Latest Odisha News

BREAKING NEWS

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର
ଅନୁବାଦ : ସରଳ କୁମାର ଦାସ 

BjdElectrycity

ମନ୍ଦିରକୁ ଯାଇଥିଲି ମଝିରେ
କାହିଁ ସେଠି ବିଠଲ ଦିଶିଲେନି
ଋକ୍ମିଣୀଙ୍କ ପାଖରେ
ଖାଲି ଗୋଟେ ପଥର

ମୁଁ କହିଲି ଚଳିବ
ଋକ୍ମିଣୀ ତ ଋକ୍ମିଣୀ
କାହାରି ପାଦରେ ତ
ମୁଣ୍ଡିଆଟେ ପକାଇଲେ ହେଲା

ପାଦରେ ମୁଣ୍ଡ ରଖିଲି
ଉଠାଇ ନେଲି
ବିଠୁ କୁଆଡେ ଗଲା
ଦେଖା ଯାଉନି

ଋକ୍ମିଣୀ କହିଲେ
କୁଆଡେ ଗଲା ମାନେ
ଠିଆ ହୋଇ ନାହାନ୍ତି କି ମୋ’
ଡାହାଣ ପାଖରେ

ମୁଁ ପୁଣି ଥରେ ଚାହିଁଲି
ନିରିଖେଇ ଦେଖିଲି
ଆଉ କହିଲି ସେଠି
କେହି ବି ନାହାନ୍ତି

ମାନେ ନାକ ସିଧାରେ
ଅନାଇ ଅନାଇ ଜୀବନଟା କଟିଲା
କଡଟା ମୋତେ ଟିକେ
କମ ହିଁ ଦିଶେ

ପଥର ପାଲଟିଲିଣି
ପୂରା ସ୍ଥାଣୁ ହେଇଗଲିଣି ଦେଖ
ଟିକେ  ବି ଏ ପାଖ ସେ ପାଖ
ହୁଏ ନାହିଁ !

କେବେ ଆସନ୍ତି କେବେ ଯାଆନ୍ତି
କୁଆଡେ ଯାଆନ୍ତି କଣ କରନ୍ତି
ମତେ କିଛି ହେଲେ
ଜଣା ନାହିଁ !

କାନ୍ଧକୁ କାନ୍ଧ ଲଗାଇ
ପ୍ରତିଦିନ ପାଖରେ ଥାଆନ୍ତି ବିଠୁ
ମାନେ ମୁଁ ବି ପାଗଳୀଙ୍କ ପରି
ଠିଆ ହୋଇ ରହିଛି

ଆଷାଢ କାର୍ତ୍ତିକରେ
ଏତେ ଲୋକ ଆସନ୍ତି ରୋଜ
ମତେ କେବେ ବି କେମିତି କେହି
କହି ନ ଥିଲେ

ଆଜି ଏକା ଥରେ ମତେ
ଭେଟିବାକୁ ଧାଇଁ ଆସିଲେ
ଅଠାଇଶ ଯୁଗର
ଏକାକୀତ୍ୱ !

୪୬୮, ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨
ମୋ. ୯୪୩୭୦୩୮୦୧୫
saral_das@yahoo.co.in

Leave A Reply

Your email address will not be published.