କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪
ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ ରୂପେ ଏହା ଆତ୍ମପ୍ରକାଶ କରୁଛି । ପ୍ରଥମ ସମ୍ପାଦକୀୟରେ ଉଲ୍ଲେଖ ଥିଲା: ଛାୟାଚିତ୍ର ନିର୍ମାଣ ଭାରତର ଅନ୍ୟତମ ବିରାଟ ଶିଳ୍ପ । ଚିତ୍ର ନିର୍ମାଣରେ ଭାରତର ଦ୍ୱିତୀୟ ସ୍ଥାନ ଅଧିକାର, ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଦ୍ରୁତ ପ୍ରଗତିର ପରିଚାୟକ । କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଆହୁରି ଏକ ବିରାଟ ସମସ୍ୟା ରୂପେ ରହିଛି । ଅତ୍ୟନ୍ତ କ୍ଷୋଭର ବିଷୟ ଏଇ ସମସ୍ୟାର ସମାଧାନ ଲାଗି ଆଜି ସୁଦ୍ଧା ଓଡ଼ିଶାବାସୀ ସଚେଷ୍ଟା ନୁହନ୍ତି । ତେଣୁ ବିଶାଳ ଉତ୍କଳର ପୁରପଲ୍ଲୀରେ ଚଳଚ୍ଚିତ୍ର କଳାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ଏଇ ଚିତ୍ର ଶିଳ୍ପ ପ୍ରତିଷ୍ଠା ଦିଗରେ ଉଦାସୀନ ଉତ୍କଳୀୟଙ୍କୁ ଉଦ୍ଦୀପନା ଦେବା ‘କଳାଶ୍ରୀ’ର ପ୍ରଧାନ କର୍ତ୍ତବ୍ୟ ।

ବ୍ରହ୍ମପୁର ‘ରୟାଲ୍ ପ୍ରେସ’ରେ ଛପା ଯାଉଥିଲା ‘କଳାଶ୍ରୀ’ । ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଉଥିଲା । କାର୍ଯ୍ୟାଳୟ ଠିକଣା ଥିଲା ବ୍ରହ୍ମପୁରର ମହୁରୀ ରାଜରୋଡ । ସମ୍ପାଦକ ଥିଲେ ଶିଶିର କୁମାର ପଟ୍ଟଦେବ, ପରିଚାଳକ ଥିଲେ ପ୍ରଭାତ କିରଣ ଦେବ ।  ଉଭୟେ ମହୁରି ରାଜପରିବାର ସଦସ୍ୟ ଥିଲେ । ଉଲ୍ଲେଖଯୋଗ୍ୟଯେ ୧୯୩୦ ମସିହାରେ   କୃପାସିନ୍ଧୁ ନରେନ୍ଦ୍ର ଦେବ ବ୍ରହ୍ମପୁରରେ ‘ରୟାଲ ପ୍ରେସ୍‌’ ପ୍ରତିଷ୍ଠା କରିଥିଲେ । ସେହି ବର୍ଷ ଏହି ପ୍ରେସରୁ ତାଙ୍କ ସମ୍ପାଦକତ୍ୱରେ ପ୍ରକାଶ ପାଇଲା  ସାପ୍ତାହିକ ସମ୍ବାଦ ପତ୍ରିକା ‘ନବୀନ’ । ସମ୍ବାଦ ସମେତ ଓଡ଼ିଶାର ତରୁଣ ଲେଖକ ଲେଖିକାଙ୍କ ଲେଖାକୁ ପ୍ରକାଶ କରି ‘ନବୀନ’ ଉତ୍ସାହ ପ୍ରଦାନ କରୁଥିଲା ଏବଂ  ପରବର୍ତ୍ତୀ ସମୟର ଅନେକ ପ୍ରତିଷ୍ଠିତ ସାହିତ୍ୟିକ ଏହି ପତ୍ରିକାରୁ ଲେଖକୀୟ ସ୍ୱୀକୃତି ପାଇଥିଲେ ।