Latest Odisha News

ଚିଟଫଣ୍ଡ କଳଙ୍କ: ଏଥର ୨ ଜଣ ବିଜେଡ଼ି ବିଧାୟକ ଲଢିବେନି ନିର୍ବାଚନ

କଟକ: ବିଜେଡ଼ି ହାଇକମାଣ୍ଡ କିଛି ବରିଷ୍ଠ ନେତାମାନଙ୍କୁ ଏଥର ନିର୍ବାଚନ ଟିକଟ ନଦେବାକୁ ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି, ଯେଉଁମାନେ କି ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡ଼ିଛନ୍ତି । ଇତିମଧ୍ୟରେ ୨ ବରିଷ୍ଠ ବିଜେଡ଼ି ନେତା ଏଥର ବିଧାନସଭା ନିର୍ବାଚନ ନ’ଲଢିବାକୁ ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି, ମୁଁ ଏଥର ନିର୍ବାଚନ ନ’ଲଢିବା ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିସାରିଛି ।

ପୁଅ ସୌଭିକ ତାଙ୍କ ବଦଳରେ କଟକ-ଚୌଦ୍ୱାର ବିଧାନସଭା ଆସନରୁ ନିର୍ବାଚନ ଲଢିବେ କି ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଭାତ ବିଶ୍ୱାଳ କହିଛନ୍ତିି, ଏସମ୍ପର୍କରେ ପାର୍ଟି ହାଇକମାଣ୍ଡ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବେ ।

ଏଠାରେ ଉଲ୍ଲେଖ୍ୟ, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ସି-ସୋର୍ ଚିଟଫଣ୍ଡ ସ୍କାମ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ସିବିଆଇ ପ୍ରଭାତଙ୍କୁ ସେପ୍ଟେମ୍ବର ୧୯, ୨୦୧୭ ମସିହାରେ ତାଙ୍କ କଟକ ମହାନଦୀ ବିହାର ବାସଭବନରୁ ଗିରଫ କରିନେଇଥିଲା । ତାଙ୍କ ପତ୍ନୀ ଲକ୍ଷ୍ମୀ ଏବଂ ସି-ସୋର୍ ଗ୍ରୁପ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ଏକ ଜମି କିଣା ବିକା ନେଇ ଅଭିଯୋଗ ହୋଇଥିଲା । ତେବେ ଜୁନ ୨୦୧୮ ରେ ପ୍ରଭାତଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବ୍ୟତୀତ, ଅନ୍ୟ ଜଣେ ବିଜେଡ଼ି ନେତା ତଥା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଏଥର ନିର୍ବାଚନ ନ’ଲଢିବା ନେଇ ନିଜର ଇଚ୍ଛା ଦଳର ସଭାପତି ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇସାରିଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ବାଙ୍କି ବିଧାନସଭା ଆସନରୁ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ପ୍ରଭାତଙ୍କ ବଦଳରେ ବିଜେଡ଼ି ଟିକଟରେ ପ୍ରାର୍ଥୀ ହୋଇ ପାରନ୍ତି । ସେ ବର୍ତ୍ତମାନ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅଛନ୍ତି ।

ଏଟି ଗ୍ରୁପର ଅର୍ଥ ହେରଫେର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ବିଜୁ ଜନତା ଦଳର ଏହି ବିଧାୟକ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ଗିରଫ ହୋଇଥିଲେ, ଏପରିକି ସେ ଦଳରୁ ମଧ୍ୟ ନିଲମ୍ବିତ ହୋଇଥିଲେ । ଯେପରିବି ହେଉ ମାନ୍ୟବର ଓଡ଼ିଶା ହାଇକୋର୍ଟ ତାଙ୍କୁ ମାର୍ଚ୍ଚ ୩ ତାରିଖ ୨୦୧୫ରେ ଜାମିନ ପ୍ରଦାନ କରିଥିଲେ । ଏହାର ପ୍ରାୟ ଦୁଇ ବର୍ଷ ପରେ ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରିଥିଲା ।

Leave A Reply

Your email address will not be published.