Latest Odisha News

BREAKING NEWS

ଲେଖକଟିଏ ପ୍ରଥମେ ଭଲ ପାଠକ ହେବା ଆବଶ୍ୟକ : ଅଙ୍ଗୁରବାଳା ପରିଡ଼ା

ଆଧୁନିକ ଓଡ଼ିଆ କବିତାରେ କବୀ ଅଙ୍ଗୁରବାଳା ପରିଡ଼ା ଜଣେ ପ୍ପ୍ରମୁଖ ସ୍ୱର , ଚର୍ଚ୍ଚିତ ଉଚ୍ଚାରଣ ଓ ଆଲୋଚିତ ପ୍ରତିଭା । ତାଙ୍କ କବିତାରେ ମାଟି ମନସ୍କତା , ସାମାଜିକ ବାସ୍ତବତା , ଜୀବନବାଦ ଓ ପ୍ରଗତିଶୀଳ ଚେତନାର ଉଦଭାସ ଏବଂ ସର୍ବୋପରି ପ୍ରେମର ପରିଭାଷାର ଗଭୀର ଭାବ ଓ ତନ୍ମୟ ଅନୁଭବର ସାନ୍ଧ୍ରତା ବାରି ହୋଇ ପଡ଼େ । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ କାଳ ହେଲା ସେ କବିତା ରଚନା କରି ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ।

ଅଷ୍ଟମ ସମୁଦ୍ର , ପଞ୍ଚମ ଦୃଶ୍ୟ , ଉର୍ଦ୍ଧ୍ଵ , ମନ ମୃଣ୍ମୟ ରତ୍ନଗର୍ଭା ପ୍ରଭୁତି ପୁସ୍ତକର ସେ ସ୍ରଷ୍ଟା ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନୁଷ୍ଠାନ ଦ୍ୱାରା ସମ୍ମାନିତା ଓ ସମ୍ବର୍ଦ୍ଧିତା ।

କବୀ ଅଙ୍ଗୁରବାଳା ପରିଡ଼ାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ କଣ ଥିଲା ?

ଉତ୍ସଟିଏ ଯେ ସବୁବେଳେ ଆକୃଷ୍ଟତାର କାରଣ ହେବ, ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ନଈଟିଏ ଆକୃଷ୍ଟ ହୋଇ ବହି ଆସେନି ସମୁଦ୍ର ଆଡ଼କୁ । ସ୍ବଭାବ ସୁଲଭ ଢ଼ଙ୍ଗରେ ଉପର ମୁଣ୍ଡରୁ ନିଗିଡି ଯାଇଥାଏ ତଳକୁ, ଯେଉଁଠି ସେ ଭେଟିଥାଏ ସମୁଦ୍ରକୁ । ସମୁଦ୍ର ପ୍ରତି ଯେତେ ଆକର୍ଷଣ ଥିଲେ ବି ଯଦି ପଥଟି ବହି ଯିବାକୁ ଉପଯୋଗୀ ନଥିବ, ତେବେ ଅନେକ ନଈ ସମୁଦ୍ର ସହ ନ ମିଶି ଅଧା ରାସ୍ତାରେ ଅଟକି ଯାଇଥାନ୍ତି । ମତେ ଠିକ୍ ସେଇଆ ଲାଗେ – ମୁଁ ଯେମିତି ଜୀଉଁଛି ଅର୍ଥାତ ସକାଳଠୁ ରାତି ଯାଏଁ; ଯାହା ଯାହା ସବୁ ଭୋଗୁଛି – ହର୍ଷ, ବିଷାଦ, ଲୁହ ଓ କୋହକୁ ଯୋଉ ଢ଼ଙ୍ଗରେ ଥାକ ଥାକ କରି ହୃଦୟ ଓ ମନରୁ ଝାଡିଝୁଡି ଆଣି ଶବ୍ଦଙ୍କୁ କାଗଜରେ ସାଇତି ରଖୁଛି, ତାହା ବୋଧେ ସାହିତ୍ୟ । ସାହିତ୍ୟ କଣ ଜାଣିବା ଆଗରୁ ଶବ୍ଦମାନେ ବିନା ଉତ୍ସରେ ବାହାରି ଆସିଥିଲେ ବହୁ ବାଟ । ପରେ ଦିଶିଛି ସେହି ବାଟରେ ଉତ୍ସ ହୋଇ ଠିଆ ହୋଇଛନ୍ତି, ଅନେକ ତାରକା । ସେମାନଙ୍କ ଆଲୁଅରେ ଆଉ ଟିକେ ଫର୍ଚ୍ଚା ଦିଶିଛି ରାସ୍ତା । ବାସ୍…ଚାଲୁଛି ।

କବିତାର ଭାବ ଓ ଗଳ୍ପର ଚରିତ୍ର ଭିତରେ କିଏ ଆପଣଙ୍କୁ ଅଧିକ ନିମଜ୍ଜିତ କରେ ?

