ବ୍ରହ୍ମଗିରି: ବ୍ରହ୍ମଗିରି କଙ୍କାଳ ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।
ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୋଲିସ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ଗିରଫ କରିଛି।
ଗତ ନଭେମ୍ବର ୨୧ ତାରିଖରେ ଏକ ମାନବ କଙ୍କାଳ ଉଦ୍ଧାର ହେବା ପରେ ବ୍ରହ୍ମଗିରି ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତକଙ୍କ ମା’ ରଙ୍ଗଲତା ବଢ଼େଇଙ୍କ ଅଭିଯୋଗ ଆଧାରରେ ବ୍ରହ୍ମଗିରି ଥାନା କେସ୍ ନଂ ୬୧୦/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ମଦ୍ୟପାନ ଏବଂ ଅଭିଯୁକ୍ତଙ୍କ ଭାଗର ମାଂସକୁ ମୃତକ ଖାଇଦେବା ଘଟଣାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବଚସା ହତ୍ୟାକାଣ୍ଡର ରୂପ ନେଇଥିବା ତଦନ୍ତରୁ ଜଣାପଡ଼ିଛି।
ଅଭିଯୁକ୍ତମାନେ ଏକ କଟୁରୀ ସାହାଯ୍ୟରେ କୃଷ୍ଣ ବଢ଼େଇଙ୍କୁ ହତ୍ୟା କରିବା ପରେ ଅପରାଧକୁ ଲୁଚାଇବା ଉଦ୍ଦେଶ୍ୟରେ ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣାରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କଟୁରୀ, ଗୋଟିଏ ମୋବାଇଲ୍ ଜବତ ହୋଇଛି।
