Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୧

ସ୍ମୃତିର ପଦ୍ମରୁ ପାଖୁଡା ସହ ସୁବାସ ଛିଟିକି ପଡୁଥିଲା। ଗଣି ହେଉନଥିଲା ସେସବୁ। ରାଶିରାଶି କୁଢେଇ ଯାଉଥିଲା ଗୋଟିକ ଉପରେ ଗୋଟିଏ । କେତେବେଳେ କେଉଁ ଭାବରେ, କେଉଁ ବାଗରେ ରୂପନାରାୟଣରେ କି ବୁଢାବଳଙ୍ଗରେ  ପହଁରି ଯାଉଥିଲା ଦେହ ମନ। କାହାର ବାଲି ନରମ ନରମ ଧଳାତ କାହାବାଲି ଟାଣୁଆ, ମାଟିଆ । କିଏ ଉଦ୍ଦାମ ଜୁଆରିଆ , ଆଉ କିଏ ଛଳଛଳ କଳକଳ ଠିକ୍ କିଶୋରୀଟିଏ ପରି। ଦୁହେଁ ସ୍ବପ୍ନ ଦେଖାନ୍ତି। ଅଝଟିଆ ମନକୁ ଭୁଲେଇ ଦିଅନ୍ତି। ସେତେବେଳେ  ଅନ୍ତରଙ୍ଗ ଆଳାପ ପାଇଁ ବ୍ୟାକୁଳ ହୁଏ ମନ । ଦଦୟାପତ୍ର  ଆଉ ପାଳଧୁଆ କୋଳି ସହ ବେତକୋଳିର ମଜା ଅଲଗା।  ନଈ ଗାଧୁଆ ସହ  ଏସବୁ ଖୋଜି ତୋଳିବାରେ ଯୋଉ ଆନନ୍ଦ ଅଛି ତା’କୁ କିଏ ଅବା ଫେରାଇଦବ ! ଗୋଟେଇ ନବା କଥା ମନ ଅଗଣାରୁ। କଟା ପାଳୁଅ ଭଳି ଲାଗେ ଦଦୟାପତ୍ର ପତ୍ର ଚକଟା।

ଆଣ୍ଟି ,ଖାଇ ପାରନ୍ତେ, ଏଇଠି ବା କୋଉ ମିଳିବ ? ଖୋଜିବ କୋଉଠି  ସେସବୁକୁ, ଏ ସହର ନଗର ଜୀବନରେ । ଡିପାର୍ଟମେଣ୍ଟାଲ ଷ୍ଟୋରରେ ମିଳନ୍ତା ହୁଏତ ! ଛାଡ ଖାଲି ଭାବିହବା କଥା।

ଇଲିଶି ପାତୁଡି ସହ ମାଛ ଛେଚା କି ପତ୍ରପୋଡାକୁ ନେଇ ମାଆ ଓ ବାପାଙ୍କର କଥା ଆରମ୍ଭ ହୁଏ। ଶେଷ ହୁଏ ମୁହଁ ଫୁଲାରେ।  ଜଣେ ରୂପନାରାୟଣର ଢେଉରେ ତ ଅନ୍ୟ ଜଣେ ବୁଢାବଳଙ୍ଗର  ଗଣ୍ଡରେ ; ଘଡଘଡି ସହ ବଜ୍ରପାତ ନିଶ୍ଚୟ ଘଟେ। ଜଣେ ମଣିଷର କେତୋଟି ହାତ ଯେ ଏତେ ଗୁଡିଏ କାମ କରିବ ବରାଦ ଉପରେ ବରାଦ ମାନୁଥିବ। ସଜାଡୁଥିବ ଠା ମଣୋହୀ , ଅମୃତଭୋଜନ ପରଷିଦେଉଥିବ ହସି ହସି । ମୋତେ କିନ୍ତୁ, ଦୁଇଟା ସାରା  ସ୍ବାଦିଷ୍ଟଲାଗେ। ଗ୍ୟାସଚୁଲିରେ କରିହେବ ଆଣ୍ଟିଙ୍କ ପାଇଁ।

