Latest Odisha News

ଉଗାଣ୍ଡାରୁ ଧରାପଡ଼ିଲା ଆତଙ୍କ ଖେଳାଉଥିବା ଓସାମା ବିନ୍ ଲାଡେନ୍, ୮୦ ଜଣଙ୍କୁ ମାରିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୪ ବର୍ଷରେ ୮୦ ଜଣଙ୍କୁ ମାରିଛି । ଲୁଚି ଲୁଚି ନର ସଂହାର କରୁଥିଲା ଓସାମା ବିନ୍ ଲାଡେନ୍ । ଆପଣ ଭାବୁଥିଲେ ଆମେରିକା ସେନାର ଗୁଳିରେ ତ ଆତଙ୍କବାଦୀ ଲାଡେନ୍ ମରି ସାରିଛି । ପୁଣି ଉଗାଣ୍ଡାରେ କୁଆଡୁ ଆସିଲା ଓସାମା । ଇଏ ମଣିଷ ନୁହେଁ, ନରହନ୍ତା କୁମ୍ଭୀର ଓସାମା ବିନା ଲାଡେନ୍ । ଉଗାଣ୍ଡାରେ ଏକ ଛୋଟିଆ ଗାଁରେ ଆତଙ୍କ ଖେଳାଉଥିଲା । ତାକୁ ଏବେ ଧରିଛନ୍ତି ଲୋକ ।

ପାକିସ୍ତାନରେ ଆମେରିକା ସେନା ହାତରେ ନିହତ ଆତଙ୍କବାଦୀ ଓସାମା ଭଳି ବର୍ବରକାଣ୍ଡ କରି ଚାଲିଥିଲା ଏହି କୁମ୍ଭୀର । ଏଥିପାଇଁ ତାର ନାଁ ରହିଛି ଓସାମା ବିନ୍ ଲାଡେନ୍ । ଉଗାଣ୍ଡାର ଲୁଗାଙ୍ଗା ଗାଁରେ ଗତ ୩୦ ବର୍ଷ ହେବ ଆତଙ୍କ ଖେଳାଇ ଆସୁଥିଲା ଏହି ବିରାଟକାୟ କୁମ୍ଭୀର । ଲୋକଙ୍କ ଜିଇଁବା ମୁସକିଲ୍ କରି ଦେଇଥିଲା ।

ଗତ ୧୪ ବର୍ଷ ଭିତରେ ଗାଁରୁ ପାଖାପାଖି ୮୦ରୁ ଅଧିକ ଲୋକଙ୍କୁ ଝୁଣି ଝୁଣି ଖାଇ ଯାଇଛି ନରହନ୍ତା ଓସାମା । ଏହାର ବୟସ ପାଖାପାଖି ୭୫ ବର୍ଷ ହେବ । ବିଶାଳକାୟ କୁମ୍ଭୀର । ୧୬ ଫୁଟ୍ ଏହାର ଲମ୍ବ । ହ୍ରଦ ପାଖରୁ ପାଣି ନେବାକୁ ଆସୁଥିବା ପିଲାଙ୍କୁ ନିଜ ଆହାର କରି ଦେଉଥିଲା ଓସାମା । ସେହିପରି ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ବି ହମଲା କରୁଥିଲା । ଏପରିକି ବଡ଼ ବଡ଼ ଡଙ୍ଗା ଉପରରୁ ଝାମ୍ପ ମାରି ଲୋକଙ୍କୁ ଟାଣି ପାଣି ଭିତରକୁ ନେଇ ଯାଉଥିଲା ।
କିଛି ଲୋକ ଓସାମାର ମୃତ୍ୟୁ ମୁହଁରୁ ବଞ୍ଚି ବି ଯାଇଛନ୍ତି । କାହାର ହାତ ତ ଆଉ କାହାର ଗୋଡ଼କୁ କାମୁଡ଼ି ଅକାମି କରି ଦେଇଛି । ଓସାମାର ଉତ୍ପାତ ଦିନକୁ ଦିନ ଅତିଷ୍ଠ ହୋଇ ପଡୁଥିଲା । ତାକୁ କାବୁ କରିବା ପାଇଁ ଗାଁ ଲୋକ ପ୍ଲାନ କରିଥିଲେ । ଶେଷରେ ସଫଳ ହୋଇଛନ୍ତି । କାବୁ କରିବା ପରେ କୁମ୍ଭୀରକୁ ସେଠାକାର ବନ ବିଭାନକୁ ହସ୍ତାନ୍ତର କରିଛନ୍ତି ଲୋକ ।

Leave A Reply

Your email address will not be published.