ଭୁବନେଶ୍ୱର: ଅନ୍ଲାଇନ୍ ଫୁଡ୍ ଡେଲିଭରୀ ପାର୍ଟନର୍ ସ୍ୱିଗୀକୁ ନେଇ ସାମ୍ନାକୁ ଆସିଲା ଚଂଚଲ୍ୟକର ଖବର । ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡରେ ପ୍ରାଣ ହରାଇଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ । ସୁଦୂର ଦିଲ୍ଲୀର ଗ୍ରେଟର୍ ନୋଏଡାରେ ଏଭଳି ଘଟଣା ଅନେକଙ୍କୁ ଚକିତ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ସ୍ୱିଗୀ ଡେଲିଭଲୀ ବୟ ଜଣକ ଚିକେନ ବିରିଆନୀ ଓ ପୁରୀ ସବ୍ଜୀ ଅର୍ଡର ପୂରଣ କରିବାକୁ ନିର୍ଦ୍ଧାରିତ ରେଷ୍ଟୁରାଣ୍ଟରେ ପହଂଚିଥିଲା । ଠିକଣା ସମୟରେ ବିରିଆନୀ ମିଳିଥିଲେ ବି ଅନ୍ୟ ଅର୍ଡରଟି ବିଳମ୍ବ ହେବ ବୋଲି ରେଷ୍ଟୁରାଣ୍ଟ କର୍ମଚାରୀ ଜଣକ ଡେଲିଭରୀ ବୟକୁ ଜଣାଇଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ମାମଲା ସମାଧାନ କରିବାକୁ ରେଷ୍ଟୁରାଣ୍ଟ ମାଲିକ ସୁନୀଲ ଅଗ୍ରୱାଲ୍ ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥିତା କରିବାକୁ ଚେଷ୍ଟା କରିଥିଲେ । ତେବେ ସେହି ସମୟରେ ଡେଲିଭରୀ ବୟ ଜଣକ ରେଷ୍ଟୁରାଣ୍ଟ ମାଲିକଙ୍କ ମୁଣ୍ଡରେ ଗୁଳିମାଡ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଘଟଣାସ୍ଥଳରେ ଗୁଳିମାଡ କରି ଡେଲିଭରୀ ବୟ ଜଣକ ଫେରାର ଅଛି । ଅନ୍ୟପଟେ ସିସିଟିଭି ଫୁଟେଜ୍କୁ ଆଧାର କରି ଉକ୍ତି ଡେଲିଭରୀ ବୟକୁ ଗିରଫ କରିବା ଲାଗି ତିନୋଟି ଟିମ୍ ତନାଘନା ଚଳାଇଥିବା ଜଣାପଡିଛି ।
Comments are closed.