Latest Odisha News

ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ପାନୀୟ ଜଳ, ବିଜୁଳି, ଶୌଚାଳୟ ଓ ଇଣ୍ଟରନେଟ ସୁବିଧା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ଏହାସହ ରାଜ୍ୟରେ ଅନଲାଇନ୍ ଶିକ୍ଷାକୁ ମଜବୁତ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଓ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ସେହିପରି ଶିକ୍ଷକ ଓ ଶିକ୍ଷୟିତ୍ରୀ, ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ଟିକାକରଣକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ଅଭିଯାନ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ଅଧୀକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରି ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ସମସ୍ତ ସୁବିଧା ଉପରେ ଗୁରୁତ୍ବ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ବ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଡୁ ନଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ବରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଓ ଦାୟିତ୍ବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

Comments are closed.