ଢେଙ୍କାନାଳ: ଗରିବ ହୋଇଥିଲେ ବି ଉଚ୍ଚଶିକ୍ଷାରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ବାପା ଜଣେ ରୋଷେୟା । କିନ୍ତୁ ପୁଅ ତାଙ୍କ ଟେକ ରଖିଛନ୍ତି । ରୋଷେୟାଙ୍କ ପୁଅ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଅଞ୍ଚଳର ତଳବେରଣା ଗାଁର ପ୍ରଭାତ କୁମାର ଦାସ । ୨୦୦୫ ମସିହା ପରେ ଏହି ସଫଳତା ପାଇବାରେ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ।
ପ୍ରଭାତଙ୍କ ବାପା ପ୍ରଫୁଲ୍ଲ ଜଣେ ରୋଷେୟା । ଉପାର୍ଜିତ ଅର୍ଥରୁ ଯାହା ମିଳେ ସେଥିରେ ପରିବାର ଚଳାଇବା ସହ ପୁଅର ପଢ଼ା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼େ । ଅଭାବ ଭିତରେ ବି ସବୁବେଳେ ଦୃଢ଼ମନା ପ୍ରଭାବ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ ।
୨୦୦୬ ମସିହାରେ ସାଆନ୍ଦା ହାଇସ୍କୁଲରୁ ପାସ୍ କରିଥିଲେ ପ୍ରଭାତ । ଏହାପରେ ସାଆନ୍ଦା କଲେଜରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ ।୨୦୧୧ ମସିହାରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ୍ ସାରିଥିଲେ । ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରସଂଖ୍ୟାନ ବିଭାଗରେ ପିଜି ଓ ପରେ ପିଏଚଡି ଡିଗ୍ରୀ ବି ହାସଲ କରିଛନ୍ତି ପ୍ରଭାତ ।
ଏବେ ପୁଅର ସଫଳତା ପରେ ବାପା ପ୍ରଫୁଲ୍ଲ ଓ ପରିବାରରେ ଖୁସିର ଲହରି । ମେଧାବୀ ପ୍ରଭାତଙ୍କ ସଫଳତାରେ ସ୍ଥାନୀୟ ଅଞ୍ଚଳରେ ବି ଖୁସିର ଲହରି । ଟ୍ୱିଟ୍ କରି ଶୁଭେଚ୍ଛା ଜମାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Comments are closed.