ମହୁରୀ ରାଜପରିବାର ପ୍ରୋତ୍ସାହନରେ ପ୍ରକାଶିତ ‘ନବୀନ’ ଦୀର୍ଘସ୍ଥାୟୀ ଥିଲା କିନ୍ତୁ ଚଳଚ୍ଚିତ୍ର ପତ୍ରିକା ‘କଳାଶୀ’ ଥିଲା କ୍ଷଣସ୍ଥାୟୀ । ୩୨ ପ୍ୟଷ୍ଠାର ଏହି ପତ୍ରିକାର ଦାମ ଥିଲା ଆଠଅଣା । ଯେହେତୁ ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ଥିଲା ମାତ୍ର ତିନି ଓ ନିର୍ମାଣ ସଂଖ୍ୟା ଥିଲା ନଗଣ୍ୟଏଣୁ ‘କଳାଶ୍ରୀ’ରେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରର ସମ୍ବାଦ ଅଧିକାଂଶରେ ପ୍ରକାଶିତ ହେଉଥିଲା । ଶିଳ୍ପୀ ପରିଚୟ ସ୍ତମ୍ଭରେ ସେହି ସମୟର ତାରକା ସମ୍ବନ୍ଧିତ ଆଲେଖ୍ୟ ସହିତ ହିନ୍ଦୀ ଚିତ୍ର ସମାଲୋଚନା, ଚିତ୍ର ଦୁନିଆର ହାଲଚାଲ, ପରଦାର ପଛପଟେ ଆଦି ରୋଚକ ସ୍ତମ୍ଭ ମଧ୍ୟ ‘କଳାଶ୍ରୀ’ରେ ସ୍ଥାନିତ ହେଉଥିଲା । ପତ୍ରିକାର ପ୍ରମୁଖ ଆକର୍ଷଣ ଥିଲା ‘ଚିନ୍ତାଧାରା’  ନାମକ ସ୍ତମ୍ଭ । ଏଥିରେ ତତ୍କାଳୀନ ଚଳଚ୍ଚିତ୍ରର ଧାରା ଓ ଶୈଳୀ ଉପରେ ଆଲୋକପାତ କରାଯାଉଥିଲା । ଏକ ଉଦ୍ଧୃତାଂଶରୁ ଏହା ସ୍ପଷ୍ଟ ହୋଇଯିବ:  ବିଦେଶୀ ଗଳ୍ପରୁ ଭାରତୀୟ ବାତାବରଣ ଦେଇ ଚିତ୍ର ନିର୍ମାଣ କରିବା ଭାରତରେ ବହୁତ ପୂର୍ବରୁ ଆଜି ପର୍ଯ୍ୟନ୍ତ ଚଳିଆସିଛି ।  ଉଦାହରଣ ସ୍ୱରୂପ ‘ଦି ମ୍ୟାଜିକ୍ ଫ୍ଲୁଟ୍‌’ ଅନୁକରଣରେ ‘ଖ୍ୱାବେ ହସ୍ତୀ’, ‘ଅଣ୍ଡର ଟୁ ଫ୍ଲାଗ୍ସ’ରୁ ‘ୱତନ୍‌’, ‘ସେଭେନ୍‌ଥ ହେଭେନ୍‌’ରୁ ‘ଏକ ହି ରାସ୍ତା’ ନିର୍ମାଣ ହୋଇଛି । ଏହିପରି ଭାବରେ ଆମ୍ଭର ନିର୍ମାତାଗଣ ବିଦେଶୀୟ ଚଳଚ୍ଚିତ୍ରକୁ ଭାରତୀୟ ବାତାବରଣ ଦେଇ ନିର୍ମାଣ କରିବାକୁ ଯାଇ ଅପମାନଜନକ ଭାବରେ ଫେଲ୍ ମାରନ୍ତି । ( କଳାଶ୍ରୀ, ପୂଜା ସଂଖ୍ୟା, ଅକ୍‌ଟୋବର ୧୯୫୧, ପୃଷ୍ଠା ୨୩) ।
‘କଳାଶ୍ରୀ’ ପତ୍ରିକାର ବିଶେଷ ପରିଚିତି ଥିଲା ଏହାର ପ୍ରଶ୍ନ ଉତ୍ତର ସ୍ତମ୍ଭ ପାଇଁ । ସ୍ତମ୍ଭର ନାମ ଥିଲା ‘ସମସ୍ୟାର ସମାଧାନ’ । ଏହି ପତ୍ରିକାରେ କବିତା ପାଇଁ ପୃଷ୍ଠାଟିଏ ରହୁଥିଲା । ଏହା ବ୍ୟତୀତ ଅନ୍ୟସବୁ ପୃଷ୍ଠା ଥିଲା ଚଳଚ୍ଚିତ୍ର ସମ୍ବନ୍ଧିତ । ତେବେ ଲୋକପ୍ରିୟ ହେବାକୁ ଯାଉଥିବାବେଳେ ହିଁ ‘କଳାଶ୍ରୀ’ର ମୃତ୍ୟୁ ହେଲା । ମାତ୍ର ଛଅଟି ସଂଖ୍ୟା ପ୍ରକାଶିତ ହୋଇଥିଲା । ଚଳଚ୍ଚିତ୍ରର ତୀକ୍ଷ୍ମ ସମାଲୋଚନାର ପ୍ରଥମ ପ୍ରକାଶନ ପାଇଁ ‘କଳାଶ୍ରୀ’ ସ୍ମରଣୀୟ ।
ଏହି ଲେଖା ସହ ସଂପୃକ୍ତ ହୋଇଛି ‘କଳାଶ୍ରୀ’ର ପ୍ରଥମ ବର୍ଷ ଦ୍ୱିତୀୟ ସଂଖ୍ୟାର ପ୍ରଚ୍ଛଦ ଛବି ଓ  ୧୯୫୧ ମସିହା ଜୁଲାଇ ଦ୍ୱିତୀୟ ସପ୍ତାହ ‘ନବୀନ’  ସମ୍ବାଦ ପତ୍ରିକାରେ ପ୍ରକାଶିତ ‘କଳାଶ୍ରୀ’ର ବିଜ୍ଞାପନର ଛବି ।