Latest Odisha News

BREAKING NEWS

ଆନ୍ତର୍ଜାତିକ ଅଭିଲେଖ ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ଆନ୍ତର୍ଜାତିକ ‘ଅଭିଲେଖ ଦିବସ’ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠୀ , ସମ୍ମାନନୀୟ ଅତିଥି ଭାବେ , ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ମୁଖ୍ୟବକ୍ତା ଭାବରେ ଓ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ।

ରାଜ୍ୟ ଅଭିଲେଖାଗାର ଅଧିକ୍ଷକ ଡ. ଶେଖ ସୋଲେମାନ ଅଲ୍ଲୀଙ୍କ ପ୍ରାରମ୍ଭିକ ଭାଷଣରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଭିଲେଖାଗାରକୁ ଇତିହାସର ଗନ୍ତାଘର ତଥା ତଥ୍ୟର ଭଣ୍ଡାର ବୋଲି ଅଭିହିତ କରିଥିଲେ। ଅଭିଲେଖାଗାର ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା । ଇତିହାସର ପୁନରୁଦ୍ଧାର ସହ ଭବିଷ୍ୟତର ସୂଚନା ପ୍ରସ୍ତୁତ କରିବା ପାଇଁ ଏହାର ବଡ଼ ଭୂମିକା ରହିଛି ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। ଅଭିଲେଖାଗାର ଯେତେମାତ୍ରାରେ ସଶକ୍ତ ଓ କ୍ରିୟାଶୀଳ ହେବ ତାହା ସେତିକି କ୍ଷମତାପନ୍ନ ହୋଇ ସେବା ଯୋଗାଇ ପାରିବ ବୋଲି ରଞ୍ଜନ କୁମାର ଦାସ ମତ ଦେଇଥିଲେ।

ରାଜ୍ୟ ଅଭିଲେଖାଗାର ଇତିହାସ ବିଷୟରେ ସୂଚନା ଦେଇ ମୁଖ୍ୟବକ୍ତା ଶ୍ରୀ ପାଣି  ଭୁବନେଶ୍ୱରରେ ଅଶୀ ଦଶକରେ ଥିବା ଏକମାତ୍ର ଜେରକ୍ସ ମେସିନ ବିଷୟରେ କହିଥିଲେ। ଅଭିଲେଖାଗାର , ପାଠାଗାର ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ସର୍ବଦା ଗବେଷକ ମାନଙ୍କୁ ତଥ୍ୟ ପ୍ରଦାନ କରିଥାଏ ବୋଲି ସେ  ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.