କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ ଏଭଳି ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କୌଣସି ସମୟରେ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ରହିଛି । ହାଇାଲର୍ଟରେ ଏବେ ଏୟାରପୋର୍ଟ ।
ହମିଦ କର୍ଜାଇ ଏୟାରପୋର୍ଟ ଗେଟ୍ ଓ ଆଖପାଖ ଅଞ୍ଚଳରୁ ଫେରିଯିବାକୁ ଲୋକଙ୍କୁ କୁହାଯାଇଛି । ଭିଡ଼ ନକରିବା ପାଇଁ ଜାରି ହୋଇଛି ଆଲର୍ଟ । ଦୁଇ ଦିନ ତଳେ କାବୁଲ ବିମାନବନ୍ଦରର ଆବେ ଗେଟ୍ ଓ ବରୁଣ ହୋଟେଲ୍ ନିକଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।
ଏଥିପାଇଁ ନିଜକୁ ଦାୟୀ କରିଥିଲା ଆଇଏସଆଇଏସ୍-କେ ଆତଙ୍କବାଦୀ ସଂଗଠନ । ବିସ୍ଫୋରଣରେ ୧୭ ଆମେରିକୀୟ ସୈନ୍ୟଙ୍କ ସମେତ ୧୭୦ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଆହତ ହୋଇଥିଲେ ଶତାଧିକ ।
ଏହାପରେ ଆତଙ୍କୀ ଆଡ୍ଡା ଉପରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଥିଲା ପେଣ୍ଟାଗନ୍ । ଏବେ ଆମେରିକା ସେନା ହଟିବାର କଣ୍ଟା ପୂରିବା ପୂର୍ବରୁ ପୁଣି ଥରେ ଆତଙ୍କବାଦୀ ହମଲା ସୂଚନା ପରେ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି ।
Comments are closed.