Latest Odisha News

BREAKING NEWS

ୟାସ୍ ଯିବା ପରେ ପ୍ରଭାବିତ ବିପନ୍ନଙ୍କ ଥମୁନି ଦୁଃଖ….

ଭୁବନେଶ୍ୱର: ବାତ୍ୟା ପରେ ମାଟିରେ ମିଶିଛି ଚାଷ ଆଉ ବାସ । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଉଜୁଡି ଯାଇଛି ଘରଦ୍ୱାର। କିଛି ସ୍ଥାନରେ ପାଣି ଛାଡିଯାଇଥିବା ବେଳେ କିଛି ସ୍ଥାନରେ ପାଣି ଘେରରେ ରହିଛନ୍ତି ଲୋକମାନେ । ବାତ୍ୟା ସମୟରେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଥିଲା । ହେଲେ ସେଠାରୁ ସେମାନେ ଦେଖିଥିଲେ ନିଜ ଘର ଉଜୁଡି ଯିବାର ଚିତ୍ର ।

ରାତି ଅଧାରେ ମାଡି ଆସିଲା ସମୁଦ୍ର। ଆଉ ମାଟିରେ ମିଶାଇ ଦେଇଛି ଘର ଦ୍ୱାର। ଏବେ ଲୋକେ ଘରକୁ ଫେରୁଛନ୍ତି । ହେଲେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । କେନ୍ଦ୍ରାପଡା ରାଜନଗରରେ ବର୍ଷା ପବନ ନୁହେଁ ଜୁଆର ପାଣି ବେଶୀ କ୍ଷତି ଘଟାଇଛି । ଘରେ ପାଣି ପଶିବା ସହ କାନ୍ଥ ଭୁଷୁଡି ପଡିଛି । ସମୁଦ୍ର ଜୁଆର ବିପନ୍ନଙ୍କ ସ୍ୱପ୍ନ ଧୂଳିସାତ୍ କରି ଦେଇଛି । ଏବେ ସୁଦ୍ଧା ୫୦୦ର ଅଧିକ ଘର ଭାଙ୍ଗି ରୁଜି ପଡିଛି । ଭଙ୍ଗା ଘରେ କିଭଳି ଲୋକେ ରହିବେ କଣ ଖାଇବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ମାଟିରେ ମିଶିଯାଇଛି ଗରିବଙ୍କ ଚାଳ । ଉଜୁଡି ଯାଇଛି ଚାଷ ବାସ । ବାଲେଶ୍ୱର ଭଦ୍ରକର ଗାଁ ଗୁଡିକର ବେହାଲ ସ୍ଥିତି । ଗାଁ ଗରିବଙ୍କ ଚିତ୍ର ସମ୍ପୁର୍ଣ୍ଣ ବଦଳି ଯାଇଛି । ମାଟିରେ ମିଶିଯାଇଛି ଗାଁ ଘର । ପଡି ରହିଛି ଦରଭଙ୍ଗା କୋଠରୀ । କେବଳ ଘର ନୁହେଁ ଚାଷ ବାସ ବି ଉଜାଡି ଦେଇଛି ୟାସ୍ । ଜୀବନ ଜୀବୀକା ହରାଇ ବହୁ ଲୋକଙ୍କ ଦୁର୍ଦ୍ଦଶା ବଢି ଚାଲିଛି । ଚାଷ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଞ୍ଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରି ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ବୈତରଣୀ ନଦୀ ଦତ୍ତପୁର ଠାରେ ପୂର୍ବବର୍ଷ ହୋଇଥିବା ଘାଇ ସ୍ଥାନଟି ବନ୍ଧ ଧସିବାକୁ ଲାଗିଲାଣି । ଅରଡାଉଳିଆ, ଦିହୁଡି ସାହି ଠାରେ ବନ୍ଧ ଧସିଛି। କାଣୀ ନଦୀ କଣ୍ଟାପଡ଼ା ଠାରେ ମଧ୍ୟ ବନ୍ଧ ଧସିଛି। କେବେ ପାଣି ଛାଡିବ କେବେ ଏମାନଙ୍କର ଦୁର୍ଦ୍ଦଶା ଘୁଂଚିବ। ଏନେଇ କିଛି ସହାୟତା ଅପେକ୍ଷାରେ ରହିଛନ୍ତି ବିପନ୍ନ । .. …..

Leave A Reply

Your email address will not be published.