Latest Odisha News

ଦଳ ନୁହେଁ, ଦେଶ ବଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱ ସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତ ହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟ ହେଉଛି ଅର୍ଥକୁ ବେରବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ । ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତ୍ତା ବ୍ୟକ୍ତିର ଅଧିକାର ଅସୁରକ୍ଷିତ । ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ । ନାଗରିକ କହିଲେ ଆମେ କେବଳ ଦେଖୁଛୁ ଗୁଡିଏ ନିରୁପାୟ ଭୋଟର୍‌ଙ୍କୁ ; ଯେଉଁମାନେ ସାମ୍ପ୍ରତିକ ସାମାଜିକ ପ୍ରହସନର ଜଣେ ଜଣେ ନୀରବ ଦର୍ଶକ ।

ସମାଜ ଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁ ବିଭିନ୍ନ ସ୍ତରରେ । ଆଜି ଯୁଆଡେ ଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀ ଜାଲ । ପ୍ରକୃତି ପ୍ରତି ଅବିଚାରିତ ମୃତ୍ୟୁଦଣ୍ଡ ଘୋଷଣା କରି ଶିଳ୍ପସମୃଦ୍ଧି ନାମରେ ସାରା ସମାଜକୁ ମୁହାଁଇ ନିଆଯାଉଛି ଏକ ନାରକୀୟ ଭବିଷ୍ୟତ ଆଡେ ।

ଜଳ-ଜମି-ଜଙ୍ଗଲର ଜହ୍ଲାଦବର୍ଗ ଜୁଲମ ଚଳାଉଛନ୍ତି ରାଷ୍ଟ୍ର ବ୍ୟବସ୍ଥାକୁ କାଏମ୍ କରିରଖିଥିବା ଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତ ସୂତ୍ରଧରମାନଙ୍କ ସହାୟତାରେ। ଦେଶର ନିରନ୍ନ ନିରୀହ ଜନସାଧାରଣ ଆଜି ସ୍ୱାଧୀନତାର ଶାସ୍ତି ଦେଖୁଛନ୍ତି ମହାଦୁର୍ନୀତିର ମଞ୍ଚଭୂମିରେ । ଚୋର, ତସ୍କର, ଚଂଚକ, ଶଠ, ହରିଲୁଟ୍‌କାରୀ, ହତ୍ୟାକାରୀ, କଳାକାରବାରୀମାନେ ଶାସନ ଓ ପ୍ରଶାସନକୁ କ୍ରମେ ଯେପରି କରାୟତ କରିଚାଲିଛନ୍ତି, ସେଥିରେ ଭାରତବର୍ଷରେ ଗଣତନ୍ତ୍ରର ମୂଳ ଉତ୍ପାଟିତ ହେବାର ବେଳ ଯେ ଘନାଇ ଆସିସାରିଲାଣି , ଏଥିରେ କଣ ଆଉ ତିଳେମାତ୍ର ସଂଶୟ ରହିଛି ?

ଅଧିକାଂଶ ରାଜନେତା ନିଜନିଜ ନୈତିକ ଦାୟିତ୍ୱକୁ ଭୁଲି ଆତ୍ମସମର୍ପଣ କରିସାରିଛନ୍ତି ଚଂଚକବର୍ଗର ଚକ୍ରବ୍ୟୁହ ମଧ୍ୟରେ ।
ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ, ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ । ସୌଦାଗରୀ ସଭ୍ୟତା ସମ୍ପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମର ମୌଳିକ ସଂସ୍କୃତିର ମୂଲ୍ୟବୋଧକୁ । ରାଜନୀତି ଯେପରି ଜନସାଧାରଣଙ୍କୁ କରିସାରିଛି କଂଜ୍ୟୁମର୍ ବା ଗ୍ରାହକ ।

ସାମ୍ପ୍ରତିକ ଭାରତବର୍ଷର ଏ ଦୁଇ ଚରିତ୍ରର ସ୍ଫଳନକୁ ଲକ୍ଷ୍ୟ କଲେ ଆମେ ଅବଗତ ହୋଇପାରିବା ଅବକ୍ଷୟର ଅସଲ କାରଣ । ମତଦାତାମାନେ ନକଲି ନେତୃତ୍ୱ ଦ୍ୱାରା ପ୍ରବଞ୍ଚିତ ହୋଇସାରିଥିବା ବେଳେ ଗ୍ରାହକମାନେ ଭେଜାଲ୍ ବଜାର ଦ୍ୱାରା ଭୟଙ୍କର ଭାବରେ ମୂଲୁଣ୍ଠିତ ! କିଣାବିକାର ବଜାରରେ ଭୋଟ୍ ଓ ନୋଟ୍‌ର ଅଙ୍ଗାଙ୍ଗୀ ଭାବରେଜଡିତ ହେବାର ଇତିହାସ ସ୍ୱାଧୀନତା
ପରବର୍ତ୍ତୀ କାଳର ଏକ ବିକୃତ ବିଡମ୍ବନା ।

ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବାବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ , ଶୋଷଣସର୍ବସ୍ୱ ବଣିକବର୍ଗର ନିଆଁଗିଳା ପାଉଁଶକ୍ଷେତରେ ! ନବ୍ୟ ପୁଞ୍ଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଲବୀତତ୍ତ୍ୱ ଠାରୁ ଦୂରେଇ ରଖିବାର ଅଭିସନ୍ଧିରେ ଯୋଗାଇ ଦେଉଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ । ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡବଡ ଫୁଲମାଳରେ ସଜାଇ ଦିଆଯାଏ! ଶିଳ୍ପ ବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ୍ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଆଁରୁ ଗଡଜାତଯାଏଁ ବିଛାଇଚାଲିଛନ୍ତି ମାୟାଜାଲ । ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟି ପାଣି ପବନରେ ବିଷପ୍ରକ୍ରିୟା । କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର । ଗାଆଁସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ । ମଫସଲ ମୂଳପୋଛ । ମଣିଷପଣ ମୁମୁର୍ଷୂ ।

ଭାରତବର୍ଷ-ସମ୍ବିଧାନରେ ଯାହାର ପରିଚିତ ‘ଭାରତ ଦ୍ୟାଟ୍ ଇଜ୍‌ ଇଣ୍ଡିଆ’ ଏକ ବିଭକ୍ତି ବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ଏକ ଆତ୍ମବିଭକ୍ତି ରାଷ୍ଟ୍ର, ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଏପରିକି ରାଜନୈତିକ ଦୃଷ୍ଟିଭଙ୍ଗୀଟିଏ, ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଆଶାନୁରୂପ ଭାବରେ ହାସଲ କରିପାରି ନାହାନ୍ତି । ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ, ଭାଷଣ ପରେ ଭାଷଣ, ଶାସନ ପରେ ଶାସନ, ଯୋଜନା ପରେ ଯୋଜନା ସବୁ କେବଳ ପ୍ରବଞ୍ଚନା ପରେ ପ୍ରବଞ୍ଚନା ଏବଂ ଏ କ୍ରମାଗତ କରାଳ ପ୍ରବଞ୍ଚନାର ଦୟନୀୟ ଶିକାର ହୋଇଆସୁଛି ଦୁର୍ଗତ ଭାରତୀୟ ମହାଜାତି ।

ସ୍ୱାଧୀନତା, ଯାହାକୁ ବହୁ ବର୍ଷର ସଂଗ୍ରାମଲବ୍ଧ ମହାର୍ଘ ମୁକ୍ତି ରୂପେ ବିଜ୍ଞପ୍ତି କରାଯାଇଆସୁଛି, ତାର କୌଣସି ପ୍ରକୃଷ୍ଟ ପ୍ରଭାବ ଜନଜୀବନରେ ରେଖାପାତ କରିଥିବା ଭଳି ମନେହେଉନାହିଁ । ଦେଶର ମୁକ୍ତି- ଅଥଚ ଜାତୀୟ ଜୀବନର ଚରମ ଅଧୋଗତି! ଏହା କ’ଣ ସ୍ୱାଧୀନତାର ସ୍ୱାଦ ? ବରଂ ଗୋଟାଏ ବିଡମ୍ବନାମୟ ବିଭାଜନର ନିର୍ଲଜ୍ଜ ନାମାନ୍ତର ଏ ସ୍ୱାଧୀନତା । ସ୍ୱାଧୀନତା ଆସିଛି କେବଳ ପାଠ୍ୟପୁସ୍ତକରେ, ପୋଷ୍ଟରରେ, ପତାକାରେ- ସାଧାରଣ ସ୍ତରରେ ସଂଘର୍ଷରତ ଜନଜୀବନରେ ନୁହେଁ ବରଂ ଭାରତବର୍ଷର ଭଙ୍ଗା ଭୂଗୋଳ ଭଳି ଭାରତୀୟ ସଂକୀର୍ଣ୍ଣତାର ଛୋଟ ଛୋଟ ହିଡରେ ଏ ଭାରତବର୍ଷ ଗୋଟାଏ ବନ୍ଦୀ ଚକବନ୍ଦୀର ଚକଡା ; ବିଭିନ୍ନ ମୁଖାପିନ୍ଧି ମତଲବର ବିଚିତ୍ର ଆଖଡା !

