୍ତଫା ଦେବେ?
ହରଦୀପ ସିଂହ ପୁରୀ ୨୦୧୮ରେ ପ୍ରଥମଥର ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ। ପରେ ୨୦୨୦ରେ ସେ ପୁଣି ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ମୋଦୀ ସରକାରର ତୃତୀୟ ପାଳିରେ ତାଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା। ବି.ଏଲ୍. ବର୍ମା ମଧ୍ୟ ୨୦୨୦ରେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ ଏବଂ ବର୍ତ୍ତମାନ ସେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
ଅନ୍ୟପଟେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ପଦ ଖାଲି ଥିବାରୁ ଆଗକୁ ପୁନର୍ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏବେ ୧୨ଟି ପଦ ଖାଲି ଥିବା ଦାବି କରାଯାଉଛି। ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଖବର ମଧ୍ୟ ଚର୍ଚ୍ଚାରେ ରହିଛି। ତେଣୁ ଆଗକୁ କ୍ୟାବିନେଟରେ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ।
ତେବେ କେବଳ ପୁରୀ ଓ ବର୍ମା ନୁହନ୍ତି, ବିଜେପିର ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦ’ ନୀତିକୁ ନେଇ ପଙ୍କଜ ଚୌଧୁରୀ ଓ ହର୍ଷ ମାଲହୋତ୍ରାଙ୍କ ମନ୍ତ୍ରୀ ପଦ ଉପରେ ମଧ୍ୟ ଚର୍ଚ୍ଚା ଚାଲିଛି। କେନ୍ଦ୍ରମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ ପଙ୍କଜ ଚୌଧୁରୀଙ୍କୁ ୟୁପି ବିଜେପି ସଭାପତି ପଦ ମିଳିଥିବା ବେଳେ ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ସଭାପତି କରାଯାଇଛି।
ତେଣୁ ଏବେ ରାଜ୍ୟସଭା ଟିକେଟ୍ରୁ ପୁରୀ ଓ ବର୍ମାଙ୍କ ନାଁ ବାଦ୍ ପଡ଼ିବା ପରେ ସବୁଠୁ ବଡ଼ ପ୍ରଶ୍ନ, ନଭେମ୍ବର ପରେ କେନ୍ଦ୍ର ସରକାରରେ ଦେଖିବାକୁ ମିଳିବ କି ବଡ଼ କ୍ୟାବିନେଟ୍ ପରିବର୍ତ୍ତନ? ତା’ଉପରେ ଏବେ ସମସ୍ତଙ୍କ ନଜର।