ଉ:-ମୁଖ୍ୟତଃ ମୁଁ କବିତାରେ ଅଛି । ଅଳ୍ପ କିଛି ଗଳ୍ପ ଲେଖିଛି । ଯାହାର ଏଯାବତ୍ ସଙ୍କଳନଟିଏ ବାହାରି ପାରିନି । ମତେ ତ ଲାଗେ କବିତାର ଭାବ ଭିତରେ ଲୁଚିଥାଏ ଗୋଟିଏ ସମ୍ପୂର୍ଣ୍ଣ ଗଳ୍ପର ଚିତ୍ରପଟ୍ଟ ଓ ଗଳ୍ପର ଚରିତ୍ର ଭିତରେ ତରଙ୍ଗ ପରି ଲହରେଇ ଆସୁଥାଏ ସହସ୍ର କବିତାର ସୀମାହୀନ ଢେଉ । ଢେଉ ଲେଉଟି ଗଲା ପରେ ଛାଡ଼ିଯାଏ ଶଙ୍ଖ, ଶାମୁକା ଓ କଙ୍କଡା କିମ୍ବା ବାଲିଗରଡା ପରି ନଇଁ ପଡି ଗୋଟେଇ ନବା ପରି କିଛି ଆକର୍ଷଣ ।

ସମ୍ବାଦ ଉପସ୍ଥାପନା ଆପଣଙ୍କ ସାହିତ୍ୟ ସାଧନାକୁ କିପରି ପ୍ରଭାବିତ କରେ ?

ହଁ, ମୁଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଟେଲିଭିଜନରେ ସମ୍ଵାଦପାଠିକା ଅଛି । ମୁଁ ସମ୍ବାଦ ପରିବେଷଣ କରେ । ଦୀର୍ଘ ବର୍ଷର ଅଭିଜ୍ଞତାରୁ ଏତିକି କହିବି, ସମ୍ବାଦ ଉପସ୍ଥାପନା ସମୟରେ ମୁଁ ସଚେତନ ଥାଏ , ଶବ୍ଦ ଗୁଡ଼ିକର ସ୍ପଷ୍ଟ ଓ ଶ୍ରୁତିମଧୁର ଉଚ୍ଚାରଣର ଶୈଳୀ ଯେମିତି ଦର୍ଶକକୁ ଗୋଟି ଗୋଟି ସମ୍ବାଦ ବୁଝିବାରେ ଅସହଜ ନହେଉ ସେମିତି ମୋର ସାହିତ୍ୟ ସଚେତନଶୀଳ ପାଠକ ଗୋଷ୍ଠୀ ପାଇଁ ଅଯଥାରେ କ୍ଲିଷ୍ଟ ନହେଉ ।

ଦାୟିତ୍ୱ ଓ ଦାୟବଦ୍ଧତା ଭିତରେ କେବେ ଛନ୍ଦି ହୋଇଛନ୍ତି କି ?

ହଁ, ମୁଁ ଗୋଟେ ପଟେ ଦାୟିତ୍ୱ ଓ ଆରପଟେ ଦାୟବଦ୍ଧତାର ତରାଜୁର ଦୁଇ ପାଖକୁ ମଝି କଣ୍ଟା ହୋଇ କମ ବେଶୀ ବେଶୀ କମର ଭାଗମାପ କରି କରି, ଜୀବନକୁ ତଉଲୁଥାଏ କର୍ମ, କର୍ତ୍ତବ୍ୟ ଓ କର୍ମଫଳର କୁରୁକ୍ଷେତ୍ରରେ । କେବେ ପରିବାର ଓ ଆତ୍ମୀୟଙ୍କ ଆକର୍ଷଣରେ ପଲା ନଇଁ ଯାଇଛି ଗୋଟେ ପଟକୁ ତ କେବେ ସମାଜ ଓ ସାହିତ୍ୟର ମନଃସ୍ଥିତିରେ ଭାରାକ୍ରାନ୍ତ ହୋଇଛି ଆରପଟର ପଲା । ଭାରି କଷ୍ଟ ମଝି କଣ୍ଟା ହୋଇ ଉଭୟ ପଟର ଭାରସାମ୍ୟକୁ ରକ୍ଷା କରିବା ।

ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତି କଣ ହୋଇ ପାରେ ?