ଅଜବ ମମତା ଏଇ ଟିକିପ୍ରାଣରେ ଅଛି ଗୋ ଆଣ୍ଟି। ତୁମ ନିର୍ଲିପ୍ତ ଚାହାଣି ବ୍ୟଥିତ କରେ ମୋତେ। ମୁହଁ ନ ଖୋଲି କେମିତି ରହିଚ ଯେ। ଖଟରେ ୱାଟରବେଡ ଉପରେ ଶୋଇରହିଚ, କେବେ ଠିକ୍ ହବ କୁହତ?  ଡକ୍ଟର ଆଣ୍ଟି କୁହନ୍ତି ଭଲ ହୋଇଯିବ ବୋଲି। କେବେ ସେ ସୁଦିନ ଆସିବ ? ଆଶା ସଞ୍ଚରିଯାଏ  ଦେହରେ ମନରେ । କଥା କହିବ ନିଜ କାମ ନିଜେ କରିବାର କ୍ଷମତା ରଖିବ, କୋଉଦିନ .. କେବେ..।ମନେ ପଡିବ କି ମୋ’ କଥା ସେତେବେଳେ। ଏଇ ହାତରେ ଖୁଆଇବା, ରଙ୍ଗର ଖେଳ ଖେଳିବା, ମୁଣ୍ଡ କୁଣ୍ଡେଇବା, ଲୁଗାପଟା ବଦଳାଇବା, ଛୋଟମୋଟ ଅନେକ କଥା ଯୋଉ କରୁଚି ତା’କୁ ମନେପକେଇ ପ୍ରଶଂସା କରିବ ନା ? ମନେ ଥିବ ଏସବୁ ?  ଉହୁଁ , ସବୁ ବିସ୍ମୃତିର ବାକ୍ସରେ ଶୋଇଥିବ ତାଲାପକେଇ । କେଜାଣି କାହିଁକି, ଅସରନ୍ତି ପ୍ରଶ୍ନ  ଆସୁଥିଲା ମନରେ।

ମନଦେଇ ପୁଣି ସମୟ ସହ  କାମକରିଯିବା  ଏ ଘରର ନିୟମ।  ଏତେ ଭାବନାରୁ ମିଳିବ  କ’ଣ ? ପାଚିଲା କଦଳୀ ସହ ଓଟସ୍ ମିଶେଇ କ୍ଷୀରଦେଇ  ସ୍ମୁଦି ଦେଲେ ହବ ନହଲେ ଉପମା ଆଜି ପାଇଁ । ସହଜ ହୁଏ  କରିବାକୁ  ଆଉ  ଖୁଆଇବାକୁ ମଧ୍ୟ। ମନୋଇ ଝିଅ  କେଡେ ସୁନ୍ଦର  ଆରମ୍ଭକରି ଶେଷ ବେଳକୁ  ଦିନେ ଦିନେ ଅଝଟିଆ ହୁଅନ୍ତି। ଏଇ ଟିକି ଝିଅ ଦିନେ ଦିନେ ଭାରି ସହଜରେ ସାରି ଦିଅନ୍ତି ସବୁ। ଆଉ ଦିନେଦିନେ ଅପେକ୍ଷା ପରେ ଅପେକ୍ଷା  କରି ଗେହ୍ଲେଇ ବୁଝେଇ କରିବାକୁ ହୁଏ।  ତା’ଙ୍କ ଘର ତାଙ୍କ  ମନ ସବୁତ ତାଙ୍କର। ତଥାପି   କେତେ ପରୀକ୍ଷା, କେତେ ଅପେକ୍ଷା  , କେତେ ତିତିକ୍ଷା  ଚନ୍ଦ୍ରାପାଇଁ । ଆଉ ଯଦି କିଛି  ହୋଇଯିବ ନା, ନା, ସୁଧୁ ସକାଳଟାରେ ଏତେ ଚିନ୍ତା  କାହିଁକିରେ। ଡର ଲାଗେ ବାବା ସେସବୁ କଥା ଭାବିଲେ। ହସ ବି ମାଡେ ନିଜର ଡରୁଆପଣ ପାଇଁ।

