ରେଡରୋଜ
ଗାଳ୍ପିକା : ସ୍ବର୍ଣ୍ଣଲତା ମହାପାତ୍ର
ପ୍ରକାଶକ : ପଶ୍ଚିମା ପବ୍ଲିକେଶନ୍
ନୟାପଲ୍ଲୀ, ଭୁବନେଶ୍ୱର-୧୨
ପୃଷ୍ଠା : ୧୬୦
ମୂଲ୍ୟ : ୧୩୦
ଚବିଶଟି ଗଳ୍ପକୁ ନେଇ ଗାଳ୍ପିକା ସ୍ଵର୍ଣ୍ଣଲତା ମହାପାତ୍ରଙ୍କର ଗଳ୍ପ ସଙ୍କଳନ ରେଡରୋଜ ଏକ ସ୍ୱତନ୍ତ୍ର ସୃଷ୍ଟି । ଅତି ସରଳ, ସାଧାରଣ ଜୀବନଯାପନଠାରୁ ଆରମ୍ଭ ହୋଇ ଅନେକ ମନସ୍ତାତ୍ତ୍ବିକ କାହାଣୀ ଓ ଚରିତ୍ରକୁ ନେଇ ଏହି ବିଶ୍ଳେଷଣାତ୍ମକ ସଙ୍କଳନରେ ରଙ୍ଗ ଭରିଛନ୍ତି ଗାଳ୍ପିକା ।
ଜୀବନର ଅନେକ ଘାତ ପ୍ରତିଘାତ ଭିତରେ ପିନ୍ଧିବାକୁ ହୁଏ ଅନେକ ମୁଖା । ସେ ମୁଖା ସୁଖର କି ଦୁଃଖର ତାହା ଅନୁମାନ କରିବା ସମ୍ଭବ ନୁହେଁ ମୁଖା ପିନ୍ଧିଥିବା ବ୍ୟକ୍ତି ବି ଜାଣିପାରେ ନାହିଁ ସେ ବିଷୟରେ । ଗୋଟିଏ କର୍ମ ପାପ କି ପୁଣ୍ୟ ତାର ହିସାବ ସମୟ ଉପରେ ! କିଛି ପାପ ପବିତ୍ର ବି ହୋଇପାରେ । ଭୋକ ଏକ ଅନୁଭବ ବି ହୋଇପାରେ କିମ୍ବା ଏକ ଅପେକ୍ଷା । ସେ ଅପେକ୍ଷାର ଅନୁଭବ ସବୁବେଳେ ଦୀର୍ଘସ୍ଥାୟୀ । ସମୟ ଆମ ଇଛାନୁଯାୟୀ ହୋଇ ନପାରିଲେ ବେଳେ ବେଳେ ଆମେ ଈଶ୍ୱରଙ୍କ ଅସ୍ତିତ୍ବ ଉପରେ ସନ୍ଦେହ କରିବା ଆରମ୍ଭ କରୁ । କିଛି ଅଧ୍ୟାୟ ସବୁବେଳେ ଅବୁଝା ହୋଇ ରହିଯାଏ । ସେଇ ଅବୁଝା ଅଧ୍ୟାୟ ଭିତରେ ମୁକ୍ତି ବାଟ ଜଗିଥାଏ ପ୍ରାପ୍ତି ଅପ୍ରାପ୍ତିର ମାୟା ଜାଲରେ ଛନ୍ଦି ହୋଇ ମଣିଷ କେବେ କେବେ ପ୍ରେମର ଗଭୀରତା ଭିତରେ ନିଜକୁ ବୁଡାଇ ଦିଏ ତ କେବେ କହେ ନା ଏ ଯାନ୍ତ୍ରିକ ଜୀବନ ଭିତରେ ପ୍ରେମ ବୋଲି କିଛି ନାହିଁ। ଧୂସର ବଳୟ ଭିତରେ ସୃଷ୍ଟି ହେଇଥିବା ମୃଗତୃଷ୍ଣା। ଯେଉଁ ତୃଷ୍ଣା କେବେ ବି ମେଣ୍ଟେନାହିଁ। ସବୁ ଜାଣି ମଧ୍ୟ ସେ ମୃଗତୃଷ୍ଣା ପଛରେ ମଣିଷ ଧାଉଁଥାଏ ଅହରହ। ସେ ହିଁ ବଞ୍ଜିବାର ଏକ ମାତ୍ର ବାହାନା ।
କ୍ଷମା, ବାପାଙ୍କୁ ଚିଠି, ନଣ୍ଡା, ଅଳିଆ ପରି ଗପରେ କୁନି ପିଲାର ମନୋଭାବ ଓ ଶିକ୍ଷଣୀୟ କଥାବସ୍ତୁ ଉପରେ ଆଧାରିତ ଗଳ୍ପ ସମୂହ, ନିଶ୍ଚୟ ପାଠକ ମନକୁ ଆନ୍ଦୋଳିତ କରିବାରେ ସହାୟକ ହେବ । ଅନାବିଳ ପ୍ରେମ , ଭାବପ୍ରବଣତା ଓ କିଛି ଅବ୍ୟକ୍ତ ଯନ୍ତ୍ରଣାକୁ ହୃଦୟର ନିଭୃତ କୋଣରେ ସାଇତି ଦେଇ ବାସ୍ତବତାରେ ଶେଷ ହୋଇଛି ପୁସ୍ତକର ଶୀର୍ଷକ ଗଳ୍ପ ରେଡ଼ରୋଜ।
ସର୍ବୋପରି ବିଭିନ୍ନ ସ୍ବାଦରେ ଭରପୂର ରେଡ଼ରୋଜ ଗଳ୍ପ ସଙ୍କଳନଟି ପ୍ରତିବର୍ଗର ପାଠକଙ୍କୁ ବାନ୍ଧି ରଖିବାର କ୍ଷମତା ରଖିଛି ।