ଶେଷ ଯାଏଁ କଣ ଇପ୍ସିତ ଅଭିବ୍ୟକ୍ତିଟି ଦେଇପାରିଥାଏ ସ୍ରଷ୍ଟା ! କହିବ କହିବ ହୋଇ ଗୋଟିଏ କଥାକୁ ହିଁ ସେ କହିବାର ଅଭ୍ୟାସ କରୁଥାଏ ସାରା ଜୀବନ । ଭିନ୍ନ ବାଗରେ , ଭିନ୍ନ ଢ଼ଙ୍ଗରେ କେବେ ଆଙ୍ଗିକ ଠାରରେ ତ କେବେ ଶାବ୍ଦିକ ଉଚ୍ଚାରଣର ଉଦଗାତା ହୋଇ ପରିପ୍ରକାଶ କରୁଥାଏ ଭାବକୁ । କଢି ମନ୍ଦାର ପରି ବଢି ନ ପାରି ଅବଶୋଷଟିଏ ଝୁଲି ପଡିଥାଏ ମନର ତରୁ ଡାଳରେ; ଶ୍ରେଷ୍ଠ ନୁହେଁ ଶେଷ ଅଭିବ୍ୟକ୍ତିର ପୁଷ୍ପିତ ସୌନ୍ଦର୍ଯ୍ୟରେ ।

 

ସବୁ ଲେଖକ ଜଣେ ଜଣେ ସମୀକ୍ଷକ। ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଓ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ହଁ, ସବୁ ଲେଖକ ଜଣେ ଜଣେ ସମୀକ୍ଷକ ନହୋଇ ପାରନ୍ତି, ମାତ୍ର ସବୁ ଲେଖକ ପ୍ରଥମେ ଜଣେ ଜଣେ ଭଲ ପାଠକ । ରଚନା ନିଜର ହେଉ ବା ଅନ୍ୟର ପଢ଼ି ସାରିବା ପରେ ପାଠକୀୟ ଅଭିବ୍ୟକ୍ତିଟିଏ ନିଶ୍ଚୟ ରହିବ । ସେ ପାଠକୀୟ ଅଭିବ୍ୟକ୍ତିଟି ଯେତିକି ସମୀକ୍ଷାତ୍ମକ ହେବ, ଲେଖାଟି ସେତିକି ନିଆଁରେ ପୋଡ଼ି ପୋଡ଼ି ସୁନା ଭଳି ଦିଶିବ ଉଜ୍ଜ୍ୱଳ । ପଙ୍ଗୁ ଛୁଆଟିଏ ବି ଯେମିତି ନିଜ ମାଆ ଆଖିରେ ‘ଜଗା’ ପରି ଦିଶେ ସର୍ବାଙ୍ଗସୁନ୍ଦର, ସେମିତି ନିଜ ଲେଖାର ନିଜେ ସମୀକ୍ଷକ ହବା ଅସହଜ । ହଁ, ନିଜ ଲେଖାର ପ୍ରଭାବିତ ଦୁର୍ବଳ ଅଙ୍ଗ ସବୁ ଲେଖକ ଦେଖିପାରେ ଓ ପରବର୍ତ୍ତୀ ଲେଖାମାନଙ୍କରେ ସେସବୁକୁ ଧିରେ ଧିରେ ସଂଶୋଧିତ କରିବାର ଅଶେଷ ପ୍ରଚେଷ୍ଟାରେ ନିଜକୁ ପ୍ରସ୍ତୁତ କରୁଥାଏ ।

ସ୍ରଷ୍ଟାର ସୃଷ୍ଟିକୁ ପାଠକୀୟ ମତ କେତେ ଦୂର ମାର୍ଜିତ କରେ ବୋଲି ଆପଣ ଭାବନ୍ତି ?

