ରୀତା ପଟ୍ଟନାୟକ
ଜୀବନର କଣ୍ଟକିତ ଚଲାପଥେ
ଶକ୍ତିର ଆଧାର,ଅମୃତର ପ୍ରଥମ ଓ ଶେଷ ସୋପାନ
ଗିରି ଗହ୍ବରକୁ ବିଦୀର୍ଣ୍ଣ କରି ଝରି ଆସୁଥିବା
ଝରଣାର ଝରଝର ସଙ୍ଗୀତର ସ୍ବନ ।
ଝୁଣ୍ଟି ପଡ଼ିଲେ ଆପେ ଆପେ ପାଟିରେ ଆସେ ତା’ ନାଁ
ଏମିତିକା ମହୁବୋଳା ଶବ୍ଦଟିଏ ସିଏ “ମାଆ ” ।
ଆଶୀର୍ବାଦର ଅନ୍ତଃ ସଲୀଳା ନଦୀଟିଏ ।
‘ଆ’ ବର୍ଣ୍ଣମାଳାର ଦ୍ବିତୀୟ ବର୍ଣ୍ଣ ।
ଏକ ଅଲିଖିତ ପ୍ରତିଶ୍ରୁତି
ମୁଁ ଅଛି ତୋ ଆଗେ ,ତୁ ପାଦ ପକେଇ ଚାଲିଆ ।
ଜୀବନର ପ୍ରଥମ ଉଚ୍ଚାରିତ ଶବ୍ଦ ମାଆ ।
ପ୍ରଥମ ଶିକ୍ଷାଦାତ୍ରୀ, ପ୍ରଥମ ପ୍ରେରଣା
ଅବାରିତ ଯା ହୃଦୟରୁ ଝରୁଥାଏ କରୁଣାର ଝରଣା
ଯାହା ହାତର ଯାଦୁକାରୀ ଶକ୍ତିରେ,ଶାସନ ଓ ,ଶୃଙ୍ଖଳାରେ ସୁମଣିଷଟିଏ ଗଢିଉଠେ ।
ବିବେକ ଓ ବିଚାର ବୋଧର ପ୍ରଚଣ୍ଡ ଆତ୍ମବିଶ୍ୱାସରେ ଆଗେଇ ଯିବା ପାଇଁ ଯେ ପଥ ଦେଖାଏ
ଅସଂଖ୍ୟଙ୍କ ମେଳରେ ହଜି ନଯାଇ,
ସଂଖ୍ୟକ ମେଳରେ ସ୍ବତନ୍ତ୍ର ହେବାର ନିର୍ଦ୍ଦେଶିତ ପଥ ବାଛିବାକୁ ଇଙ୍ଗିତ ଦିଏ
ସଞ୍ଚିତ ସମୟକୁ ଯେ ଅହର୍ନିଶି ବାଣ୍ଟୁଥାଏ
ନିଦମାଉସୀଠୁ ଆରମ୍ଭ କରି ବର୍ଣ୍ଣବୋଧର ପ୍ରତିଟି ବର୍ଣ୍ଣ ପରିଚୟ ଯାଏ
ଜୀବନର ପ୍ରତିଟି ସୋପାନ ଯାହାର ଶିକ୍ଷାଦାନରେ ମହୀୟାନ,
ସ୍ରଷ୍ଟାଙ୍କର ଅନବିଦ୍ୟ ସୃଷ୍ଟିଟିଏ , ଆଦ୍ୟଗୁରୁର ମାନ୍ୟତା ଯାହା
ପାଇଁ ଉଦ୍ଦିଷ୍ଟ ସେ ‘ମାଆ ‘