ଭାରତବର୍ଷର ରାଜୀନତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମର ରଙ୍ଗ ଧୂସର । ଏହି ଅବସ୍ଥା ଏକ ଅରାଜକତା ଓ ଅସୁସ୍ଥ ଅବ୍ୟବସ୍ଥା ଛଡା ଆଉ କ’ଣ ? ଏହି ଅବାଂଛନୀୟ ଅବସ୍ଥାରୁ ହିଁ ଜନ୍ମ ନିଏ ଆତଙ୍କବାଦ, ଅବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ । ବିଷମଞ୍ଜି ଆଜି ବିଶାଳ ବିଷବୃକ୍ଷ । ସେ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାଶରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ ।

ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ ଗୋଟିଏ ଭାତହାଣ୍ଡିର ଚାଉଳ । ସବୁଠି ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳ ଶୂନ୍ୟତା । ଏହା ନିଶ୍ଚିତ ପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଟୁଆରାର ଖୋଳରେ ଜର୍ସି ପିନ୍ଧିବାକୁ ଆଗେଇ ଆସୁଛି, ତା’ ପାଇଁ ମସ୍ତବଡ ଚାଲେଞ୍ଜ । ମାତ୍ର ଏ ଚାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କୋତୋଟି ଦଳ ନିକଟରେ ରହିଚି ?

ବର୍ତ୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପ୍‌ଚାପ୍ ବସିରହିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳରୁ ପରିଚ୍ଛନ୍ନ ଭାବମୂର୍ତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆ ହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ । ଜନଗଣଙ୍କୁ ପରାଧୀନ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଆଁରେ ଗାଦିରେ ଠାକୁର କରି ବସାଇ ଦେଉଥିବା ଯାଏଁ, ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍ ବିଛାଇ ଚାଲୁଥିବା । ରାଜନୈତିକ ଦଳମାନେ ଦଳୀୟ ସ୍ୱାର୍ଥ ନୁହେଁ, ଜାତୀୟ ସ୍ୱାର୍ଥ ଓ ରାଷ୍ଟ୍ରୀୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରିବାର ଚିନ୍ତନ ଓ କାର୍ଯ୍ୟ ଆରମ୍ଭ କରନ୍ତୁ-; ଲୋକମାନଙ୍କ ଭିତରେ ପୁଣି ଫେରାଇ ଆଣନ୍ତୁ ଏକ ସକାରାତ୍ମକ ନେତୃତ୍ୱର ପତିଆରା ।

ବର୍ତ୍ତମାନ ନକରାତ୍ମକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି ଏବଂ ଏ ବ୍ୟାଧି ଉତ୍କଟ ଭାବରେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବା ପାଇଁ ସୁଦ୍ଧା ତୟାର୍ ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ ? ଯେତେବେଳେ ଏହା ହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଞ୍ଚରେ ବ୍ୟବସ୍ଥାକୁ ବଦଳାଇବାର ଘଷରା ଘୋଷଣା କେବଳ ତୁମ୍ବିତୋଫାନ୍ । ଦେଶର ସମସ୍ତ ରାଜନୈତିକ ଦଳ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବର୍ତ୍ତମାନ ଗୋଟିଏ ମଞ୍ଚରେ ଏକାଠି ହୋଇ ସଠିକ୍ ବିଚରଣ ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତୁ । ପରସ୍ପରକୁ ବିରୋଧ କରିବାରେ ସମୟ ନଷ୍ଟ ନକରି ସେଇ ସମୟସୀମା ମଧ୍ୟରେ ବରଂ ନିଜ ନିଜର ସ୍ୱବିରୋଧ, ଦ୍ୱନ୍ଦ ଓ ଆତ୍ମବିଭକ୍ତି ମାନସିକତାରୁ ମୁକ୍ତି ପାଇବାର ବାଟ ଖୋଜନ୍ତୁ । ଏହା ହିଁ ଆଜି ଭାରତବର୍ଷର ଆତ୍ମିକ ଆହ୍ୱାନ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.