“ମହାଭାରତ”ର ବନପର୍ବରେ ବର୍ଣ୍ଣିତ ଥିବା ସାବିତ୍ରୀ ଉପାଖ୍ୟାନଟି ହଜାର ହଜାର ବର୍ଷ ଧରି ଭାରତୀୟଙ୍କ ମନରେ କିମ୍ବଦନ୍ତୀ ରୂପେ ପ୍ରଚଳିତ ହୋଇ ଆସୁଥିଲା। ଏହି କିମ୍ବଦନ୍ତୀକୁ ମହାକବି ବ୍ୟାସଦେବ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି। ପାଣ୍ଡବ ମାନେ କୌରବ ଶତଭ୍ରାତାଙ୍କ ସହ ପଶାଖେଳରେ ହାରି ପୂର୍ବ ସର୍ତ୍ତ ଅନୁସାରେ ବାରବର୍ଷ ବନବାସୀ ହେବାସହ ଏକବର୍ଷ ଅଜ୍ଞାତବାସ ଭୋଗ କରିଥିଲେ।
ବନବାସୀ ଅବସ୍ଥାରେ ବହୁ କଷ୍ଟ ସହି କିଛି ବର୍ଷ ଅତିବାହିତ କଲାପରେ ଧର୍ମରାଜ ଯୁଧିଷ୍ଠିର ନିଜର ଅତିପ୍ରିୟ ଚାରିଭ୍ରାତା ଓ ପତ୍ନୀ ଦୌପଦୀଙ୍କ କଷ୍ଟ ଦେଖି ଅତ୍ୟନ୍ତ ଦୁଃଖିତ ହୋଇ ପଡିଲେ। ନିଜକୁ ସେହି ପରିସ୍ଥିତିରେ ଅତ୍ୟନ୍ତ ଅସହାୟ, ହତାଶ ଓ ହତୋତ୍ସାହ ମନେକଲେ। ମନରେ ଭାବିଲେ ଯେ ତାଙ୍କର ଭାଇମାନେ ଓ ଦୌପଦୀ ସମସ୍ତେ ସର୍ବଦା ସତ୍ୟ,ଧର୍ମ ଓ ନ୍ୟାୟ ମାର୍ଗରେ ଚାଳିତ ହେଲେ ମଧ୍ୟ ଆଜୀବନ କେବଳ ଦୁଃଖ, କଷ୍ଟ ଭୋଗିଆସିଲେ। ନିଜେ ମଧ୍ୟ ଅତ୍ୟନ୍ତ ଧର୍ମବନ୍ତ ଓ ବଳଶାଳୀ ହୋଇ ଅସହ୍ୟ ଦୁଃଖ ଯାତନା ପାଇଲେ।
ଏମିତି ମର୍ମଯନ୍ତ୍ରଣା ଭୋଗୁଥିବା ସମୟରେ ମହାମୁନି ମାର୍କଣ୍ଡେୟ ତାଙ୍କ ପାଖରେ ଆସି ଉପସ୍ଥିତ ହେଲେ। ଯୁଧିଷ୍ଠିରଙ୍କ କଥାରୁ ତାଙ୍କ ମର୍ମବେଦନା ଜାଣି ଋଷି ମାର୍କଣ୍ଡେୟ ତ୍ରେତା ଯୁଗରେ ଶ୍ରୀରାମଚନ୍ଦ୍ରଙ୍କ ଜୀବନରେ ଘଟିଥିବା ସମସ୍ତ ଦୁଃଖାନ୍ତ ଘଟଣା ଆମୁଳଚୂଳ ବର୍ଣ୍ଣନା କଲେ। ରାମଚନ୍ଦ୍ର କିପରି ବାନରସେନାଙ୍କୁ ସଂଘଟିତ କରି ମହାପରାକ୍ରମୀ ଅସୁର ରାଜା ରାବଣକୁ ବଧକରି ପତ୍ନୀ ସୀତାଙ୍କୁ ଉଦ୍ଧାର କଲେ ତାହା ସେ ଯୁଧିଷ୍ଠିରଙ୍କୁ ଶୁଣାଇଲେ ଏବଂ ଭାବିଥିଲେ ଯେ ଏସବୁ ଶୁଣିବାପରେ ଯୁଧିଷ୍ଠିରଙ୍କ ମନରୁ ସବୁ ଗ୍ଲାନି ଦୂର ହୋଇଯିବା ସହିତ ସେ କେବଳ ଧର୍ମପ୍ରାଣ ହୋଇ ଦୁଃଖ ଭୋଗୁଛନ୍ତି, ଏ ଅଭିମାନ ମଧ୍ୟ ତାଙ୍କ ମନରୁ ଦୂର ହୋଇଯିବ। ମାତ୍ର ସମଗ୍ର ରାମାୟଣ ଶୁଣିବାପରେ ଯୁଧିଷ୍ଠିର, ଋଷି ମାର୍କଣ୍ଡେୟଙ୍କୁ କହିଥିଲେ ଯେ ଏବେ ତାଙ୍କ ମନର ବ୍ୟସ୍ତତା, ବ୍ୟଗ୍ରତା ରହିଛି କେବଳ ଯାଜ୍ଞସେନୀ ଦୌପଦୀଙ୍କ ପାଇଁ। ତାଙ୍କପରି ଯଦିକେହି ଏପରି ତେଜସ୍ବିନୀ ଓ ଯଶସ୍ବିନୀ ନାରୀ ଅଛନ୍ତି ତେବେ ତାଙ୍କର ଜୀବନ ବୃତ୍ତାନ୍ତ କହିବାପାଇଁ ଋଷି ମାର୍କଣ୍ଡେୟ ଙ୍କୁ ଅନୁରୋଧ କଲେ।
ଋଷି ମାର୍କଣ୍ଡେୟ ଏହାପରେ ମହିୟସୀ ସତୀ ଶିରୋମଣି ରମଣୀ ସାବିତ୍ରୀଙ୍କ କୀର୍ତ୍ତି କାହାଣୀ ,ଯାହା ସେ ସମୟରେ ଲୋକ ମୁଖରେ କିର୍ତ୍ତୀତ ହେଉଥିଲା ତାହା ଶୁଣାଇଲେ।
ମଦ୍ର ଦେଶର ଦ୍ୟୁତିମାନ,ସତ୍ୟସନ୍ଧ, ମହାଦାନୀ ରାଜା ଥିଲେ ଅଶ୍ବପତି। ନିଃସନ୍ତାନ ଥିବା ହେତୁ ଦୀର୍ଘ ଅଠରବର୍ଷକାଳ ସେ ସାବିତ୍ରୀ ଯଜ୍ଞ ଅନୁଷ୍ଠାନ କଲେ। ପରିଶେଷରେ ଦିନେ ବିଶ୍ବଜନନୀ ଦେବୀ ସାବିତ୍ରୀ ଯଜ୍ଞ କୁଣ୍ଡରେ ଆବିର୍ଭୁତ ହୋଇ ରାଜାଙ୍କୁ ଏକ ବର ପ୍ରଦାନ କରି କହିଥିଲେ ଯେ ଅଳ୍ପ ଦିନ ପରେ ତାଙ୍କର ଏକ ତେଜସ୍ବିନୀ କନ୍ୟା ଜାତହେବ ଓ ସେ ଅଲୌକିକ ଅନୁପମ କିର୍ତ୍ତୀର ଅଧିକାରିଣୀ ହେବ। ଦେବୀଙ୍କ ଆଶୀର୍ବାଦରୁ ଅଶ୍ବପତି ଙ୍କ ପତ୍ନୀ ମାଳବୀଙ୍କର ଗର୍ଭରୁ କିଛି ଦିନ ପରେ ଏକ ଦିବ୍ୟପ୍ରଭାଯୁକ୍ତ କନ୍ୟା ଜାତ ହେଲା। ଜଗଦ୍ଧାତ୍ରୀ ଦେବୀ ସାବିତ୍ରୀଙ୍କ ପ୍ରସାଦରୁ ଜନ୍ମ ହୋଇଥିବାରୁ କନ୍ୟାଟିର ନାମ ରଖାଗଲା “ସାବିତ୍ରୀ”।
ବୟସ ବୃଦ୍ଧି ସଙ୍ଗେ ସାବିତ୍ରୀଙ୍କ ଶରୀରରେ ଦିବ୍ୟ ସୌନ୍ଦର୍ଯ୍ୟ, ମନରେ ଦିବ୍ୟ ଜ୍ଞାନ ଓ ଅନ୍ୟାନ୍ୟ ଅନୁପମ ଗୁଣସବୁ ପ୍ରକଟିତ ହେଲା। ସତେ ଯେପରି କୌଣସି ଦେବୀ ମାନବୀ ରୂପରେ ପୃଥିବୀକୁ ଓହ୍ଲାଇ ଆସିଛନ୍ତି। ଏପରି ତେଜସ୍ବିନୀ, ମନସ୍ବିନୀ ଓ ଦିବ୍ୟସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ୟାକୁ କେହି ପୁରୁଷ ବିବାହ କରିବାକୁ ସାହସ ନକରିବାରୁ ରାଜା ଅଶ୍ବପତି କନ୍ୟା ସାବିତ୍ରୀଙ୍କୁ ସୈନ୍ୟ ସାମନ୍ତ ସହ ବିଭିନ୍ନ ଦେଶ ଓ ନଗର ଜନପଦମାନ ଭ୍ରମଣ କରି ନିଜର ମନୋନୀତ ପତି ନିର୍ବାଚନ କରିବାକୁ କହିଥିଲେ। ତାହା ହିଁ ହେଲା। ନିଜ ଭ୍ରମଣ ରୁ ଫେରି ସାବିତ୍ରୀ ନିଜ ପିତାମାତାଙ୍କ ଆଗରେ ନିଜର ଭାବୀ ସ୍ବାମୀ ରାଜପୁତ୍ର ସତ୍ୟବାନଙ୍କ ବିଷୟରେ ସମସ୍ତ କଥା କହିଥିଲେ। ଶଲ୍ବ ଦେଶର ରାଜା ଦ୍ୟୁମତସେନ ହଠାତ ଅନ୍ଧ ହୋଇଯିବାରୁ ଶତ୍ରୁମାନେ ତାଙ୍କୁ ରାଜ୍ୟରୁ ବିତାଡିତ କରି ରାଜ୍ୟ ଅଧିକାର କରିନେଇଥିଲେ। ରାଜା ଦ୍ୟୁମତସେନ୍ ତାଙ୍କ ପତ୍ନୀ ଓ ଶିଶୁପୁତ୍ର ସତ୍ୟବାନଙ୍କ ସହ ଜଙ୍ଗଲରେ କୁଟୀରରେ ବାସ କଲେ। ବର୍ତ୍ତମାନ ସେହି ସୌମ୍ୟକାନ୍ତି , ତେଜସ୍ବୀ, ଧର୍ମ ପରାୟଣ ତରୁଣ ଯୁବକ ସତ୍ୟବାନଙ୍କୁ ହିଁ ସେ ନିଜର ସ୍ବାମୀ ରୂପରେ ବରଣ କରିଛନ୍ତି।
ଏହାଶୁଣି ସେହି ରାଜସଭାରେ ଉପସ୍ଥିତ ଥିବା ତ୍ରିକାଳଦର୍ଶୀ ଦେବର୍ଷି ନାରଦ ସତ୍ୟବାନଙ୍କ ବିଷୟରେ ତାଙ୍କର ଭବିଷ୍ୟତ ବାଣୀ ଶୁଣାଇ କହିଲେ ଯେ ସତ୍ୟବାନ ଅଜସ୍ର ସଦ୍ଗୁଣର ଅଧିକାରୀ ହେଲେ ମଧ୍ୟ ସେ ଅଳ୍ପାୟୁ ଓ ଆଜକୁ ଠିକ୍ ଏକବର୍ଷ ପରେ ତାଙ୍କର ଦେହାନ୍ତ ଘଟିବ। ତେଣୁ ଅଶ୍ବପତି ସାବିତ୍ରୀଙ୍କୁ ଅନ୍ୟ ପତି ବରଣ ପାଇଁ ଆଦେଶ ଦେବାରୁ ସାବିତ୍ରୀ ଯଥୋଚିତ ନମ୍ରତା ଓ ଦୃଢ଼ତା ସହକାରେ ନିଜ ସତ୍ୟଶୀଳ ମନର ପରାକାଷ୍ଠା ନେଇ ପତି ବରଣ ସିଦ୍ଧାନ୍ତରେ ନିଜର ଅଟଳ ମତ ସମସ୍ତଙ୍କୁ ଜଣାଇଥିଲେ। ପରେ ଯଥାରୀତିରେ ଉଭୟଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇ ସାବିତ୍ରୀ ନିଜ ପତିଙ୍କ ଗୃହରେ ଶାଶୁଶଶୁର ଙ୍କ ସହ ବାସ କଲେ। କିନ୍ତୁ ନିଦ୍ରା ବା ଜାଗରଣରେ ଗୋଟିଏ ମୁହୁର୍ତ୍ତ ପାଇଁ ମଧ୍ୟ ସେ ଭୁଲିନାହାନ୍ତି ନାରଦଙ୍କର ସେହି ଭୟଙ୍କର ଭବିଷ୍ୟତ ବାଣୀ। ସମୟ ଗତିରେ ସେହି ଦୁର୍ଭାଗ୍ୟ ଦିନଟି ଉପସ୍ଥିତ ହୋଇଛି ଏବଂ ଦିବ୍ୟ ସ୍ବରୂପିଣୀ ସତୀ ସାବିତ୍ରୀ ନିଜର ତପଃଶକ୍ତି ବଳରେ ପତି ସତ୍ୟବାନଙ୍କୁ ମୁକ୍ତ କରିବାକୁ ସମର୍ଥ ହୋଇଛନ୍ତି ମହାକାଳରୂପୀ ମୃତ୍ୟୁ ଦେବତାଙ୍କ କବଳରୁ। ମୃତ୍ୟୁଲୋକରୁ ସତ୍ୟବାନଙ୍କର ଅମର ଆତ୍ମାକୁ ସାଙ୍ଗରେ ନେଇ ଆମର ଏଇ ମର୍ତ୍ତ୍ୟଲୋକ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ମୃତ୍ୟୁ ବିଜୟିନୀ ସାବିତ୍ରୀ। ସମଗ୍ର ପୃଥିବୀକୁ ଦେଖାଇଛନ୍ତି ଯେ, ଏକମାତ୍ର ପ୍ରେମ ହିଁ ମହାପରାକ୍ରମଶାଳୀ ମୃତ୍ୟୁର ଅମୋଘ ପ୍ରତିପକ୍ଷ।