ଆଈ ଗପରେ ଭୁତ, ପ୍ରେତ, ଚିରୁଗୁଣି  ସବୁଥାଆନ୍ତି। ମନେମନେ ସେସବୁର ଏକ ରୈଖିକ  ଚିତ୍ର  ଆଙ୍କିସାରିଥିଲି ମୁଁ । ଅନ୍ଧାରହେଲେ  କିଏ ସବୁ କେମିତି ପ୍ରକାରେ ଓହ୍ଲାଇ ଆସନ୍ତି। ଆଉ ଦିନରେ ଆଖି ବୁଜିଲେ ଅନ୍ଧାର ଗୋଟି ଗୋଟି ଆସିଯିବେ ବିକୃତ ମୁହଁଧରି। କାନରେ ଶୁଭେ ବିକଟାଳ ହସ। ଠାକୁରାଣୀ ଦେହୁରୀ ଯେମିତି ନାଲି ସିନ୍ଦୂରକଲି ସହ ନାଲିଆ  ଆଖିରେ ଦେଖେ ,ଠିକ୍ ସେମିତି କିମ୍ଭୁତକିମ୍ଭାକାର ଏସବୁ ଆଶରୀରୀ।  ବଡ ପାଟିକଲେ ବି କେହି ଶୁଣିପାରନ୍ତି ନାହିଁ, ସେତେବେଳେ।  ନିଃଶ୍ବାସ ବନ୍ଦ ହୋଇଯାଏକି ଆଉ…ଆଃ ଭୟଙ୍କର ସେସବୁ।

ମହୁଲ ଗୋଟେଇବାକୁ, ମାଛ ଧରିବାକୁ  କି ଛତୁ ତୋଳିବାକୁ ଯିବା କଥା କେବେ ବଡପାଟିରେ କହିବନି କାହା ଆଗେ।  ସନ୍ଧ୍ୟାବେଳେ ତ  ଜମା ନୁହେଁ। ଭୁତ ଯଦି ଶୁଣି ଦବ ଆଉ ରାତି ଅଧରେ ଆସି ଡାକିବ।  ଏକଥା ଆଈ ବାଗେଇ କୁହେ। ଭୁତ ଡାକରା ଶୁଣି ସାଙ୍ଗ  ବେଶରେ ଆସିଥିବା ଛଳୁଆ ସତ୍ତାସହ ଗଲେ  ସେ  ଖାଇବ ତ ଯାହା ମାଛ,ଛତୁ, ମହୁଲ ଖାଇବ, ବେଶି କହିଲେ ତଣ୍ଟି ଚିପିଦବ ନହଲେ କଣା କରି ରକ୍ତ ପିଇଦେବ। ସବୁ ବୁଢାବୁଢୀ ଏଇକଥା କହିବେ ଥରକୁଥର। ଗାଁରେ ଏ କଥା ବହୁଳ ପ୍ରଚାର। ଏ ବସ୍ତିରେ ନାହିଁ  ବାବା। ତଥାପି ଥୁଣ୍ଟା ଗଛ କଡଦେଇ ଗଳିକୁ ପଶିବା ସମୟ  ବା ଗଳିରୁ ଆସିବା ସମୟ  ଖଟ କରେ ଟିକିଏ।   ଯୋଉ ମାଉସୀ ଡାକି କାମ ଦେଉଥିଲେ ସେ ମଧ୍ୟ କହନ୍ତି  ସେଇ ଗଛ କଥା। ତା ମୂଳରେ କି ଡାଳରେ ଅଛି ତ କିଛି ଗୋଟାଏ । ଆଉ ସେଇଲାଗି ମାଆ ଜଗିଥାଏ , କେମିତି  ଜଲଦି ଦିନ  ଥାଉଥାଉ ଘରେ ପଶିଯିବ। ସେଇଠି ପିଲାଙ୍କ ଆଡ୍ଡା ଜମେ। ଘାସ ଉପରେ ଚପଲ ଥୋଇ ବସିପଡି ଖେଳନ୍ତି  ସେମାନେ କ’ଣ। ଗଛ ଗଣ୍ଡିରେ ବନ୍ଧା ସୋଲାର ଲ୍ୟାମ୍ପ।  ତାଙ୍କ ଜିନିଷ ଚୋରିହୁଏନା। ଆଖେଇବ କିଏ ତାଙ୍କ ଚିଜକୁ ? ମାଡ ଉଠିଗଲା କି ଆଉ ? ସେମାନେ ବି ଭୟଙ୍କର ଦିଶନ୍ତି।