ସବୁ ପ୍ରଶ୍ନ ଭିତରୁ ଏଇ ପ୍ରଶ୍ନଟି ମତେ ସବୁଠୁ ଅଧିକ ଗରିମାମୟ ପ୍ରଶ୍ନ ଭଳି ଦିଶିଲା । ବର୍ତ୍ତମାନ ସାହିତ୍ୟରେ ନିରପେକ୍ଷ ପାଠକୀୟ ମତ ପାଇବା ଏତେ ସହଜ ନୁହେଁ । ମତେ ଲାଗେ, ଲେଖାଟିଏ ପଢିବା ଆଗରୁ ପାଠକ ଓ ଛାପିବା ଆଗରୁ ପ୍ରକାଶକ ଯଦି ସ୍ରଷ୍ଟାର ନାଁ ନଦେଖି ମୂଲ୍ୟାୟନ କରନ୍ତି, ତେବେ ଯାଇ ହୁଏତ ସଠିକ୍ ମତଟିଏ ଆପଣ ପାଇପାରିବେ । ନହେଲେ ଏବର ସାହିତ୍ୟ, ସାହିତ୍ୟିକମାନଙ୍କ ବିଭିନ୍ନ ଗ୍ରୁପ୍ ଅନୁଯାୟୀ ମାନ୍ୟତା ପାଇବା ଲକ୍ଷ୍ୟ କରାଯାଏ । ଆପଣ ଆପଣଙ୍କ ଆଙ୍ଗିକ ଓ ଆକ୍ଷରିକ କଳା ନୈପୁଣ୍ୟକୁ ଯେତେ ଆକରଣୀୟ ଶୈଳୀରେ ପରିବେଷଣ କରିପାରିବେ, ଆପଣଙ୍କ ପାଇଁ ସଜଡା ହୋଇ ଥୁଆ ହୋଇଥିବ ସେତେ ଓ୍ବାଃ ଓ୍ବାଃ ର ସମ୍ମାନ, ସମ୍ଵର୍ଦ୍ଧନା ଓ ଉଚ୍ଛ୍ବସିତ ପାଠକୀୟ ମାନ୍ୟତାର ବହୁମୂଲ୍ୟ ଉପଢୌକନ । ତେଣୁ ଏଭଳି ପାଠକୀୟ ମତ ସ୍ରଷ୍ଟାକୁ ମାର୍ଜିତ କରିବାରେ ସେତେ କିଛି ସହାୟ ହବା ପରି ମତେ ଦିଶେନି । ବରଂ, ସ୍ରଷ୍ଟା ନିଜେ ଜାଣେ ତାର ଦୁର୍ବଳ ଅଂଶଟି କଣ ? ସେଇ ଅଂଶଟିକୁ ସୁଧାରିବାକୁ ତାକୁ ନିୟମିତ ସାହିତ୍ୟରେ ରହି ଭଲ ଲେଖା ପଢିବା ଓ ସେଥିରୁ ଆହୁରି ଭଲ ଲେଖିବାର ଅଭ୍ୟାସକୁ ବଳବତ୍ତର ରଖିବାର ଆବଶ୍ୟକତା ଅଛି ।

 

ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ କଣ କରାଯିବା ଉଚିତ ବୋଲି ଆପଣ ଭାବନ୍ତି?

ଭାରତବର୍ଷ ଏକ ବହୁଭାଷୀ ରାଜ୍ୟଙ୍କର ସମାହାର । ମୋ କଥା ମୋ ପଡୋଶୀ ଯଦି ନ ବୁଝି ପାରିଲା, ମୋ ସୁଖଦୁଃଖ ସମୟରେ ସମଭାଗିତାର ହାତ ବଢେଇ ଠିଆ ହବ କିଏ ? ତେଣୁ ଅନ୍ୟକୁ ବୁଝିବାକୁ ଓ ନିଜକୁ ବୁଝେଇବାକୁ ଅନୁବାଦ ସାହିତ୍ୟର ଖୁବ୍ ଆବଶ୍ୟକତା ରହିଛି।

ଆପଣଙ୍କ ରଚିତ କବିତା ସଙ୍କଳନ”ମନମୃଣ୍ମୟ” ବିପୁଳ ପାଠକୀୟ ଆଦୃତି ସାଉଁଟିଥିଲା । ସଙ୍କଳନଟିର ଏପରି ନାମକରଣର ଯଥାର୍ଥତା କଣ ?