ମହାଭାରତରେ ବର୍ଣ୍ଣିତ ଏହି ସାବିତ୍ରୀ ଉପକଥା ଆମକୁ ଏପରି ବାନ୍ଧିରଖେ ଯେ ଆମେ ଜାଗତିକ ଘଟଣାବଳୀ ଭିତରେ ହଜିଯାଇ ଘଟଣାବଳୀର ପଶ୍ଚାତରେ ଥିବା ସତ୍ତା, ସତ୍ୟ ଓ ଶକ୍ତିମାନଙ୍କ ବିଷୟରେ ସଚେତନ ହୋଇ ପାରୁନା।
ସାବିତ୍ରୀ ଉପାଖ୍ୟାନର ମୂଳ କଥା ହେଉଛି ଅନ୍ଧକାର, ରାତ୍ରି ଓ ଅଚିତିର ପ୍ରଭୁ ମୃତ୍ୟୁ ରୂପାନ୍ତରିତ ହୋଇଛନ୍ତି ଆଲୋକର ପ୍ରଭୁରୂପେ।ମୃତ୍ୟୁ ବଦଳିଛି ନିରନ୍ତର ଜୀବନ ରୂପେ। ମୃତ୍ୟୁ ଉପରେ ବିଜୟ ହାସଲ କରିଛି ପ୍ରେମ।ଏହି କାହାଣୀରେ ଯମରାଜ ଓ ସାବିତ୍ରୀଙ୍କ ସଂପର୍କ ହେଉଛି ଦେବତା ଓ ମାନବର ସଂପର୍କ। ଯମଙ୍କଠାରୁ କୃପା ବା ବର ପ୍ରାପ୍ତି କେବଳ ସାଧାରଣ ମଣିଷ ଭଳି ସାବିତ୍ରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ଅବା କାମନାପୂର୍ତ୍ତି।ତାଙ୍କ ବରଲାଭରେ ରହିଛି ନିଜର ନିଃସନ୍ତାନ ପିତାଙ୍କର ଓ ନିଜର ସନ୍ତାନ ଲାଭ, ନିଜ ରାଜ୍ୟରୁ ବିତାଡିତ ଅନ୍ଧ ଶ୍ବଶୁରଙ୍କ ଦୃଷ୍ଟିଶକ୍ତି ଓ ରାଜ୍ୟ ପୁନଃ ପ୍ରାପ୍ତି ଏବଂ ସର୍ବୋପରି ମୃତ ସ୍ବାମୀଙ୍କର ଜୀବନ ଲାଭ। ସେଥିରେ ସାମୁହିକ ବା ସାର୍ବଜନୀନ କିଛି ସ୍ବାର୍ଥସିଦ୍ଧି ଲାଭ ହୋଇନି।
ମୃତ୍ୟୁ ପରେ ସତ୍ୟବାନଙ୍କ ଜୀବନ ଲାଭ ଏକ ସାଲିସ୍ ନୁହେଁ ଏହା ଦିବ୍ୟଜୀବନର ସମ୍ଭାବନାରେ ପରିପୂର୍ଣ୍ଣ ପାର୍ଥିବ ଜୀବନର ବିଜୟ। ଅଚେତନା ଉପରେ ଦିବ୍ୟ ଚେତନାର,ମିଥ୍ୟା ଉପରେ ଦିବ୍ୟସତ୍ୟର ,ଅସଙ୍ଗତି ଉପରେ ଦିବ୍ୟ ସଙ୍ଗତି ଏବଂ ମୃତ୍ୟୁ ଉପରେ ଦିବ୍ୟପ୍ରେମର ବିଜୟ । ସାବିତ୍ରୀ ସବୁକିଛି ପାଇଛନ୍ତି କେବଳ ନିଜର ପ୍ରେମ ଦ୍ବାରା। ସେ ହିଁ ପ୍ରକୃତରେ ଅନନ୍ତା, ଅକ୍ଷୟା, ଅବ୍ୟକ୍ତା, ଅନନୁମେୟା ଦେବ ଜୀବନ -ନାୟିକା ।