ଏବେ ଡର ଅଛି ସତ, ହେଲେ  ଆଗଭଳି ନାହିଁ।  କୁନି ପିଲାର ଡର ଯାହା ବଡ ମଣିଷର ତ ଆଉ ସେଇଆ ନୁହେଁ। ଡରିଲେ ଶିଖିହୁଏ, ସୁଧାରିହୁଏ ନିଜକୁ। ନହଲେ  ଚାରିପାଞ୍ଜିରୁ ଗଲା ମଣିଷ।

ହଁ, ଘଣ୍ଟା  କଥା କହିବ ଏବେ। ସରିସରି ଯାଉଚି ସମୟ।  ଶେଷ କେଇ ମିନିଟ୍  ନିଜପାଇଁ। ଅନ୍ୟମନସ୍କତା  ଏବେ ସାଙ୍ଗ ହୋଇଗଲାଣି। ଅଭ୍ୟାସ ବଳରେ କାମସବୁ ହୋଇଯାଉଚି। ଯାହା କିଛି  ହଉ କି ନହଉ  ପ୍ରିୟ ମଣିଷଙ୍କ  ସମସ୍ତକାମ ସୁରୁଖୁରୁରେ ସରୁ।ଟିକିଏ  ବିଶ୍ରାମ  ନିଅ। ଗାଧୋଇ ପାଧୋଇ ସଫା। ହାଲୁକା  ନିଦ ହେବ ନିଶ୍ଚୟ । ଜବା ଆସିଲେ କରିନେବ ବାକି କାମ। ଦେହକୁ ଘୋଷାଡି  ବାହାରିଲା ବାହାରକୁ ଚନ୍ଦ୍ରା।  କାଲି ଦେଖାହେବ ଗୋ ଆମର କହିକହି  ମନେମନେ।

ଏବେ  ଆରମ୍ଭ ହବ ନିଜଘର କାମ। ଟିକିଏ ବିଶ୍ରାମ। ପୁଣି ଦ୍ବିପହରୁ ପାର୍ଲୋର କାମ ଆରମ୍ଭ ଯେ ସରୁସରୁ ରାତି ଆଠ। ଧାଇଁ ଧାଇଁ ଗଲେ ପୁଣି ରାତି ଖାଇବା ବନେଇବ।କେବେ କେବେ ପାଉଁରୁଟି, ମୁଢିରେ ଚଳେଇବାକୁ ପଡେ। ଶିଘ୍ର  ସରିଲେ ରାନ୍ଧିବା କଥା। ଚିତ୍ରା କେବେ କେମିତି ଭାତ ବସେଇଦେଇ ଅପେକ୍ଷା କରିଥିବ ଗାଳି ଦେବାପାଇଁ। ଦିନେଦିନେ ଅଟା ଚକଟି ରଖିଥାଏ। ସେ ବି ତ ପଢୁଚି। ସମୟ କାହିଁ।  ବିଚରା  ଖେଳିବାକୁ ଯାଏନି , ମାଆକୁ ଛାଡି  । ସେଇବେଳେ ଘରକାମ ଟିକିଏ କରିଦିଏ। ଲିପୁନ ଯିବ ,ଖେଳିବ ନିଶ୍ଚୟ। ଗୋଡହାତ ଖଣ୍ଡିଆ କରିବ , ଆଉ କହିଲେ ଗରଗର ହବ। ସାନ ଭାଇ ପାଇଁ  ନିଜ ଭାଗର ସମୟ  ଦେଇ  ଯେଉଁ ଅପେକ୍ଷା କରୁଚନ୍ତି  ଦୁଇ ଭଉଣୀ  ସେ କ’ଣ ତା’ ମୂଲ୍ୟ ବୁଝିପାରିବ କେବେହେଲେ ? କେଜାଣି …?  କାମ କରିଯାଅ, ଫଳ ଆଶା ନରଖି , ଏକଥା  ଆଜିକାଲି ହ୍ବାଟସଅପରେ ଭାଇରାଲ। ଆମ ଗୀତାର ବାଣୀ। ଆମ ପୁରାଣର କଥା। କିଛି ନଭାବି ମାନିନେଲେ କ୍ଷତି କ’ଣ।ହୁଁ,  ମାନିବାକୁ ହବ ଏଥର ।

Leave A Reply

Your email address will not be published.