ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୭
କୁଟୁମ୍ବ କହିଲେ କେହି ନାହିଁ। ବାପା, ଜେଜେବାପାଙ୍କର ଏକମାତ୍ର ପୁଅ। ଆଉ କେହି ନଥିଲେ ଆଗକୁ , ପଛକୁ। ଅମୃତା ବି ଏକା ସେମିତି। ଏଇଠୁ ସେଇଠୁ ଶୁଣେ ବାପା କୁଆଡେ ଆଶ୍ରମକୁ ପଳାନ୍ତି। ଗାଁ ଲୋକଙ୍କ କଥା ବିଶ୍ୱାସ ଲାଗେନି। ସେମାନେ କେବେହେଲେ କାହାରି ଭଲ କହନ୍ତିନି। ପଚାରିଲେ ବୈଲୋଚନ ଜେଜେବାପା ବାଆଁରେଇ ଦିଅନ୍ତି। ମାଆ ତ କାଲ କି ଜଡ ହୋଇଯାଏ ପ୍ରଶ୍ନ ଶୁଣିଲେ। ମନ ଅନୁସନ୍ଧିତ୍ସୁ ହୁଏ। ଗାନ୍ଧୀ ଆଶ୍ରମ ହୋଇଥିବ ଭାବେ। ଆଶ୍ରମ କହିଲେ ଆଉ କ’ଣ କି ? ମୁନିଋଷି ଅଛନ୍ତି ନା ଆଉ ଏବେ! ଶୁଣିଚି ସେଇମାନେ ରହନ୍ତି ବଣ,ଜଙ୍ଗଲରେ, ପାହାଡ ଖୋଲରେ । ଗାଁ ପାଖ ହୁଡିଟା ପାହାଡ ଭଳି ଲାଗେ। ଦିନେ କାହାକୁ କିଛି ନକହି ଛାଟଖଣ୍ଡେ ଧରି ଉଠିଗଲା ହୁଡିଟା ଉପରକୁ । ପାଦରେ ଚପଲ ହଳେ। ଫ୍ରକ ପିନ୍ଧା ଦିନ। ଚାରିଟା ପରେ ଉଠିଚି।
ବଢିଆ ଲାଗିଲା ଉପରୁ ଥାଇ ତଳର ଦୃଶ୍ୟ। ସବୁ ଛୋଟ ଛୋଟ। ଦିଆସିଲି ଖୋଳ ପରି ଧାନଜମି। ବାଙ୍ଗରା ତାଳ, ଶାଳ, ବରଗଛ। ମଜା ତ ନିଶ୍ଚୟ କିନ୍ତୁ, ଥକ୍କା ଲାଗିବା ସହିତ ଶୋଷ ଲାଗୁଥିଲା ସେତେବେଳେ । ବସିପଡିଲା ଟିକିଏ। ସୂର୍ଯ୍ୟ ହାତ ହଲେଇ ଛୁଇଁ ଯାଉଥିଲେ ଧାନ କିଆରୀ ପାଖର ବଡବଡ ଗଛକୁ। ଏଥର ସେ ଲୁଚିବା ଆରମ୍ଭ କଲେ। ଆରେ ଆରେ, ସନ୍ଧ୍ୟା ହୋଇଗଲା। ଓହ୍ଲାଇବ କିପରି ଏବେ। ସାପ ଯଦି ଗୋଡେଇବ। ବାଘ କି ଭାଲୁ ମୁଣ୍ଡ ବୁଲେଇ ଦେଲା। ପଡୁପଡୁ ଧରିପକେଇଲା ଚାରକୋଳି ଗଛକୁ। ଆଉ ବାପା ନା ମାଆ , ତଳକୁ ତଳକୁ ଧାଇଁଲା ଅଣନିଃଶ୍ବାସି ହୋଇ। ଧଇଁସଇଁ ବେଳରେ କିଛି ମନେପଡେନି।
ତଳେ ପହଞ୍ଚି ଦେଖିଲା ଗୋଡ ଖଣ୍ଡିଆ ରକ୍ତାକ୍ତ । ଆଣ୍ଠୁ ଫାଟି ରକ୍ତ ଝରୁଚି। ଚପଲ ଫାଳେ କୁଆଡେ ଯାଇଚି। ଫ୍ରକ ତଳ ଛିଣ୍ଡାଫଟା। କୋଉଠି ବାଜି , କୋଉଠି ଧକ୍କାଖାଇ ତଳେ ପହଞ୍ଚିଚି ସେ। ବଞ୍ଚି ଯାଇଚି। ବାବାରେ ବାବା ସେଇ ଅନ୍ଧାରରେ ବାପା ରହୁଥିବା କଥା ବିଶ୍ୱାସ ହେଉନଥିଲା ତା’ର। ବାପା