Latest Odisha News

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍ ମୁତୟନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ମୁତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ସଫଳତାର ସହ ହାସଲ କରିଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା ।

କଂପାନି ୮୦୦, ୧୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଥିଲା । ଏହି ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ଓଡ଼ିଶାରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମେତ ମୋଟ ୨୦ ମେଗାହର୍ଜ ଅତିରିକ୍ତ ସ୍ପେକ୍ଟ୍ରମ୍ ହାସଲ କରିଥିଲା ।

ଜିଓ ପକ୍ଷରୁ ସାରା ରାଜ୍ୟରେ ଥିବା ୧୦,୦୦୦ରୁ ଅଧିକ ନେଟ୍‌ୱର୍କ ସ୍ଥଳରେ ସମସ୍ତ ତିନି ପ୍ରକାରର ସ୍ପେକ୍ଟ୍ରମ୍ ମୂତୟନ ସମ୍ପୁର୍ଣ୍ଣ କରାଯାଇଛି । ଏଥି ସହିତ ଓଡ଼ିଶାରେ ବ୍ୟବହାର ଲାଗି ଜିଓ ପାଖରେ ଉପଲବ୍ଧ ଥିବା ମୋଟ ସ୍ପେକ୍ଟ୍ରମ୍ ୬୦ ମେଗାହର୍ଜରେ ପହଂଚିଛି ଯେଉଁଥିରେ ସାମିଲ ରହିଛି ୮୦୦ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ଲେଖାଏଁ ସ୍ପେକ୍ଟ୍ରମ୍ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ ।

ସଂପ୍ରତି ମହାମାରୀ ଯୋଗୁଁ ସୀମିତ ଗମନାଗମନ ଓ ଲକ୍‌ଡାଉନ୍ ସ୍ଥିତି ଦୃଷ୍ଟିରୁ ଏହା ହେଉଛି ଏକ ସମୟୋପଯୋଗୀ ଯୋଗଦାନ ଯାହା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ କରିପାରିବା ଏବଂ କର୍ମଚାରୀ ଓ ପେସାଦାରମାନଙ୍କୁ ୱାର୍କ-ଫ୍ରମ୍‌-ହୋମ୍‌ରେ କାମ କରିବା ସହ ସୁରକ୍ଷିତ ଭାବେ ଘରେ ରହି ନିରବଚ୍ଛିନ୍ନ ଭାବେ କାର‌୍ୟ୍ୟ ସମ୍ପାଦନ କରିବାରେ ସହାୟକ ହେବ ।

ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ପକ୍ଷରୁ ୫୭,୧୨୩ କୋଟି ଟଙ୍କା ମୂଲ୍ୟରେ ୨୦ ବର୍ଷ ଅବଧି ପାଇଁ ଦେଶର ୨୨ଟି ସର୍କଲ୍ ନିମନ୍ତେ ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ମୋଟ ୪୮୮.୩୫ ମେଗାର୍ହ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି । ଏହା ସହିତ ଜିଓ ଦେଶରେ ଏହାର ସ୍ପେକ୍ଟ୍ରମ୍ ଉପସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣି ୫୫% ବୃଦ୍ଧି ସହ ୧୭୧୭ ମେଗାହର୍ଜରେ ପହଂଚାଇଛି । ଭାରତରେ ଜିଓର ଏବେ ୪୨.୬ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ଏବଂ ସ୍ପେକ୍ଟ୍ରମ୍‌ରେ ବୃଦ୍ଧି ସହିତ ଜିଓ ପାଖରେ ନୂଆ ଓ ପୁରୁଣା ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ଲାଗି ଏକ ସୁଦୃଢ଼ ନେଟ୍‌ୱର୍କ ଦକ୍ଷତା ରହିବ ।

Comments are closed.