Latest Odisha News

ଓଡ଼ିଶୀ ସଙ୍ଗୀତର ବିକାଶ ପାଇଁ ‘ ଉତ୍କର୍ଷ ‘ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ , ଓଡ଼ିଶାର ଉତ୍କୃଷ୍ଟ କଳା “ଓଡ଼ିଶୀ ସଙ୍ଗୀତ”ର ବିକାଶ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର ତଥା ସ୍ୱତନ୍ତ୍ର ତାଲିମ ପାଇଁ ‘ ଉତ୍କର୍ଷ ‘ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।

ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି , ପ୍ରବୋଧ ରଥ , ସଂଗୀତା ଗୋସେଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଓଡ଼ିଶୀ ଗାୟନ ଓ ବାଦନର ଛଅ ଜଣ ପ୍ରତିଷ୍ଠିତ ଗୁରୁଙ୍କ ଅଧୀନରେ ତାଙ୍କ ପ୍ରଶିକ୍ଷିତ ତିନିଜଣ ଶିଷ୍ୟଙ୍କୁ ଚୟନ କରି, ଜୁଲାଇ ମାସରୁ ମାର୍ଚ୍ଚ ମାସ ଭିତରେ ସେମାନଙ୍କୁ ପ୍ରଶିକ୍ଷିତ କରି ଜାତୀୟ ସ୍ତରରେ ପରିବେଷଣ ପାଇଁ ପ୍ରସ୍ତୁତ କରାଯିବ। ଏହା ସହ ପ୍ରତି ତିନି ମାସରେ ଥରେ ଶିଳ୍ପୀମାନେ ତାଙ୍କର କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ଆଗରେ ପରିବେଷଣ କରିବେ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଗୁରୁ ରାମହରି ଦାସ , ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ବିଜୟ କୁମାର ଜେନା , ଗୁରୁ ଧନେଶ୍ଵର ସ୍ୱାଇଁ ଏବଂ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ଏକା ସାଙ୍ଗରେ ୧୦ ଜଣ ଏକକ ଓଡ଼ିଶୀ କଣ୍ଠଶିଳ୍ପୀ, ଜଣେ ବେହେଲା ବାଦକ, ଜଣେ ବଂଶୀ ବାଦକ ଓ ୬ ଜଣ ମର୍ଦ୍ଦଳ ବାଦକ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦ୍ୱାରା ଗାୟନ ଓ ବାଦନ ପାଇଁ ପ୍ରସ୍ତୁତ କରିବେ।

Leave A Reply

Your email address will not be published.