ଆଲୋକ ପ୍ରିୟ ଉଜ୍ଜ୍ବଳତା ପ୍ରିୟ। ମାଆ ପାଖକୁ ଗଲା ପାଦ ଚିପିଚିପି। ମାଆର ଏ ସମୟ ଆଳତି ,ପ୍ରାର୍ଥନାରେ କଟେ। ପାଦଧୋଇଲା ବେଳକୁ ଖଣ୍ଡିଆ ଜାଗା ଜଳୁଥାଏ ହୁହୁ। ଶବ୍ଦ ପାଇ ମା’ ଆସିଲା। ଅନାଇଲା ଆଗ, ବଡବଡ ଆଖିରେ, ଗିଳିଦବନା କ’ଣ । କାନ ଧରି ଢୋ କି ବସେଇଲା ପାହାରେ। ବହେ ଗାଳି। ଆଖିରୁ ଜୁଳୁଜୁଳିଆ ପୋକ ସହ ଗରମ ଲୁହ ବାହାରିଯାଉ ସବୁତକ କୋହ, ଧୋଇଯାଉ ଦୁଃଖ । ଭୁଲ୍ କରିଚି ମାନେ ଗାଳିମାଡ ଥୁଆ, ଏକଥା ତ ବୁଝିବାର ଥିଲା ମୂଳରୁ। କାହାକୁ ନକହି ଯିବା ଭୁଲ ଉପରେ ଭୁଲ୍। ମାଆ ଏଥର ଗରମପାଣିରେ ଡେଟଲ ପକେଇ ପୋଛିଲା। ପିନ୍ଧାପିନ୍ଧି ପରେ, ପାଣି ପିଏଇଲା।ତା’ପରେ ପଚାରିଲା
: କୁଆଡେ ଯାଇଥିଲୁ? କାହାକୁ ପଚାରି ଯାଇଥିଲୁ ? ସନ୍ଧ୍ୟା ବେଳେ କିଏ ଏମିତି ଯାଏ ? ଏସବୁ ଖଣ୍ଡିଆ କେମିତି ହେଲା?
: ବାପା। ଏତେପ୍ରଶ୍ନର ଉତ୍ତର କେବଳ ଗୋଟିଏ ଶବ୍ଦ। ଧାରଧାର ଲୁହ ।ଧଁକି ଧଁକି କାନ୍ଦ।
ଝିଅ ଖୋଜୁଚି ବାପାଙ୍କୁ ଆଉ ସ୍ତ୍ରୀ ।ଦୁହିଁଙ୍କ ଭିତରେ ଫରକ ଜଣେ ବୟସ୍କା ,ଜଣେ କିଶୋରୀ, ଜଣେ ପ୍ରେମମୟୀ , ଜଣେ ସ୍ନେହପିପାସୀ। ଏଇଆ ନା ଏସବୁ ଜୀବନର ଗୂଢକଥା ଅଳ୍ପ ବୟସରୁ କେଜାଣି କେମିତି ବୁଝିଯାଉଥିଲା ଅମୃତା। ଆଉ ଯେତିକି ବୁଝେ ସେତିକି ନୀରବିଯାଏ। ଚପଳାମି ବଦଳରେ ବୟସ୍କା ହୁଏ। ଅସାଧାରଣ, ଅବୋଧ୍ୟ ହୁଏ। ନିଃସଙ୍ଗ ହୁଏ।
ବାପା ଆସିଲେ ଘର ପୂରିଯାଏ। ମାଆର ଆଖିରେ ଖୁସି ଢେଉ ଭାଙ୍ଗେ। ଘରଟା ଘର ଭଳି ଲାଗେ। ପୁଣି, ଆରମ୍ଭ ହୁଏ ମଝି ଅଗଣାରେ ଚକାଭଉଁରୀ, ଗଡିଆରେ ପହଁରା, ଜାଲପକେଇ ମାଛଧରା, ବାଡିପଟ ଅଗଣାରେ ବର୍ଷା ସହ ଲୁଚକାଳି ସରସର ଓଦା ପରେ ମାଆକୁ ବାରଣ୍ଡାରୁ ଭିଡିନେଇ ଭିଜେଇଦବାର ମଜା। ମାଆର ବାପ, ଝିଅକୁ ମିଛ ମିଛ ଗାଳି। ତାପରେ ତୁଳସୀପତ୍ର , ଅଦ, ତେଜପତ୍ର, ଗୋଲମରିଚ,ମିଶ୍ରି ପକେଇ ଚା’ପିଆ । ବିଲବାଡି ତଦାରଖ, ତକ୍ତପୋଷରେ ଶୋଇ ଜହ୍ନ ଦେଖା ତ କେବେ ତାରାଗଣା । ସୂର୍ଯ୍ୟାସ୍ତର ରକ୍ତରାଗ ସହ ବନ୍ଧୁତା । ବହିଖାତା କ୍ଲୋଜଆନାଲିସିସ ରଚନା , ପତ୍ରବନ୍ଧୁ ପକୋଡି ଛଣା ଲୋକକଥାର ଅସରନ୍ତି ଗପ, ଜହ୍ନ ଆଲୁଅରେ ଝୋଟିଚିତା ପକାଇବା , ପ୍ରକାର ପ୍ରକାର ସୁସ୍ବାଦୁ ପିଠା, ତରକାରୀ ଏମିତି ଏମିତି ଅନେକ। ଜୀବନ୍ତ ଜୀବନ। ପୂରିଲା ପୃଥିବୀ।