ବିପୁଳ ପାଠକୀୟ ଆଦୃତି କଥା ଛାଡ଼ନ୍ତୁ । କେତେ ପାଠକ ପଢ଼ିଛନ୍ତି , କୋଉଠି କୋଉଠି ପହଞ୍ଚିଛି, ତାହା ମୁଁ ଜାଣିନି । ଏତିକି କହିବି, ଗୋଟିଏ ଜଣାଶୁଣା ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ପାଣ୍ଡୁଲିପି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଓ ମୁଁ ‘ମନମୃଣ୍ମୟ’କୁ ଦାଖଲ କରିଥିଲି । ଚୟନକର୍ତ୍ତାମାନେ ପାଖାପାଖି ୭୦/୮୦ଟି ବହି ଭିତରୁ “ମନମୃଣ୍ମୟ”କୁ ଚୟନ କରିଥିଲେ । ବାସ୍,  ସଙ୍କଳନଟିର ନାମକରଣ ସମ୍ପର୍କରେ ଏତିକି କହିବି – ରବିବାର ଜନ୍ମଗ୍ରହଣ କରିଥିବା ପୁଅର ନାଁ ରବି ବା ଗୁରୁବାର ଜନ୍ମ ହୋଇଥିବା ଝିଅର ନାଁ ଗୁରୁବାରୀ ରହିବା ପରି “ମନମୃଣ୍ମୟ”ରେ ସ୍ଥାନିତ କବିତା ସବୁ କଞ୍ଚା ମାଟି ପରି ମନର ଆବେଗିକ ଚିନ୍ତାରୁ ଉଠି ଆସି ମୃଣ୍ମୟ ମୂର୍ତ୍ତି ହୋଇ ମୋ ଚିନ୍ତନର କଳାସ୍ପର୍ଶରେ ଦେବୀ ପାଲଟିଗଲା ପରି ମତେ ଅନୁଭୂତ ହୋଇଛି । ତା’ମାନେ ନୁହଁ ଯେ ମୋର ସର୍ବଶ୍ରେଷ୍ଠ ଲେଖା ସେଥିରେ ରହିଛି । ବରଂ ତାର ପରବର୍ତ୍ତୀ ସଙ୍କଳନ “ଊର୍ଦ୍ଧ୍ୱ ” ଓ “ରତ୍ନଗର୍ଭା”ରେ ମୁଁ ଆଉ ଟିକେ ମୋ ଚିନ୍ତନକୁ ମାର୍ଜିତ କରିଛି ।

 

ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଭାବନ୍ତି ?

ପ୍ରସବ ଉପଯୋଗୀ ଭଲ ମଞ୍ଜି ଗୁଡ଼ିକରେ ଯେତେ ବାଲି, ମାଟି ମିଶେଇଲେ ବି ତାହା ଯେପରି ନଷ୍ଟ ହୋଇ ନଥାଏ । ସଠିକ ସମୟରେ ବାଲି, ମାଟି ଝାଡିଝୁଡି ହୋଇ ଫଳପ୍ରସୂ ହୋଇଥାଏ, ସେହିପରି ଅଢ଼େଇ ହଜାର ବର୍ଷର ଗୋଟେ ସମୃଦ୍ଧ ସାହିତ୍ୟ ଯେତିକି ଯାତନା, ତାଡ଼ନା ସହି ତାର ସ୍ଥାନକୁ ଅକ୍ଷୁଣ୍ଣ ରଖିଛି। ମୁଁ ତ କହିବି ସମସାମୟିକ ସାହିତ୍ୟ ତାକୁ ଆହୁରି ସୁରକ୍ଷିତ ରଖିବାକୁ ତା’ ବିସ୍ତାରିତ ପ୍ରାନ୍ତର ଚତୁର୍ଦ୍ଦିଗରେ ସୁଦୀର୍ଘ ପାଚେରୀ ତୋଳି ସୃଜନର ସବୁଜିମାରେ ଆକର୍ଷଣୀୟ କରିବାର ଯଥେଷ୍ଟ ସମ୍ଭାବନା ରଖେ।

ଆପଣଙ୍କ କବିତାରେ ଉତ୍ତର ଆଧୁନିକତାର ସ୍ବର କେତେ ଗଭୀର ବୋଲି ଆପଣ ଭାବନ୍ତି ?

ଆଧୁନିକ-ଉତ୍ତର ଆଧୁନିକ ଏସବୁର କିଛି ଅର୍ଥ ବୁଝେ ନାହିଁ ସ୍ରଷ୍ଟା । ସାହିତ୍ୟର ବିଭାଗୀକରଣ ସାହିତ୍ୟକୁ ନେଇ ଗବେଷଣା କରୁଥିବା ଅନୁସନ୍ଧାନକାରୀଙ୍କ ବୁଝିବା ପାଇଁ ବେଶୀ ଆବଶ୍ୟକ । ମୁଁ ତ କୃଷିକର୍ମୀଟିଏ ମାତ୍ର । ଭଲ ବିହନ (ଭଲ ଲେଖା ପଢ଼ିବା) ଓ ତହିଁରୁ ଭଲ ଫସଲ ଗଣ୍ଡେ ଅମଳ କରିବା, ମୋର କର୍ମ ଓ ଧର୍ମ ବି । ସମସାମୟିକ ସମାଜର ସାମାଜିକ ଚିତ୍ର ଓ ମାନବୀୟ ମୂଲ୍ୟବୋଧ ମୋ କବିତାର ସ୍ଵରକୁ କେତେ ପରିମାଣରେ ଶାଣିତ ଓ ଗଭୀର କରିଛି, ତାହା ସେଇ କାବ୍ୟମୋଦୀ ମାନେ କହିବେ।

Comments are closed.