Latest Odisha News

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି ତୃତୀୟ ଲହର ମାରାତ୍ମକ ହେବ ନାହିଁ । ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ଭୂତାଣୁ ବିଜ୍ଞାନୀ ଡାକ୍ତର ଗଙ୍ଗଦୀପ କାଙ୍ଗ । ସେ କହିଛନ୍ତି, ଦେଶରେ ବ୍ୟାପକ ଟିକାକରଣ ଚାଲିଥିବା ବେଳେ, ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଆଉ ଯଦି କୌଣସି ନୂଆ ଭାରିଆଣ୍ଟ ନ ଆସେ, ତେବେ ତୃତୀୟ ଲହର ସାଂଘାତିକ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ସେହିପରି ଦେଶରେ କେତେ ପିଲା ସଂକ୍ରମିତ ହୋଇଛନ୍ତି, କେତେ ପିଲା କୋଭିଡରେ ଗୁରୁତର ହୋଇଛନ୍ତି, କେତେ ପିଲା ପ୍ରାଣ ହରାଇଛନ୍ତି ସେସବୁର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ଏସବୁର ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଦେଶରେ ପ୍ରତିଦିନ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହି ପ୍ରକ୍ରିୟାରେ ଲୋକମାନେ ଅଧିକ ସୁରକ୍ଷିତ ରହୁଛନ୍ତି । ଆମେରିକା, ଇସ୍ରାଏଲ, କେତେକ ୟୁରୋପୀୟ ରାଷ୍ଟ୍ରରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଉଛି । ପିଲାଙ୍କୁ ଟିକାକରଣ କରିବା ପୂର୍ବରୁ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । କୋଭିଡରେ ପିଲା ଗୁରୁତର ହୋଇଛନ୍ତି ଓ କିଛି ପ୍ରାଣ ବି ହରାଇଛନ୍ତି । ମାତ୍ର ଏହାର ସବିଶେଷ ତଥ୍ୟ ହାସଲ କରିବା ଉଚିତ । ସେହିପରି ନୂଆ ଭ୍ୟାରିଆଣ୍ଟ ଆସୁ କି ନଆସୁ, ନିଜକୁ ସତର୍କ ରହିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ଗଙ୍ଗଦୀପ କାଙ୍ଗ ।

Comments are closed.