Latest Odisha News

BREAKING NEWS

ଆଜି ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟା ‘ୟସ୍’ ଯିବ କୁଆଡ଼େ ?

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଲଘୁଚାପ ସାଇକ୍ଲୋନ ବା ବାତ୍ୟାର ରୂପ ନେବ । ବାତ୍ୟାର ନାଁ ରହିବ ୟସ ।

ବର୍ତ୍ତମାନର ମଡେଲ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି । ତେବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସମ୍ଭାବ୍ୟ ବାତ୍ୟା ୟସ ସ୍ଥଳଭାଗ ଛୁଇଁବ ସେନେଇ କୌଣସି ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ ।

ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପରେ ଚିତ୍ର ସ୍ପଷ୍ଟ ହେବ । ବାତ୍ୟା କେଉଁଆଡେ ଗତି କରିବ ? କେଉଁଠି କରିବ ଲାଣ୍ଡଫଲ୍ ? ଏହାର ତୀବ୍ରତା ଓ ପବନର ବେଗ କେତେ ରହିବ ? କେଉଁ କେଉଁ ଅଞ୍ଚଳରେ ଅଧିକ ପ୍ରଭାବ ପକାଇବ ? ସବୁ କିଛି ଆଜି ସ୍ପଷ୍ଟ ହୋଇଯିବ ।

ଏହାର ପ୍ରଭାବରେ ୨୫ ତାରିଖରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପରେ ଅଧିକ ବର୍ଷିବ ।

ସେହିପରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୨୪ ତାରିଖ ସନ୍ଧ୍ୟାଠାରୁ ଆରମ୍ଭ ହେବ ପବନ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଓ ଏହା ବଢ଼ି ୬୦ କିଲୋମିଟର ବି ଛୁଇଁପାରେ । ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୨୩ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିବା ଆସିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

Leave A Reply

Your email address will not be published.