Latest Odisha News

BREAKING NEWS

କରୋନାରେ ଆଖିବୁଜିଲେ ଜଣାଶୁଣା ହେତୁବାଦୀ ରାଜା ସୁରେଶ

ବ୍ରହ୍ମପୁର: କୋରନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାଶୁଣା ହେତୁବାଦୀ ତଥା ପ୍ରଗତିଶୀଳ ବୁଦ୍ଧିଜୀବୀ ଇଂ ରାଜା ସୁରେଶ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଗତ ଏପ୍ରିଲ ୧୯ ତାରିଖରୁ ବ୍ରହ୍ମପୁର ସ୍ଥିତ ଅଶ୍ଵିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେ ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଓ ସର୍ବ ଭାରତୀୟ ସ୍ତରରେ ହେତୁବାଦୀ ସଂଗଠନମାନଙ୍କ ମିଳିତ ମଂଚ ଫେଡେରେସନ୍ ଅଫ୍ ଇଣ୍ଡିଆନ ରେସନାଲିଷ୍ଟ୍ ଏସୋସିଏସନସର ଜାତୀୟ ସମ୍ପାଦକ ଥିଲେ । ୧୯୫୬ ମସିହାରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ରାଜା ସୁରେଶ ଖଲ୍ଲିକୋଟ କଲେଜରୁ ଆଇଏସସି ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୟୁରୋପର ଚେକୋସ୍ଳୋଭାକିଆ ସ୍ଥିତ ପ୍ରାଗ୍ ୟୁନିଭରସିଟିରେ ମେକାନିକାଲ ଇଂଜିନିୟରିଂରେ ବିଟେକ୍ ଓ ଏମଟେକ୍ କରିଥିଲେ । ସେଠାରୁ ଫେରି ୧୯୮୪ ମସିହାରେ ସେ ଆସିକା ଚିନି ଶିଳ୍ପରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ସେଠାରୁ ଚିଫ୍ ଇଞ୍ଜିନିୟର ଭାବେ ଅବସର ନେବା ପରେ ନିଜକୁ ବିଭିନ୍ନ ସାମାଜିକ କାର‌୍ୟ୍ୟରେ ନିୟୋଜିତ କରିଥିଲେ ।
ସେ ରାଜ୍ୟ ତଥା ଦେଶର ଜଣେ ଜଣାଶୁଣା ହେତୁବାଦୀ ଥିଲେ । ଜୀବନର ଶେଷ ପର‌୍ୟ୍ୟନ୍ତ ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସ, ସାମ୍ପ୍ରଦାୟିକତା ଓ ଜାତି ତଥା ଲିଙ୍ଗଗତ ଭେଦଭାବ ବିରୋଧରେ ଏକ ସକ୍ରିୟ ଅଭିଯାନ ଚଳାଇଥିଲେ । ହେତୁବାଦ ବ୍ୟତୀତ ସେ ସହରର ତଥା ରାଜ୍ୟର ବିଭିନ୍ନ ସମସ୍ୟା ନେଇ ବି ସକ୍ରିୟ ଥିଲେ ।

ସେ ଜଣେ ନିୟମିତ ରକ୍ତଦାତା ଥିଲେ । ଜୀବନକାଳ ମଧ୍ୟରେ ସେ ୧୬୪ ଥର ରକ୍ତଦାନ କରିଛନ୍ତି । ତେବେ ମୃତ୍ୟୁ ପରେ ମେଡିକାଲ କଲେଜକୁ ନିଜର ଶରୀର ଦାନ କରିବାକୁ ସେ ଘୋଷଣା କରିଥିଲେ ହେଁ କୋଭିଡ୍ ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ।

ତାଙ୍କ ମୃତ୍ୟୁରେ ସମାଜ ବୈଜ୍ଞାନିକ ଚେତନାର ପ୍ରଚାର କରୁଥିବା ଜଣେ ସଂଗ୍ରାମୀଙ୍କୁ ହରାଇଲା ବୋଲି ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସଭାପତି ଇ. ତେଜେଶ୍ଵର ରାଓ, ସମ୍ପାଦକ କେ. ନନ୍ଦେଶୁ ସେନାପତି, ଡି ମୋହନ ରାଓ, କିଶୋର ଚନ୍ଦ୍ର ମିଶ୍ର, ଅଧ୍ୟାପିକା ରାଜବାଳା ତ୍ରିପାଠୀ ପ୍ରମୁଖ ମତ ଦେଇଛନ୍ତି । ।

Leave A Reply

Your email address will not be published.