ନହଲେ ତ ଶୂନଶାନ ନିବୁଜ ଲଫାଫା। ମାଆର ଲୁହ, କୋହର ସାକ୍ଷୀ ସେ। ହସଖୁସିର ଏକାକୀ ଦର୍ଶକ ସେ। ଶୂନ୍ୟ ଆକାଶକୁ ଅନେଇ ବସିଥିବା ମାଆ ମୂର୍ତ୍ତି ଭଳିଦିଶେ ସେ ସମୟରେ। ସେ ଥାଏକି ନଥାଏ ତା’ ଦେହରେ କେଜାଣି । ନାଖାଇବ, ନା ଖୁଏଇବ । ଅଳ୍ପ ବୟସରୁ ଯାହିତାହି ରାନ୍ଧିକି ଦିଏ ମାଆକୁ। ମାଆର ମାଆ ସିଏ ହୁଏ।
କେଜାଣି କାହିଁକି ବାପା ବାରମ୍ବାର ଯାଆନ୍ତି ଓ ଆସନ୍ତି। କୂଳକିନାରା ମିଳେନି। ମୁଣ୍ଡରେ ପଶେନି କିଛି। ଭଲଲାଗେନି ନଥିବା ସମୟ, ଆଉ ଆସିଗଲେ ଉଲ୍ଲସିତ ପ୍ରାଣ। ପାଠପଢା ଚାଲେ ଠିକ୍ ଭାବରେ। ପରୀକ୍ଷା ହୁଏ ନିର୍ଦ୍ଦିଷ୍ଟ ସମୟରେ। ବାପାଙ୍କ ଗୀତ ମନେପଡେ ,
” ପାଠ ଆମ ସାଥି, ଖେଳ ଆମ ସାଥି,
ଦୁଇସାଥି ମିଳନରେ ମନ ଉଠେ ମାତି,
ପାଠ ଆମେ ପଢିବା, ଖେଳ ଆମେ ଖେଳିବା
ଯେତେବେଳେ ଯୋଉକାମ
ଠିକ୍ ଠିକ୍ ସାରିବା ।”
ଭାରି ମିଠା ସ୍ବରରେ ଗାଉଥିଲେ ବାପା। ମନ ଭିତରେ ଆଜିବି ଉଜ୍ଜୀବିତ ସେସବୁ। ଭୁଲିବ କେମିତି ଯେ। ପାଠ ସହ ଖେଳକୁ ସମାନ ଗୁରୁତ୍ୱ ଦେବା ସହଜ କଥାନୁହେଁ। ବାପା ଶିଖେଇଥିଲେ ମୂଳରୁ। ସନ୍ତୁଳିତ ବାଲାନ୍ସଡ ଛାତ୍ରୀ ସେ। ସେସବୁ ଆଜି ସମ୍ପତ୍ତି ଜୀବନର। ସୁନ୍ଦର ଦେହ ମନ ନେଇ ଛଉର ଆରମ୍ଭ କଲାବେଳେ ବୁଢାମାଷ୍ଟର ଖୁସି ହୋଇଯାଆନ୍ତି ତା’ଉପରେ। ଆୟତ୍ତ କରୁଚି ଠିକଭାବରେ ଧିରେ ଧିରେ । ଛଉ ପଡିଆରେ ମଞ୍ଚ ଉପରେ ସେ ଶିଘ୍ର ନାଚିବ। ବିଦେଶରେ ନାଚିବ। ଏ ମାଟିର କଳା ପୃଥିବୀରେ ଆହୁରି ପ୍ରଚାରିତ, ପ୍ରସାରିତ ହେବ। ନିଜେ ସେ ବହୁତ ଭାବରେ ଶିଖିବ। ସମର କଳା, ଭାରି କଷ୍ଟକର। କିନ୍ତୁ, ଖୁବ୍ ଭଲ ଲାଗେ । ମଜା ବି ଲାଗେ। ମସଲା ବଟା, ଗୋବର ଗୋଟା .ଏମିତି ସବୁ ଘରୋଇ କଥାରେ ଅଭ୍ୟାସ। ନିଆରା, ଏକଦମ୍ ସତକଥା।
Comments are closed.